ଏ ସମଗ୍ର ଅଞ୍ଚଳକୁ ବିକାଶ ଓ ସମୃଦ୍ଧିର ପ୍ରୟୋଗଶାଳା କରାଯିବ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୭/୨-ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ(ବିସିପିପିଇଆର) ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୀତିଆୟୋଗର ସଦସ୍ୟ ରାଜୀବ ଗୌବା ଏବଂ ସିଇଓ ବି.ଭି.ଆର. ସୁବ୍ରମଣ୍ୟମ ଯୋଗଦେଇଥିଲେ। ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଅର୍ଥନୈତିକ ଯୋଜନାକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ, ବିସିପିପିଇଆର ଅଞ୍ଚଳକୁ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ଏକ କେନ୍ଦ୍ରସ୍ଥଳ ଭାବେ ବିକଶିତ କରାଯିବ। ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏହି ଅଞ୍ଚଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଭାରତର ଅଭିବୃଦ୍ଧିର ଆକାଶରେ ଏହା ଏକ ନୂତନ ତାରକା ଭଳି ଦୃଶ୍ୟମାନ ହେବ।

ଏହି ଅଞ୍ଚଳର ସବୁ ସହରର କିଛି ନା କିଛି ନିଜସ୍ୱ ସାମର୍ଥ୍ୟ ଓ ସ୍ୱତନ୍ତ୍ରତା ରହିଛି। ଯେପରିକି ଟେକ୍ନୋଲୋଜି କ୍ଷେତ୍ରରେ ଭୁବନେଶ୍ୱର, ବିଜନେସ୍ ପରମ୍ପରାରେ କଟକ, ସାଂସ୍କୃତିକ ଗରିମାରେ ପୁରୀ ଓ ବନ୍ଦର ଭିତ୍ତିକ ବିକାଶରେ ପାରାଦୀପ। ବର୍ତ୍ତମାନ ଆମର ପରିକଳ୍ପନା ହେଉଛି, ଏହି ଅଞ୍ଚଳ ଗୁଡିକୁ ଆଧୁନିକ ଭିତ୍ତିଭୂମି ସହିତ ଯୋଡାଯିବ ଏବଂ ପ୍ରତ୍ୟେକ ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରକଳ୍ପ କରାଯିବ। ମେଟାଲ ଡାଉନଷ୍ଟ୍ରିମ୍, ବାୟୋଟେକ୍, ଟେକ୍ସଟାଇଲ୍, କେମିକାଲ୍ସ, ପର୍ଯ୍ୟଟନ, ଶିକ୍ଷା ଓ ଆଇ.ଟି ପରି ୮୦ରୁ ଅଧିକ ପ୍ରକଳ୍ପର ଯୋଜନା କରାଯାଇଛି। ଏହା ସହିତ ୩୦ରୁ ଅଧିକ ପଲିସି ଇନିସିଏଟିଭ ନିଆଯାଇ ଏ ସମଗ୍ର ଅଞ୍ଚଳକୁ ବିକାଶ ଓ ସମୃଦ୍ଧିର ପ୍ରୟୋଗଶାଳା କରାଯିବ।
୨୦୨୬-୨୭ ବଜେଟରେ କେନ୍ଦ୍ର ସରକାର ସିଟି ଇକୋନୋମିକ ରିଜିଅନର ପରିକଳ୍ପନା କରିଛନ୍ତି। ଏଥିରେ ବିସିପିପିଇଆର ରିଜିଅନ ମଧ୍ୟ ସ୍ଥାନ ପାଇଛି। ପ୍ରତ୍ୟେକ ସିଇଆରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ହଜାର କୋଟି ଟଙ୍କାର ପ୍ରାବଧାନ ରଖାଯାଇଛି।
ବର୍ତ୍ତମାନ ଏହି ଅଞ୍ଚଳର ଅର୍ଥନୀତି ସାରା ଓଡିଶାର ଅର୍ଥନୀତିର ୧୯ ପ୍ରତିଶତ। ୨୦୨୫ ସୁଦ୍ଧା ଏହି ଅଞ୍ଚଳର ଅର୍ଥନୀତିର ଆକାର ୨୨.୪ ବିଲିଅନ ଡଲାର ଅଛି। ୨୦୪୭ ସୁଦ୍ଧା ଏହାକୁ ୫୦୦ ବିଲିଅନ ଡଲାର କରିବାର ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଆଜିର ଏହି ଯୋଜନା ଓଡିଶାର ଭବିଷ୍ୟତ ନିର୍ମାଣରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।