ଭୁବନେଶ୍ୱର:୬/୨-ଆସନ୍ତା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପକୁ ସମୂଳେ ନିପାତ କରିବା ଦିଗରେ ଓଡ଼ିଶା ପୋଲିସ ଲକ୍ଷ୍ୟ ପୂରଣ ପାଇଁ ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମାଓ ବିରୋଧୀ ଅପରେସନକୁ ଅଧିକ ଜୋରଦାର ଓ ପ୍ରଭାବଶାଳୀ କରିଛି। ହିଂସାର ପଥ ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଇଚ୍ଛୁକ ମାଓବାଦୀମାନଙ୍କ ପାଇଁ ରାଜ୍ୟ ସରକାର ପୁନର୍ବାସ ଓ ଥଇଥାନ ନୀତି ଲାଗୁ କରିଛନ୍ତି। ଏହି ନୀତି ଅନୁଯାୟୀ ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ସରକାରୀ ସୁବିଧା, ସୁରକ୍ଷା ଏବଂ ସମ୍ମାନଜନକ ଭବିଷ୍ୟତର ସୁଯୋଗ ମିଳୁଛି। ଏହି କ୍ରମରେ ଶୁକ୍ରବାର ରାୟଗଡ଼ା ଜିଲ୍ଲା ପୋଲିସ ସମ୍ମୁଖରେ ୧୫ଜଣ ଓ କନ୍ଧମାଳ ଜିଲ୍ଲା ପୋଲିସ ସମ୍ମୁଖରେ ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ପୋଲିସ ମହା ନିର୍ଦେଶକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ରାୟଗଡ଼ା ଜିଲ୍ଲାରେ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ମୋଟ ୧୫ ଜଣ ମାଓ କ୍ୟାଡର ଆତ୍ମସମର୍ପଣ କରିଛନ୍ତି। ସେଥି ମଧ୍ୟରେ ୨ ଜଣ ରାଜ୍ୟ କମିଟି ସଦସ୍ୟ ନିଖିଲ-ନିରଞ୍ଜନ ରାଉତ (ଜଗତସିଂହପୁର) ଓ ଅଙ୍କିତା-ରଶ୍ମୀତା ଲେଙ୍କା (ଟାଙ୍ଗୀ, କଟକ) ଆତ୍ମସମର୍ପଣ କରିଛନ୍ତି। ଉଭୟଙ୍କ ନାମରେ ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏହା ସହିତ ଏହି ଡିଭିଜନର ଆଉ ୧୩ ଜଣ କ୍ୟାଡର ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଠାରୁ ମୋଟ ୧୪ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ନିଖିଲ-ନିରଞ୍ଜନ ରାଉତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାୟଗଡ଼ା–ଗଜପତି–କନ୍ଧମାଳ ଅଞ୍ଚଳରେ ସକ୍ରିୟ ଥିଲା। ସେହିପରି କନ୍ଧମାଳ ଜିଲ୍ଲା ପୋଲିସ ସମ୍ମୁଖରେ କଳାହାଣ୍ଡି- କନ୍ଧମାଳ-ବୌଦ୍ଧ-ନୟାଗଡ଼ ଡିଭିଜନର ଦଳ ସଦସ୍ୟ ପଦରେ ଅବସ୍ଥାପିତ ଥିବା ୪ ଜଣ ମାଓ କ୍ୟାଡର ହିଂସାର ପଥ ତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ସମୟରେ ସେମାନେ ଅସ୍ତ୍ର, ଗୋଳାବାରୁଦ ଓ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ନିକଟରେ ଜିମା ଦେଇଛନ୍ତି। ଆତ୍ମସମର୍ପଣ କରିଥିବା ଏହି ସଦସ୍ୟ ମାନେ ହେଲେ ଗଙ୍ଗା କୁଞ୍ଜାମି- ଜିତେନ, ମୁଚାକି ମାସେ-ସୁମିତ୍ରା, ଚୋମାଲି କୁଞ୍ଜମ୍-ଶାନ୍ତିଲା, ବନ୍ଦୀ ମାଡ଼ଭି-ମାଳତୀ।ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଛି । ସେମାନଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିଲା।