ଯୋଗଦେଲେ ରାଜ୍ୟ ନିର୍ବାଚନ ଆୟୁକ୍ତ ଓ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର:୨୪/୨-ଦେଶର ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଭାରତୀୟ ନିର୍ବାଚନ କମିଶନ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀର ଆୟୋଜନ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ବାଚନ କମିଶନର ସୁଖବୀର ସିଂ ସାନ୍ଧୁ ଏବଂ ଡ଼.ବିବେକ ଯୋଶୀ ଉପସ୍ଥିତ ଥିଲେ। ୧୯୯୯ ମସିହା ପରେ ଅର୍ଥାତ ଦୀର୍ଘ ୨୬ ବର୍ଷ ବ୍ୟବଧାନରେ ଏଭଳି ଏକ ବୃହତ ସମ୍ମିଳନୀ ଆୟୋଜିତ ହୋଇଥିଲା।

ସମ୍ମିଳନୀରେ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟ ନିର୍ବାଚନ କମିଶନରଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ ଯୋଗ ଦେଇଥିଲେ। ନିର୍ବାଚନ ପରିଚାଳନା ଏବଂ ଆନୁସଙ୍ଗିକ ବ୍ୟବସ୍ଥା କ୍ଷେତ୍ରରେ କେନ୍ଦ୍ରୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ କମିଶନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ସମସ୍ତ ନିର୍ବାଚନ ସଂସ୍ଥା ମଧ୍ୟରେ ସହଯୋଗ ବୃଦ୍ଧି କରି ସଂଘୀୟ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବାକୁ ଏଠାରେ ଗୁରୁତ୍ୱ ଦିଆଯାଇଛି। ନିର୍ବାଚନ ପ୍ରକ୍ରିୟାରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାରକୁ ନେଇ ଏହି ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯାଇଛି।
ନିକଟରେ ଆରମ୍ଭ ହୋଇଥିବା ଡିଜିଟାଲ ପ୍ଲାଟଫର୍ମ ଉପରେ ଏକ ସ୍ୱତନ୍ତ୍ର ପ୍ରେଜେଣ୍ଟେସନ ଦିଆଯାଇ ଏହାର ବ୍ୟବହାର ଉପରେ ଆଲୋକପାତ କରାଯାଇଥିଲା। ଇଲେକ୍ଟ୍ରୋନିକ ଭୋଟିଂ ମେସିନର ସ୍ୱଚ୍ଛତା ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବୈଷୟିକ ବିଶେଷଜ୍ଞମାନେ ସବିଶେଷ ତଥ୍ୟ ରଖିବା ସହିତ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ଏହାକୁ ଅଧିକ ସଠିକ୍ କରିବା ପାଇଁ ନୂତନ କୌଶଳ ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସମ୍ମିଳନୀରେ ଓଡ଼ିଶାର ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପଲନ ଯୋଗଦେଇ ବିଭିନ୍ନ ନିର୍ବାଚନୀ ପ୍ରସଙ୍ଗ ଉପରେ ଆଲୋକପାତ କରିବା ସହିତ ଆଗକୁ ରାଜ୍ୟରେ ହେବାକୁ ଥିବା ପୌର ଓ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।