-ସୋସିଆଲ ମିଡିଆ ମାଧ୍ୟମରେ ମୋବାଇଲରେ ମିଳିବ ସଠିକ ସୂଚନା
ଭୁବନେଶ୍ୱର:୨୨/୬-ରାଜ୍ୟରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପ୍ରାକ୍-ପ୍ରସ୍ତୁତି ନିମନ୍ତେ ‘ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୬’ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ସମ୍ପୂର୍ଣ୍ଣ ଫୁଲ୍ ପ୍ରୁଫ ବ୍ୟବସ୍ଥା ବିକଶିତ କରିଛି। ଏହି ବ୍ୟବସ୍ଥାକୁ ବଜାୟ ରଖିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଚଳିତ ବର୍ଷ ‘ଏଲ୍ ନିନୋ’ ପ୍ରଭାବ ଯୋଗୁଁ କମ ବୃଷ୍ଟିପାତ ହେବାର ଆଶଙ୍କା ଥିବାରୁ ଖରିଫ ଫସଲ ଯେପରି ପ୍ରଭାବିତ ନହେବ ସେଥିପାଇଁ କୃଷି, ଜଳସେଚନ ଓ ଅନ୍ୟ ସମ୍ପୃକ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏକ ରାଜ୍ୟସ୍ତରୀୟ ମନିଟରିଂ ମେକାନିଜିମ ଜରିଆରେ ବୃଷ୍ଟିପାତ, ଜଳସ୍ତର, କ୍ରପ-ପ୍ଲାନିଙ୍ଗ ଏବଂ ସାର ଓ ବିହନ ଯୋଗାଣର ନିୟମିତ ତଦାରଖ କରାଯାଉଛି। ଚଳିତ ବର୍ଷ ମଧ୍ୟପ୍ରାଚ୍ୟରେ ଅଶାନ୍ତ ପରିବେଶ ଯୋଗୁଁ ବିଶ୍ୱବ୍ୟାପୀ ସାର ସଙ୍କଟ ଦେଖାଦେଇପାରେ, ତେଣୁ ୟୁରିଆ ଓ କମ୍ପେ୍ଲକ୍ସ ସାର ଯୋଗାଣ ଉପରେ ତୀକ୍ଷଣ ନଜର ରଖିବା ସହ ଆବଶ୍ୟକ ସ୍ଥଳେ ପର୍ଯ୍ୟାପ୍ତ ‘ନାନୋ ୟୁରିଆ’ ମହଜୁଦ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ବିଶେଷ କରି ସାରର କଳାବଜାରୀ ରୋକିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ‘ନିରକ୍ଷଣ ସମିତି’ ଗଠନ କରାଯାଇଛି ।

ଗତ ଅକ୍ଟୋବର ମାସରେ ଓଡ଼ିଶା ଉପକୂଳ ଅତିକ୍ରମ କରିଥିବା ସାମୁଦ୍ରିକ ବାତ୍ୟା “ମୋନ୍ଥା’ ଏବଂ ପୂର୍ବର “ଦାନା” ବାତ୍ୟା ସମୟରେ ରାଜ୍ୟର ଦକ୍ଷ ପରିଚାଳନା ଦେଖିବାକୁ ମିଳିଥିଲା। ଚାଷୀମାନଙ୍କୁ ସହାୟତା ଦେବା ପାଇଁ ରାଜ୍ୟ ସରକାର ‘ଅଦିନିଆ ବର୍ଷା’କୁ ଏକ ‘ରାଜ୍ୟ-ନିର୍ଦ୍ଦିଷ୍ଟ ବିପର୍ଯ୍ୟୟ’ ଭାବେ ଘୋଷଣା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଭିତ୍ତିଭୂମି ପ୍ରସ୍ତୁତି କ୍ରମରେ ରାଜ୍ୟରେ ଥିବା ୯୧୧ଟି ବହୁମୁଖୀ ଆଶ୍ରୟସ୍ଥଳୀର ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ଆଶ୍ରୟସ୍ଥଳୀ ପିଛା ୬ ଲକ୍ଷ ଟଙ୍କା ଲେଖାଏଁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି, ଯେଉଁଠାରେ ପାନୀୟ ଜଳ, ଆଲୋକ ଓ ରନ୍ଧାଖାଦ୍ୟର ବ୍ୟବସ୍ଥା ପ୍ରାକ୍-ପ୍ରସ୍ତୁତି ସମୟରେ ହିଁ ସୁନିଶ୍ଚିତ କରାଯିବ। ଜାତୀୟସ୍ତରର କମନ ଆଲର୍ଟିଂ ପ୍ରୋଟୋକଲ ମାଧ୍ୟମରେ ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଏବଂ ୧୧୨ ହେଲ୍ପଲାଇନ ସମ୍ପୂର୍ଣ୍ଣ ସକ୍ରିୟ ରହିଛି। ବିପର୍ଯ୍ୟୟ ସମୟରେ ଗୁଜବ ରୋକିବା ପାଇଁ ଟେଲିଭିଜନ ସହିତ ସୋସିଆଲ ମିଡିଆ ମାଧ୍ୟମରେ ମୋବାଇଲରେ ଲୋକଙ୍କୁ ସଠିକ୍ ଓ ନିର୍ଭୁଲ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନର ୨୦ଟି ଓଡ୍ରାଫ୍ ଟିମ୍ ଏବଂ ୩୪୭ଟି ଅଗ୍ନିଶମ କେନ୍ଦ୍ର ଅତ୍ୟାଧୁନିକ ସରଞ୍ଜାମ ସହ ପ୍ରସ୍ତୁତ ଥିବାବେଳେ ରାଜ୍ୟରେ ଆଉ ୧୦ଟି ନୂତନ ଓଡ୍ରାଫ୍ ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଛି।
ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ, ସରକାରଙ୍କ ସୁଚିନ୍ତିତ ପ୍ରାକ୍-ପ୍ରସ୍ତୁତି ଏବଂ ସମୟୋଚିତ ଉଦ୍ଧାର କାର୍ଯ୍ୟ ଯୋଗୁଁ ରାଜ୍ୟ ‘ଜିରୋ କାଜୁଆଲଟି’ ବା ଶୂନ୍ୟ ମୃତ୍ୟୁହାର ନୀତିକୁ ସଫଳତାର ସହ ପାଳନ କରିବାରେ ସମର୍ଥ ହୋଇଛି। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକୀୟ ଆର୍ôଥକ ଅନୁଦାନ ଓ ଭିତ୍ତିଭୂମିର ସମୀକ୍ଷା କରିବା ସହ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିର ସଠିକ ବିନିଯୋଗ ଉପରେ ଶ୍ରୀ ପୂଜାରୀ ଆଲୋକପାତ କରିଥିଲେ।