ବଜେଟର ସାଧାରଣ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର
ଭୁବନେଶ୍ୱର:୨୪/୨- ବଜେଟର ସାଧାରଣ ଆଲୋଚନାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି, ୨୦ ତାରିଖରେ ୨୦୨୬-୨୭ ଆର୍ôଥକବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲି। ୨୩ ତାରିଖ ଠାରୁ ଏହି ବଜେଟ୍ ଉପରେ ସାଧାରଣ ଆଲୋଚନା ଆରମ୍ଭ ହୋଇ ବର୍ତ୍ତମାନ ତାହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସାଧାରଣ ଆଲୋଚନାରେ ଉଭୟ ବିରୋଧି ଓ ଶାସକ ଦଳର ମାନ୍ୟବର ସଦସ୍ୟ ଓ ସଦସ୍ୟାମାନେ ଭାଗ ନେଇଛନ୍ତି। ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଓଡିଶାବାସୀ ଆଶା କରୁଥିଲେ ଆଉ କିଛି ସାର୍ଥକ ଆଲୋଚନା ହୋଇପାରି ଥାଆନ୍ତା କିନ୍ତୁ ଚାଷୀଙ୍କ ନାଁ ରେ ଯେମିତି ରାଜନୀତି କରି ଗୃହକୁ ବାରମ୍ବାର ଅଚଳ କରି ଦିଆଗଲା, ତାହା ଓଡିଶାବାସୀ ଦେଖିଛନ୍ତି। ବିରୋଧୀ ଦଳ ତାଙ୍କ ଭୂମିକା ଉପସ୍ଥାପିତ ନ କରି ହୋ ହାଲ୍ଲା କରିବା ମଧ୍ୟ ଓଡ଼ିଶାବାସୀ ଦେଖିଛନ୍ତି।
ମୁଁ କଂଗ୍ରେସର ଆଚାର ବିଚାର ଉପରେ ଆଶ୍ଚର୍ଯ୍ୟ ନୁହେଁ। ଏହି ବିଧାନ ସଭାରେ ତାଙ୍କ ଦଳର ବରିଷ୍ଠ ବିଧାୟକମାନେ ଖୁଚୁରା ଟଙ୍କା ବି ଆଣିବା ଓଡିଶାବାସୀ ଦେଖିଛନ୍ତି। ଘଣ୍ଟ, ଘଣ୍ଟା, ଗିନି ଖଞ୍ଜଣି ବି ବିରୋଧ ନାଁରେ ବାଡେଇଛନ୍ତି। ଦିଲ୍ଲୀ ଏଆଇ ଇମ୍ପାକ୍ଟ ସମିଟରେ ସେମାନେ ଯେଉଁ ନଗ୍ନ ପ୍ରଦର୍ଶନ କଲେ ତାହା ମଧ୍ୟ ଗଣତନ୍ତ୍ରରେ ଶୋଭା ପାଏନାହିଁ । ତାହା ଦେଖି ତାଙ୍କର ଆଚାର ବିଚାର ସଂପୂର୍ଣ୍ଣ ରୂପେ ଆକାଂକ୍ଷିତ। ସେମାନେ ସବୁକିଛି କରିବାକୁ ସମର୍ଥ। ବିରୋଧୀ ଦଳ ନେତା ଏବଂ ତାଙ୍କର ମୁଖପାତ୍ର ଆଉ ନୈତିକତା, ବିଧାନସଭାରେ ଅଶୋଭନୀୟ ଭାବେ ବିରୋଧ କରିବାର ଅଧିକାର ବିଷୟରେ ଉପଦେଶ ନ ଦେବା ଭଲ। ମୁଖ୍ୟ ବିରୋଧୀଦଳ ଚାଷୀଙ୍କ ନାଁରେ ନିଚ୍ଛକ ରାଜନୀତି କରୁଛନ୍ତି।

ସେ କହିଥିଲେ,୨୦୨୬-୨୭ ପାଇଁ ପ୍ରସ୍ତୁତ ହୋଇଥିବା ବଜେଟ କେବଳ ଆସନ୍ତା ବର୍ଷ ପାଇଁ ଆୟବ୍ୟୟ ଲେଖାଯୋଖାର ଏକ ହିସାବ ନୁହେଁ, ଏହି ବଜେଟ ହେଉଛି ସାଢେ ଚାରିକୋଟି ଓଡିଶାବାସୀଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ। ଏହି ବଜେଟ ଓଡିଶାବାସୀଙ୍କ ଭବିଷ୍ୟତର ବଜେଟ। ଏହି ବଜେଟ ଉପସ୍ଥାପିତ ହେବା ପରେ ବୋଧହୁଏ ବିରୋଧୀଙ୍କ ବିରୋଧ କରିବା ପାଇଁ କିଛି ନାହିଁ, ତେଣୁ ଗୃହକୁ ଅଚଳ କରିବା ମାର୍ଗକୁ ସେମାନେ ବାଛି ନେଇଛନ୍ତି। ଯଦି ସରକାର ଓ ବିରୋଧୀଙ୍କ ଭିତରେ ସଠିକ୍ ଆଲୋଚନା ହେଉଥାନ୍ତା ତେବେ ଚାଷୀଙ୍କ ବିକାଶ ପାଇଁ ଆହୁରି ବହୁତ କିଛି ବାହାରିପାରନ୍ତା।
ଆର୍ôଥକବର୍ଷ ୨୦୨୬-୨୭ ପାଇଁ ମୋଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ବଜେଟ ଅଟକଳ ହୋଇଛି। ଏହି ଅଟକଳ ମଧ୍ୟରୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ପ୍ରସ୍ତାବିତ କାର୍ଯ୍ୟକ୍ରମ ବ୍ୟୟ ମୋଟ ବଜେଟ୍ ଅଟକଳର ରେକର୍ଡ ୫୮ ପ୍ରତିଶ । ଲୋକଙ୍କୁ ନ୍ୟାୟ ପ୍ରଦାନ ଓ ବିକାଶର ସମସ୍ତ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ବଜେଟ ପ୍ରସ୍ତୁତ କରାଯାଇଛି।
ଚଳିତ ବଜେଟରେ ଆକଳନ କରାଯାଇଥିବା ୭୨ ହଜାର ୧୦୦ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଅଟକଳ, ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୬.୫ ପ୍ରତିଶତ ଅଟେ, ଯାହାକି ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବାଧିକ । ଆମେ ଏହି ବଜେଟରେ କେତେକ ନୂତନ ଏକ୍ସପ୍ରେସ ୱେ ଯଥା ବ୍ରହ୍ମପୁର-ଜୟପୁର ରାଜପଥ, ଗଜପତି ରୁ ଅମ୍ବାଭୋନାକୁ ଯୋଡୁଥିବା ନମୋ ଏକ୍ସପ୍ରେସୱେ, ରସୁଲଗଡ଼ରୁ-ନାନପୁର/ରଘୁନାଥପୁର ପର୍ଯ୍ୟନ୍ତ ୪-ଲେନ୍ ଏକ୍ସପ୍ରେସ ୱେ ଏବଂ ମାଲକାନଗିରିର ମୋଟୁ ରୁ ମୟୂରଭଞ୍ଜର ତିରିଙ୍ଗିକୁ ସଂଯୋଗ କରୁଥିବା ଅଟଳ ଏକ୍ସପ୍ରେସୱେ ନିର୍ମାଣ ପାଇଁ ପୁଞ୍ଜି ବିନିଯୋଗ ବ୍ୟବସ୍ଥା କରିଛୁ। ତତ୍ସହିତ, ଭୁବନେଶ୍ୱର ସ୍ଥିତ ଅନେକ ପ୍ରମୁଖ ସରକାରୀ ପ୍ରତିଷ୍ଠାନ ଯଥା ନୂତନ ଲୋକସେବା ଭବନ, ବିଧାନସଭା ସୌଧ, ବିଭିନ୍ନ କାର୍ଯ୍ୟରେ ରାଜ୍ୟ ରାଜଧାନୀକୁ ଆସୁଥିବା ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଜନ ଆଶ୍ରୟ ଭବନ, ବିଶ୍ୱସ୍ତରୀୟ ସଂଗ୍ରହାଳୟ ଏବଂ ରାଜ୍ୟ ସମ୍ମିଳନୀ କେନ୍ଦ୍ର ଆଦି ନିର୍ମାଣ କରିବା ପାଇଁ ମଧ୍ୟ ବଜେଟ ପ୍ରସ୍ତାବ କରିଛୁ। କେନ୍ଦ୍ର ବଜେଟ୍ ୨୦୨୬-୨୭ ରେ ଓଡ଼ିଶା ପାଇଁ ଅନେକ ପଦକ୍ଷେପ ଘୋଷଣା କରାଯାଇଛି, ଯେଉଁଥିରେ ଯୋଗାଯୋଗକୁ ସୁଦୃଢ଼ କରିବା, ଚାଲୁଥିବା ଭିତ୍ତିଭୂମି କାର୍ଯ୍ୟକୁ ସମର୍ଥନ କରିବା ସହ ଶିଳ୍ପ ଅଭିବୃଦ୍ଧିକୁ ବୃଦ୍ଧି କରିବା ପାଇଁ ରେଳ ପ୍ରକଳ୍ପ ନିମନ୍ତେ ରେକର୍ଡ ୧୦, ୯୨୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଆମ ରାଜ୍ୟ ଦେଇ ଯାଉଥିବା ପୂର୍ବ-ପଶ୍ଚିମ ମାଲବାହୀ କରିଡର ଯୋଗାଣ ଓ ବିତରଣ ପରିଚାଳନାକୁ ଉନ୍ନତ କରିବା ସହ ଶିଳ୍ପ ଅଞ୍ଚଳକୁ ପ୍ରମୁଖ ବଜାର ସହିତ ସଂଯୋଗ କରିବ। ଆଜି ଓଡିଶାରେ ୯୦ ହଜାର କୋଟିରୁ ବି ଅଧିକ ଟଙ୍କାର ବିଭିନ୍ନ ରେଳବାଇ ପ୍ରକଳ୍ପ ଚାଲିଛି।
ଗତ ୧୭ ତାରିଖରୁ ବିଧାନସଭାକୁ ଚାଷ ଓ ଚାଷୀଙ୍କ ନାଁରେ ବିଧାନସଭା ଭିତରେ ଓ ବାହାରେ ନିଚ୍ଛକ ରାଜନୀତି ଚାଲିଛି। ବିରୋଧୀ ଦଳର ବିଧାୟକମାନେ ଚାଷୀମାନଙ୍କ ଲାଗି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଯାହା ପରିସଂଖ୍ୟାନକୁ ଦେଖିଲେ ସ୍ପଷ୍ଟ ଭାବରେ ଜଣା ପଡିଯିବ। କଂଗ୍ରେସ ଦଳକୁ ତ ଲୋକେ ୨୫ ବର୍ଷ ହେଲା ପ୍ରାୟ ଭୁଲି ଯାଇଛନ୍ତି। ମୁଖ୍ୟ ବିରୋଧୀଦଳ ବାରମ୍ବାର ଚାଷ ଓ ଚାଷୀଙ୍କୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଆମ ସରକାରକୁ ୨୪ ମାସ ବି ପୁରିନାହିଁ। ଯେଉଁ ତଥାକଥିତ ୨୪ ବର୍ଷର ସରକାର ଧାନ ପାଇଁ ପ୍ରାୟ ୨୯ ଶହ ଟଙ୍କା ପ୍ରଦାନ କରିବାକୁ ଏଇ ପବିତ୍ର ଗୃହରେ ପ୍ରସ୍ତାବ ପାରିତ କରିଥିଲେ, ତାହା ତ କରି ପାରିଲେ ନାହିଁ କିନ୍ତୁ ଆମେ ମାତ୍ର ୨୪ ଘଣ୍ଟାରେ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ପ୍ରଦାନ କରିବାରେ ସମର୍ଥ ହୋଇଛୁ। ଇନ୍ପୁଟ୍ ସହାୟତା ଚାଷୀଙ୍କୁ ଉତ୍ସାହ ଦେଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଯୋଜନାର ସଫଳତା ଉପରେ ତାଙ୍କ ବକ୍ତବ୍ୟ ରଖିଥିଲେ। ବିରୋଧୀଦଳ ନେତାଙ୍କୁ ନିବେଦନ କରି କହିଥିଲେ ଯେ ଓଡିଶାର ବିକାଶ ଯାତ୍ରାରେ ସେ ସାମିଲ ହୁଅନ୍ତୁ। ବିଧାନସଭା ଗୃହକୁ ଆସି ଓଡ଼ିଶାର ବିକାଶ ମଡେଲକୁ ଆଗକୁ ନେବାର ପରାମର୍ଶ ଦିଅନ୍ତୁ।