ଚାଷୀ ସୁରକ୍ଷା ସମାବେଶରେ ବିରୋଧୀଦଳ ନେତା
ଭୁବନେଶ୍ୱର:୨୪/୨-ରାଜ୍ୟରେ ଧାନ ସଂଗ୍ରହକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ସହ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜଧାନୀର ଲୋୟର ପିଏମଜି ଠାରେ ଏକ ବିଶାଳ ବିକ୍ଷୋଭ ଆୟୋଜନ କରି ବିଜୁ ଜନତା ଦଳ ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି। ରାଜ୍ୟର ପ୍ରତି ନିର୍ବାଚନମଣ୍ଡଳୀରୁ ହଜାର ହଜାର କର୍ମୀ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଦଳର ସମସ୍ତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବିଜେପି ସରକାରଙ୍କ ବିଫଳତାକୁ ଗୋଟି ଗୋଟି କରି ବଖାଣିଥିଲେ। ସେ କହିଥିଲେ, ଏ ସରକାର ସ୍ଲୋଗାନ ଦେଉଛି ଜୟ କିଷାନ କିନ୍ତୁ କାମରେ ଭାଗୋ କିଷାନ, ସରକାର କାହାଣୀରେ ଚାଲେନି, କାମ ଦରକାର। ଲୋକ ସେବା ଚାହାଁନ୍ତି ନେତାଙ୍କ ପ୍ରବଚନ ନୁହେଁ। ଚାଷୀଙ୍କ ସମସ୍ୟା ସମାଧାନ ନ କଲେ, ବିଜେଡିଏ ସରକାରର କୁମ୍ଭକର୍ଣ୍ଣ ନିଦ ହଜେଇ ଦେବ ବୋଲି ସେ କହିଥିଲେ।

ନବୀନ କହିଥିଲେ, ଖୁବ ଶୀଘ୍ର ଏ ସରକାର ଦୁଇବର୍ଷ ପୂରଣ କରିବ। ଏ ସରକାର ନା ଠିକ୍ ନିଷ୍ପତ୍ତି ନେଇ ପାରୁଛନ୍ତି ନା କାର୍ଯ୍ୟକାରୀ କରି ପାରୁଛନ୍ତି। ନିର୍ବାଚନ ବେଳେ ବହୁତ ବଡ଼ ବଡ଼ କଥା କହୁଥିଲେ। ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କିଛି ମିଳିଲାନି। ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରିଥିଲା। କାଳିଆ ଯୋଜନା କରିଥିଲା। ଋଣ ସୁବିଧା କରିଥିଲା। ଜଳସେଚନ ସୁବିଧା କରିଥିଲା। କିନ୍ତୁ ଏ ଡବଲ ଇଞ୍ଜିନ ସରକାର କରିଛି କଣ ବୋଲି ସେ ପ୍ରଶ୍ନ କରିଥିଲେ। ଚାଷୀକୁ ସାର ମିଳିଲାନି। ଧାନ ବି ସରକାର କିଣୁନି। କଟନୀ ଛଟନୀ ବଢ଼ି ଚାଲିଛି। ଚାଷୀ ଠିକ ସମୟରେ ପଇସା ପାଉନି। ଅଭିଯୋଗ କଲେ ଚାଷୀ ମିଛ କହୁଛି ବୋଲି ସରକାର କହୁଛନ୍ତି।

ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କୁ ମୁଁ ଚିଠି ଲେଖିଥିଲି। ନିର୍ବାଚନ ପ୍ରତିଶ୍ରୁତି ଆନ୍ତରିକତା ସହ ପାଳନ କରିବାକୁ ଅନୁରୋଧ କରିଥିଲି। ପ୍ରସ୍ତାବ ଦେଇଥିଲି, କଟନୀ ଛଟନୀ ବନ୍ଦ ପାଇଁ ସ୍ପେଶାଲ ସ୍କ୍ୱାଡ କର। ମିଲର ଓ ସରକାରୀ ଅଫିସରଙ୍କ ଅସାଧୁ ମେଣ୍ଟ ଭାଙ୍ଗ। ଇନପୁଟ ସବସିଡରୁ ୧୫୦କ୍ୱିଣ୍ଟାଲ ସିଲିଂ ଉଠାଅ। ୪୮ ଘଣ୍ଟାରେ ଡିବିଟିରେ ଚାଷୀ କୁ ପଇସା ଦିଅ। ଖୋଲାରେ ପଡ଼ିଥିବା ଧାନକୁ ୭୨ ଘଣ୍ଟାରେ କିଣାଯାଉ। ଦୁଃଖର କଥା ୧୫ ଦିନ ବିତିଗଲା କିନ୍ତୁ କିଛି ହେଲାନି। ପ୍ରଚାରରେ ଶହ ଶହ କୋଟି ଖର୍ଚ୍ଚ ହେଉଛି କିନ୍ତୁ ଚାଷୀଙ୍କ ପାଇଁ ନାହିଁ? ଗତ ଆଠ ଦିନ ହେଲା ଚାଷୀଙ୍କ ସମସ୍ୟା ପାଇଁ ବିଜେଡି ବିଧାନସଭାରେ ଲଢୁଛି, କିନ୍ତୁ ଏ ସରକାରର ଚାଷୀ ପ୍ରତି ଖାତିର ହିଁ ନାହିଁ। ସ୍ଲୋଗାନରେ ଜୟ କିଷାନ, କିନ୍ତୁ କାମ ରେ ଭାଗୋ କିଷାନ।

ଆଇନ ଶୃଙ୍ଖଳା କଥା ନ କହିବା ଭଲ। ଏ ରାଜ୍ୟରେ କେହିବି ନିରାପଦ ନୁହନ୍ତି। ଚାଷୀ ତାର ହକ ପାଉନି। ମା ମାନଙ୍କୁ ସୁରକ୍ଷା ମିଳୁନି। ଯୁବ ସମାଜକୁ ରୋଜଗାର ମିଳୁନି। ସବୁ ପ୍ରଶ୍ନପତ୍ର ଲିକ ହେଉଛି। ସାଧାରଣ ଲୋକର ଦୁଃଖ ସରୁନି। ତେବେ ଏ ସରକାର କରୁଛି କଣ ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ, ଲୋକଙ୍କୁ ସେବା ଦରକାର, ନେତାଙ୍କ ପ୍ରବଚନ ନୁହେଁ। କାହାଣୀରେ ସରକାର ଚାଲେନି, କାମ ଦରକାର। ବିଜୁ ଜନତା ଦଳ ଚାଷୀଙ୍କ ହକ୍ ପାଇଁ ଲଢେଇ ଜାରି ରଖିବ ଆଉ ସରକାରଙ୍କର କୁମ୍ଭକର୍ଣ ନିଦ ହଜେଇ ଦେବ ବୋଲି ସେ ପ୍ରକାଶ କରିଥିଲେ।