ଭୁବନେଶ୍ୱର: ୧୨ା୭-ଓଡ଼ିଶାର ସ୍ୱାର୍ଥ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗ ରାଜ୍ୟସଭାରେ ଉପସ୍ଥାପନ କରିବେ ବୋଲି ବିଜେଡ଼ି ସାଂସଦ ସଂତୃପ୍ତ ମିଶ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି। ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପରାମର୍ଶ ଲୋଡ଼ିଥିଲେ। ସାମ୍ବାଦିକମାନେ ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଗକୁ ଅଧିବେଶନ ବସିବାକୁ ଥିବାବେଳେ ସେ ସାମ୍ବାଦିକମାନଙ୍କ ପରାମର୍ଶ ଗ୍ରହଣ କରି ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ସଂସଦରେ ଉପସ୍ଥାପନ କରିବେ ବୋଲି ସେ କହିଛନ୍ତି।

ସେ କହିଥିଲେ, ଡବଲ ଇଞ୍ଜିନ ସରକାର ପାଇଁ ରାଜ୍ୟରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି। ବିଜେପି ସରକାରରେ ଗତ ଦୁଇ ବର୍ଷ ହେବ ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ ହୋଇଯାଇଛି। ସରକାର ଦୁଇବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାବେଳେ ମିଛ ବିକାଶର ଡିଣ୍ଡିମ ପିଟୁଛନ୍ତି। ରାଜ୍ୟର ସମସ୍ତ ବର୍ଗର ଲୋକେ ଉପେକ୍ଷିତ ହେଉଛନ୍ତି।
ବୈଠକରେ ଗଣମାଧ୍ୟମ ପ୍ରତିନିଧିମାନେ ରାଜ୍ୟରେ ଖଣି, ପାଣି, ଜଙ୍ଗଲ ଜମି ସମସ୍ୟା, ମହାନଦୀ ଜଳ ବିବାଦର ସମାଧାନ, ବାତ୍ୟା ପ୍ରତିରୋଧ ଭିତ୍ତିଭୂମି ବିକାଶ, ଇସ୍କନର ଅଦିନିଆ ରଥଯାତ୍ରା ଉପରେ ପଦକ୍ଷେପ ନିଆଯିବା, ସାମ୍ବାଦିକଙ୍କ ସୁରକ୍ଷା, କଟକ ସହର ଓ ଭୁବନେଶ୍ୱରର ବିଭିନ୍ନ ସମସ୍ୟା ସହ ରାଜ୍ୟର ସବୁ ପରିବାରକୁ ରେସନ କାର୍ଡ଼ ଏବଂ ତାମିଲନାଡୁ ପରି ସମସ୍ତଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ଆଦି ପ୍ରସଙ୍ଗ ଉପରେ ଅବଗତ କରିଥିଲେ।
କାର୍ଯ୍ୟକ୍ରମରେ ବିଜେଡି ମୁଖପାତ୍ର ଡ. ଲେଲିନ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ତୁମ୍ବନାଥ ପଣ୍ଡା, ମିହିର ରାୟ, ନାରାୟଣ ଜେନା, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ଈପସିତା ସାହୁ, ନନ୍ଦଲାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ।