-ତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ: ବିଜେଡି
-ଉତ୍ତରୀୟ ଦେଇ ଦଳରେ ସାମିଲ କଲେ ନବୀନ
-ନବୀନଙ୍କ ନେତୃତ୍ୱରେ ୨୦୨୯ ନିର୍ବାଚନ ଲଢ଼ିବ ବିଜେଡି

ଭୁବନେଶ୍ୱର: ୨୫/୬-ଭାରତୀୟ ପ୍ରଶାସନିକ ସେବାର ପୂର୍ବତନ ଅଧିକାରୀ ତଥା ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ(କାର୍ତ୍ତିକେୟନ) ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ତାଙ୍କର ଯୋଗଦାନ ଦଳକୁ ତୃଣମୂଳସ୍ତରରେ ଅଧିକ ଶକ୍ତିଶାଳୀ କରିବ ବୋଲି ଦଳର ନେତୃବୃନ୍ଦ ପ୍ରକାଶ କରିଛନ୍ତି। ଗୁରୁବାର ମଧ୍ୟାହ୍ନରେ ଶଙ୍ଖ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଉତ୍ତରୀୟ ଦେଇ ସୁଜାତା ରାଉତଙ୍କୁ ଦଳରେ ସାମିଲ କରିଥିଲେ। ଦଳରେ ସୁଜାତା ସାମିଲ ହେବା ଅବସରରେ ନବୀନ ସ୍ପଷ୍ଟ କରିଛନ୍ତି ଯେ ‘ମୋ ନେତୃତ୍ୱରେ ବିଜେଡି୨୦୨୯ରେ ନିର୍ବାଚନ ଲଢ଼ିବ’।

ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳରେ ଯୋଗ ଦେଇଛନ୍ତି ଏବଂ ତାଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ଦଳର ସଂଗଠନକୁ ମଜଭୁତ କରିବାରେ ସହାୟକ ହେବ ବୋଲି ନବୀନ କହିଥିଲେ। ଅନ୍ୟପଟେ ନବୀନ ପଟ୍ଟନାୟକଙ୍କୁ ପ୍ରେରଣାର ସ୍ରୋତ ଭାବେ ଅଭିହିତ କରି ସୁଜାତା କହିଥିଲେ, ଜଣେ ପ୍ରଶାସନିକ ଅଧିକାରୀ ଭାବେ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଥିବା ସରକାର ଅଧୀନରେ ଦୀର୍ଘ ୨୪ ବର୍ଷ ଧରି କାର୍ଯ୍ୟ କରିଛନ୍ତି। ଆଗାମୀ ଦିନରେ ନବୀନଙ୍କ ନେତୃତ୍ୱରେ ରାଜ୍ୟର ସେବା କରିବା ପାଇଁ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ, ଲକ୍ଷ ଲକ୍ଷ ବିଜୁ ଜନତା ଦଳର କର୍ମୀଙ୍କ ସହଯୋଗ ନେଇ ନିଷ୍ଠା ଓ ସମର୍ପିତ ଭାବେ ସେ ଦଳ ଓ ରାଜ୍ୟ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ। ଏହି ସ୍ୱତନ୍ତ୍ର ସଭାରେ ଦଳର ସାଂସଦ, ବିଧାୟକ ଓ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

ପଚିଶ ବର୍ଷର ପ୍ରଶାସନିକ ଅଭିଜ୍ଞତା ଥିବା ସୁଜାତା ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। ଅନେକ ତାଙ୍କୁ ନବୀନଙ୍କ ଉତ୍ତରାଧିକାରୀ ନଜରରେ ଦେଖୁଛନ୍ତି। ଭି କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ହେଉଛନ୍ତି ୨୦୦୦ ବ୍ୟାଚ ର ଆଇଏଏସ । ସ୍ୱାମୀ-ସ୍ତ୍ରୀ ଗୋଟିଏ ବ୍ୟାଚ ଏବଂ ଓଡ଼ିଶା କ୍ୟାଡରର ଆଇଏଏସ। ସୁଜାତାଙ୍କ ଜନ୍ମସ୍ଥାନ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବାଲୁରିଆ ଗ୍ରାମରେ। ତାଙ୍କ ବାପା ଥିଲେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅକ୍ଷୟ କୁମାର ରାଉତ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜରୁ ସ୍ନାତକ ଏବଂ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ ପଲିଟିକ୍ସରେ ସେ ସ୍ନାତ୍ତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସେ ତାଙ୍କ ଚାକିରି ଜୀବନ ଆରମ୍ଭ କରିଥିଲେ।

୨୦୦୫ ମସିହାରେ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଥିଲା ତାଙ୍କର ସଫଳତା। ୨୦୦୬ରେ ସେ ସୁନ୍ଦରଗଡ଼ରେ ମଧ୍ୟାହ୍ନଭୋଜନ ଯୋଜନାରେ ଅଣ୍ଡା ସାମିଲ କରିଥିଲେ। ଯାହାକୁ ପରବର୍ତ୍ତୀ ସମୟରେ ସମଗ୍ର ରାଜ୍ୟରେ ଲାଗୁ କରାଯାଇଥିଲା। କଟକ ଜିଲ୍ଲାର ଜିଲ୍ଲାପାଳ ଭାବେ ସେ ଗର୍ଭବତୀ ମହିଳାଙ୍କ ପାଇଁ ‘ମମତା’ ଯୋଜନା ଆରମ୍ଭ କରିଥିଲେ। ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ ତାଙ୍କ ନେତୃତ୍ୱରେ ସଫଳ ହୋଇଥିଲା। ୨୦୨୫ ମାର୍ଚ୍ଚରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ପୂର୍ବରୁ ତାଙ୍କ ସ୍ୱାମୀ ଭି.କାର୍ତ୍ତିକେୟନ ପାଣ୍ଡିଆନ ୨୦୨୩ ଅକ୍ଟୋବର ମାସରେ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିଲେ। ଏହାପରେ ସେ ବିଜେଡି ପାଇଁ କାମ କରିଥିଲେ। ୨୦୨୪ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ସେ ସେହିବର୍ଷ ଜୁନ ମାସରେ ରାଜନୀତିରୁ ସନ୍ୟାସ ନେଇଥିବା ଘୋଷଣା କରିଥିଲେ।