ଭୁବନେଶ୍ୱର:୧/୪- ଭୁବନେଶ୍ୱର ବାବା ସାହେବ ଆମ୍ୱେଦକର ବସ୍ ଟର୍ମିନାଲ ବରମୁଣ୍ଡା ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜିଭିଏଫଏସ ଗ୍ଲୋବାଲ ଦ୍ୱାରା ପରିଚାଳିତ ନୂତନ ଭିସା ଆବେଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି ଯେ, ଏହି ଭିସା ଆପ୍ଲିକେସନ ସେଣ୍ଟର ପାଇଁ ରାଜ୍ୟବାସୀଙ୍କ ବହୁଦିନରୁ ଦାବୀ ରହିଆସିଥିଲା। ଆମେ ଏ ସମ୍ୱନ୍ଧରେ କେନ୍ଦ୍ର ସରକାରଙ୍କ ନିକଟରେ ସହଯୋଗ କାମନା କରିଥିଲୁ। କେନ୍ଦ୍ର ସରକାରଙ୍କ ସହଯୋଗରେ ଆଜି ଭୁବନେଶ୍ୱରରେ ଏହି ଭିସା ଆପ୍ଲିକେସନ ସେଣ୍ଟର କାର୍ଯ୍ୟକ୍ଷମ ହେଲା। ଏହା ଓଡିଶାବାସୀଙ୍କୁ ଆନ୍ତର୍ଜାତୀୟ ଭିସା ସେବା ପ୍ରଦାନ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାଦ୍ୱାରା ଓଡିଶାର ଗ୍ଲୋବାଲ କନେକ୍ଟିଭିଟି ଢାଞ୍ଚା ଆହୁରି ସୁଦୃଢ ହେବ।

ଏହି କେନ୍ଦ୍ର ସ୍ଥାପିତ ହେବାଦ୍ୱାରା ସମଗ୍ର ବିଶ୍ୱ ସହିତ ଓଡିଶାର କନେକ୍ଟିଭିଟି ବୃଦ୍ଧିହେବ। ଜନସାଧାରଣଙ୍କୁ ନାଗରିକ କୈନ୍ଦ୍ରୀକ ସେବା ଯୋଗାଇଦେବାରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଏହା ଏକ ପ୍ରତିଫଳନ। ଏପରି ପଦକ୍ଷେପ ଓଡିଶାର ଯୁବବର୍ଗଙ୍କ ବିଦେଶ ଯାତ୍ରାକୁ ସହଜ କରିବା ସହିତ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ ଓ ଆନ୍ତର୍ଜାତୀୟ ସମ୍ପର୍କକୁ ମଜବୁତ କରିବ। ରାଜ୍ୟରେ ଶିଳ୍ପାୟନ ଓ ଅର୍ଥନୈତିକ କାର୍ଯ୍ୟକ୍ରମର ଅଭିବୃଦ୍ଧି ଯୋଗୁଁ ଓଡିଶାରେ ଏକ ଭିସା ଆପ୍ଲିକେସନ ସେଣ୍ଟରର ଆବଶ୍ୟକତା ଥିଲା। ସ୍ଥାନୀୟ ଯୁବ ପ୍ରଫେସନାଲଙ୍କ ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ସେମାନେ ଭିସା ଆବେଦନ ପାଇଁ କୋଲକାତା ଓ ହାଇଦ୍ରାବାଦକୁ ଯିବାକୁ ପଡୁଥିଲା। ଏବେ ସେମାନେ ସହଜରେ ଓ ସୁବିଧାରେ ଭିସା ପାଇପାରିବେ। ରାଜ୍ୟ ସରକାର ବସ ଟର୍ମିନାଲ ଭିତରେ ପ୍ରାୟ ୩,୦୦୦ ବର୍ଗଫୁଟ୍ ଜାଗା ଏହି ଭିସା ସେଣ୍ଟର ପାଇଁ ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ର ୟୁନାଇଟେଡ କିଙ୍ଗଡମ, ଆୟରଲ୍ୟାଣ୍ଡ, ଅଷ୍ଟ୍ରିଆ, ଏସ୍ତୋନିଆ, ଇଟାଲୀ, ମାଲ୍ଟା, ସ୍ୱିଜରଲ୍ୟାଣ୍ଡ, ଜାପାନ, ମରୋକ୍କୋ ଓ ଇଜିପ୍ଟ ସହିତ ମୋଟ ୧୦ଟି ଦେଶ ପାଇଁ ଭିସା ସେବା ପ୍ରଦାନ କରିବ। ଆଗାମୀ ଦିନରେ ଅଧିକ ଦେଶକୁ ଏହି ସେବାରେ ଯୋଡାଯିବ।