-ଓଡ଼ିଶାରେ ଟାରଗେଟେଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ
-ତାମିଲନାଡୁରେ ୟୁନିଭର୍ସାଲ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ
-ରାଜ୍ୟର ଜନସଂଖ୍ୟା-୪କୋଟି ୮୮ ଲକ୍ଷ ୪୦ ହଜାର
-ମୁଣ୍ଡପିଛା ୧୦କେଜି ମାଗଣା ଚାଉଳ ପାଇବେ ୩ କୋଟି ୨୮ ଲକ୍ଷ ୫୨ ହଜାର
-ପାଉନାହାନ୍ତି ୧କୋଟି ୫୯ ଲକ୍ଷ ୮୮ ହଜାର
ଭୁବନେଶ୍ୱର:୪/୪-ରାଜ୍ୟରେ ଖାଉଟିଙ୍କୁ ତାଙ୍କ ଆବଶ୍ୟକତା ଅନୁଯାୟୀ ଚାଉଳ ଉପଲବ୍ଧ କରାଇ ଖାଦ୍ୟ ସୁରକ୍ଷାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ୨୦୨୬-୨୭ ଆର୍ôଥକବର୍ଷ ପାଇଁ ରାଜ୍ୟ ସରକାର ଏକ ନୂତନ ଯୋଜନା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ମାଧ୍ୟମରେ ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ ତଥା ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ ଅଧିନସ୍ଥ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ କୋଟା ବଣ୍ଟନ କରିବା ପାଇଁ ସ୍ଥିର କରିଛନ୍ତି। ଏହା କ୍ୟାବିନେଟର ଅନୁମୋଦନ ପାଇଛିି। ଏହି ଯୋଜନା ମାଧ୍ୟମରେ ରାଜ୍ୟର ଟାରଗେଟେଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ଅଧିନସ୍ଥ ସମସ୍ତ ହିତାଧିକାରୀ ପରିବାର ପାଇଁ ସେମାନଙ୍କ ମାସିକ ନିୟମିତ ଧାର୍ଯ୍ୟ ଚାଉଳ କୋଟା ବ୍ୟତୀତ ମୁଣ୍ଡପିଛା ମାସିକ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ମାଗଣାରେ ବଣ୍ଟନ କରାଯିବ।
ବିଜେପି ସରକାର କ୍ଷମତାକୁ ଆସିଲେ। ଲୋକଙ୍କ ଧାରଣା ଥିଲା ସରକାର ଯେଉଁ ପଦକ୍ଷେପ ନେବେ ତାହା ସମସ୍ତଙ୍କ ପାଇଁ ମଙ୍ଗଳକାରୀ ହେବ। ମାଗଣା ଚାଉଳ ବଣ୍ଟନ କ୍ଷେତ୍ରରେ କୌଣସି ସଂସ୍କାର ହେଲାନାହିଁ। ରାଜ୍ୟର ଟାରଗେଟେଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ରହିଲା। ଏହାକୁ ତାମିଲନାଡୁ ରାଜ୍ୟ ପରି ୟୁନିଭର୍ସାଲ ପବ୍ଲିକ ଡିଷ୍ଟ୍ରିବ୍ରୁସନ ସିଷ୍ଟମ କରାଯାଇ ପାରିଲା ନାହିଁ। ତାମିଲନାଡୁରେ ସବୁ ପରିବାର ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁବିଧା ପାଉଥିବା ବେଳେ ଓଡ଼ିଶାରେ ୧କୋଟି ୫୯ ଲକ୍ଷ ୮୮ ହଜାର ଏହି ଯୋଜନାରୁ ବଞ୍ôଚତ ରହିଛନ୍ତି।
ରାଜ୍ୟରେ ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଥିବା ୯୭ ଲକ୍ଷ ୯୭ ହଜାର ୫୭୨ ପରିବାରର ୩ କୋଟି ୨୨ ଲକ୍ଷ ୮୯ ହଜାର ୬୯୨ ସଦସ୍ୟ ଉପକୃତ ହେଉଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୨ ଲକ୍ଷ ୯୮ ହଜାର ୭୨୫ ପରିବାରର ୫ ଲକ୍ଷ ୬୨ ହଜାର ୭୩୭ ସଦସ୍ୟ ଉପକୃତ ହେଉଛନ୍ତି। ଉଭୟ ଯୋଜନାରେ ସମୁଦାୟ ୧ କୋଟି ୯୬ ହଜାର ୨୯୭ ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ୪୨୯ ସଦସ୍ୟ ଉପକୃତ ହେଉଛନ୍ତି। ଏହି ସମସ୍ତ ହିତାଧିକାରୀ ବର୍ତ୍ତମାନ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ସୁବିଧା ପାଇବେ। ରାଜ୍ୟର ଜନସଂଖ୍ୟା-୪କୋଟି ୮୮ ଲକ୍ଷ ୪୦ ହଜାର, ମୁଣ୍ଡପିଛା ୧୦କେଜି ମାଗଣା ଚାଉଳ ପାଇବେ ୩ କୋଟି ୨୮ ଲକ୍ଷ ୫୨ ହଜାର, ବଳକା ରହିଲେ୧କୋଟି ୫୯ ଲକ୍ଷ ୮୮ ହଜାର।

ପାଉନଥିବା ଲୋକମାନେ ସମସ୍ତେ କୋଟିପତି ନୁହନ୍ତି। ଏମାନଙ୍କ ଭିତରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ଦୁଇବେଳା ଠିକ୍ ଭାବେ ଖାଇବାକୁ ପାଆନ୍ତିନି। ଖୋଲା ବଜାରରୁ କେଜି ୪୦ରୁ ୬୦ଟଙ୍କା ଦେଇ ଚାଉଳ କିଣନ୍ତି। ଏସବୁର ଅନୁଧ୍ୟାନ କରାଯିବା ନେଇ ପଦକ୍ଷେପ ନିଆଯାଉନି। ଫଳରେ ଅନେକ ଲୋକ ମାଗଣା ଚାଉଳ ପାଉଛନ୍ତି, କିଛି ବଞ୍ôଚତ ହେଉଛନ୍ତି। ବଞ୍ôଚତ ଲୋକମାନଙ୍କ ମଧ୍ୟରୁ ଚାଉଳର ନିହାତି ଆବଶ୍ୟକତା ଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଯୋଜନା ଅନ୍ତର୍ଭୁକ୍ତ କରିବା ସରକାରଙ୍କ କାମ। ଏହା ନକରି ନୂଆ ଯୋଜନା କାର୍ଯ୍ୟକାରୀ କରିବା ଏବଂ ମାଗଣାରେ ଚାଉଳ ଉପରେ ଚାଉଳ ବାଣ୍ଟିବା ଦ୍ୱାରା ସରକାର ଆଉ ଏକ ଗୋଷ୍ଠୀ ପ୍ରତି ଅନ୍ୟାୟ କରୁଥିବା ଅନୁମାନ କରାଯାଉଛି। ରାଜ୍ୟରେ ବିଜେପି ସରକାର ୟୁନିଭର୍ସାଲ ପବ୍ଲିକ ଡିଷ୍ଟ୍ରିବ୍ରୁସନ ସିଷ୍ଟମ କାର୍ଯ୍ୟକାରୀ କରିବା ନେଇ ଦାବି ହେବାରେ ଲାଗିଛି।
ନୂଆ ଯୋଜନାରେ ମାସିକ ହାରାହାରି ୧.୬୪ ଲକ୍ଷ ମେଟ୍ରିକ ଟନ ହିସାବରେ ବାର୍ଷିକ ହାରାହାରି ୧୯.୭୧ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟର ଟାରଗେଟେଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ ଅଧିନସ୍ଥ ହିତାଧିକାରୀମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ମାଧ୍ୟମରେ ଦେୟମୁକ୍ତ ଚାଉଳ ବଣ୍ଟନ କରାଯିବ। ଏହି ବାବଦରେ ଆକଳନ କରାଯାଇଥିବା ମାସିକ ଖର୍ଚ୍ଚ ହାରାହାରି ୭୩୪ କୋଟି ଟଙ୍କା ହାରରେ ବାର୍ଷିକ ବ୍ୟୟ ବରାଦ ୮,୮୧୩ କୋଟି ଟଙ୍କା ଆର୍ôଥକବର୍ଷ ୨୦୨୬-୨୭ ପାଇଁ କରାଯିବାର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାଦ୍ୱାରା ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ସୁଦୃଢ଼ ହୋଇପାରିବ ବୋଲି ସରକାର କହୁଛନ୍ତି।