-୧୭୦୦ ବାୟୋ-ଟଏଲେଟ, ୮ଟି ଅସ୍ଥାୟୀ ହସ୍ପିଟାଲ, ୬୫ ଏଲଇଡି ସ୍କ୍ରିନ୍, ୪୭୩ ସିସିଟିଭି କ୍ୟାମେରା ଓ ୧୬ ସ୍ଥାୟୀ ଟେଲିକମ ଟାୱାର ବ୍ୟବସ୍ଥା
ଭୁବନେଶ୍ୱର:୧୦/୭- ପବିତ୍ର ରଥଯାତ୍ରା ପାଇଁ ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ବୈଠକରେ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ନୀତିକାନ୍ତିରେ ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ସମନ୍ୱୟ ଉପରେ ସେ କହିଥିଲେ, ପ୍ରତ୍ୟେକ ସ୍ତରରେ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ତଥା ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବାପାଇଁ ନିରନ୍ତର ସୂଚନା ପ୍ରଦାନର ବ୍ୟବସ୍ଥା ରହିବା ଆବଶ୍ୟକ। କୌଣସି ପରିସ୍ଥିତିରେ ଯେପରି କମ୍ୟୁନିକେସନ ଗ୍ୟାପ ନରୁହେ, ସେଥିପ୍ରତି ଧ୍ୟାନ ଦେବା ପାଇଁ ସେସବୁ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ବୈଠକରେ କର୍ଡନ ପରିଚାଳନା, ମହିଳାମାନଙ୍କ ସୁରକ୍ଷା, ସନ୍ଦିଗ୍ଧ ଓ ନିଶା ସେବନକାରୀଙ୍କ ଉପରେ ନଜର, ଟ୍ରାଫିକ ବ୍ୟବସ୍ଥା, ଖାଦ୍ୟ ଓ ପାନୀୟ ଜଳର ମାନ ଯାଞ୍ଚ, ଜରୁରୀକାଳୀନ ଇଭାକ୍ୟୁସନ, ପାଣିପାଗକୁ ଦେଖି ଉପଯୁକ୍ତ ପଦକ୍ଷେପ ଆଦି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରି ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଫୁଲ୍-ପ୍ରୁଫ କରିବା ପାଇଁ ପରାମର୍ଶ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥା ପାଇଁ ୧୨ ହଜାର ପୋଲିସ ତଥା ସିଏିଏଫ କର୍ମଚାରୀ ମୁତୟନ କରାଯାଇଛି। ଏହାସହିତ କୋଷ୍ଟ ଗାର୍ଡ଼ ଓ ଇଣ୍ଡିଆନ ନ୍ୟାଭି ମଧ୍ୟ ସଜାଗ ଅଛନ୍ତି। ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ୧୯ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନିୟୋଜନ କରାଯାଇଛି। ସେହିପରି ୪୭୩ ସିସିଟିଭି କ୍ୟାମେରା ସହିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଜରୁରୀ ସୂଚନା ପ୍ରଦାନ କରିବା ପାଇଁ ୬୫ଟି ବଡ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି। ଓଡିଆ, ହିନ୍ଦୀ ଓ ଇଂରାଜୀରେ ଏଥିରେ ସୂଚନା ଦିଆଯିବ। ମୋବାଇଲ ନେଟୱାର୍କ ପାଇଁ ୧୬ଟି ସ୍ଥାୟୀ ଓ ଅନେକ ଅସ୍ଥାୟୀ ଟାୱାରର ବ୍ୟବସ୍ଥା କରାଯାଇଛି। ସୂଚନା ପ୍ରଦାନ ପାଇଁ ଏଥରକ ବଲ୍କ ମେସେଜିଂ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଗୁଣ୍ଡିଚା ମନ୍ଦିରରେ ଦର୍ଶନର ସୁବ୍ୟବସ୍ଥା ପାଇଁ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଭିଡ ନିୟନ୍ତ୍ରଣ ପାଇଁ ଅନେକ ଇଭାକ୍ୟୁସନ କରିଡରର ବ୍ୟବସ୍ଥା କରାଯାଇଛି। ସମସ୍ତ ସୁରକ୍ଷା କାର୍ଯ୍ୟର ନିୟନ୍ତ୍ରଣ ପାଇଁ ସମନ୍ୱିତ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର କରାଯାଇଛି। ରଥଯାତ୍ରାର ପ୍ରତ୍ୟେକ ଟିକିନିଖି କାର୍ଯ୍ୟ ପାଇଁ ଜଣେ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ପାର୍କିଙ୍ଗ୍, ବଡଦାଣ୍ଡରେ ହାଇମାକ୍ସ ଲାଇଟର ବ୍ୟବସ୍ଥା କରାଯାଇଛି। ଏଥର ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଭାବେ ୧୭୦୦ଟି ବାୟୋ-ଟଏଲେଟର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ୫ଟି ଟଏଲେଟକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ଜଣେ ଜଣେ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ୮ଟି ଅସ୍ଥାୟୀ ହସ୍ପିଟାଲ ମଧ୍ୟ କରାଯାଇଛି। ଚଳିତ ବର୍ଷ ରଥଯାତ୍ରାରେ ପୁରୀକୁ ପ୍ରାୟ ୩୦୦ରୁ ଅଧିକ ଟ୍ରେନ ଚଳାଚଳ କରିବ। ତେଣୁ ଟ୍ରେନର ସମୟ ଅନୁଯାୟୀ ଭକ୍ତମାନଙ୍କ ଆଗମନକୁ ଦେଖି ଯାତ୍ରୀମାନଙ୍କୁ ଉପଯୁକ୍ତ ସୂଚନା ପ୍ରଦାନ କରିବା, ଭିଡ ନିୟନ୍ତ୍ରଣ ସହିତ ଅନ୍ୟାନ୍ୟ ବ୍ୟବସ୍ଥାକୁ ସଠିକ ରୂପେ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।