-ମଦମୁକ୍ତ ନୁହେଁ, ମଦଯୁକ୍ତ ଓଡ଼ିଶା ଗଠନ ପାଇଁ ବିଜେପି କାର୍ଯ୍ୟ କରୁଛି
-ବିଜେପି ଓଡ଼ିଶାର ପ୍ରତ୍ୟେକ ଘରକୁ ମଦ ପହଞ୍ଚାଇବାକୁ ଦୃଢ଼ ପ୍ରତିଜ୍ଞ
-ପ୍ରଥମଥର ପାଇଁ ଓଡ଼ିଶାରେ ମଦରୁ ରାଜସ୍ୱ ୧୦,୦୦୦ କୋଟି ଟଙ୍କା ଅତିକ୍ରମ କରିଛି
-ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ
ଭୁବନେଶ୍ୱର: ୨୪/୨-ରାଜ୍ୟ ବିଜେପି ସରକାରଙ୍କର ଟେଟ୍ରା ପ୍ୟାକ୍(କାଗଜ ପ୍ୟାକେଟ)ରେ ମଦ ବିକ୍ରି ନିଷ୍ପତ୍ତିକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିଛି। ନିକଟରେ ଓଡ଼ିଶା ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଥିଲେ ଯେ, ମଦ କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକ୍ରେ ବିକ୍ରି କରାଯିବ। ସରକାରର ଏଭଳି ନିଷ୍ପତ୍ତି ବିରୋଧରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହେବାରେ ଲାଗିଛି। ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ସୁମିତ୍ରା ଜେନା ଏହି ନିଷ୍ପତ୍ତିକୁ ଅନୈତିକ ଓ ଯୁବ ବିରୋଧୀ ବୋଲି କହିବା ସହିତ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି।
ବିଜେଡି ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ ସମୟରେ ବିଜେପି ଓଡ଼ିଶାକୁ ମଦମୁକ୍ତ କରିବାର ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏବେ ଟେଟ୍ରା ପ୍ୟାକ୍ ପ୍ୟାକେଜିଂ ପ୍ରଚଳନ କରି ଓଡ଼ିଶାକୁ ମଦଯୁକ୍ତ ରାଜ୍ୟରେ ପରିଣତ କରିବାକୁ ଯାଉଛନ୍ତି। ମଦ ବିରୋଧରେ ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଏବେ ମଦକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି, ଯେଉଁଥିପାଇଁ ପ୍ରଥମଥର ପାଇଁ ମଦରୁ ରାଜସ୍ୱ ଆୟ ୧୦,୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ପୂର୍ବ ସରକାରଙ୍କ ଦ୍ୱାରା ବନ୍ଦ ହୋଇଥିବା ୭୦ଟି ମଦ ଦୋକାନ ଗୁଡ଼ିକୁ ପୁନର୍ବାର ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଏକ ଲଜ୍ଜାଜନକ କଥା।
ରାଜ୍ୟ ସରକାର ଲୋକଙ୍କ କଲ୍ୟାଣ ଅପେକ୍ଷା, ରାଜସ୍ୱ ଉପରେ ପ୍ରାଥମିକତା ଦେଉଛନ୍ତି। ମହୁଲରୁ ମଦ, ମାଣ୍ଡିଆରୁ ମଦ ଓ ଗନ୍ଧହୀନ ମଦ, ନୂତନ ପ୍ରକାରର ମଦ ପ୍ରଚଳନ ପାଇଁ ସରକାର ଉଦ୍ୟମ କରୁଛନ୍ତି। ପୂର୍ବ ସରକାରଙ୍କ ଦ୍ୱାରା ପ୍ରଚଳିତ ଯୋଜନା ଗୁଡ଼ିକର ନାମ ଓ ରଙ୍ଗ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ବିଜେପି ସରକାରଙ୍କ ନିଜସ୍ୱ ଯୋଜନା ବୋଲି କିଛି ନାହିଁ। ସରକାରଙ୍କର ଏହି ନିଷ୍ପତ୍ତି ଛାତ୍ର ଓ ଯୁବକ ଯୁବତୀମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ। ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବିଜେଡି ଦୃଢ ଦାବି କରିଛି। ଏହି ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ।