ଭୁବନେଶ୍ୱର:୧୪/୨-ଓଡ଼ିଶା ଅମଲା ସଂଘ ପକ୍ଷରୁ ଦୀର୍ଘଦିନ ଧରି ହୋଇ ଆସୁଥିବା ତିନିଦଫା ଦାବି ଯଥାର୍ଥ। ଏହା ଉପରେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଯଥାଯଥ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସଂଘ କାର୍ଯ୍ୟକର୍ତ୍ତାଙ୍କୁ ପ୍ରତିଶୃତି ଦେଇଛନ୍ତି।


ଶନିବାର ଭୁବନେଶ୍ୱର ରେଡକ୍ରସ ଭବନରେ ଓଡ଼ିଶା ଅମଲା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦାବି ପୂରଣ କରାଯାଉନଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ସାମଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନେ କହିଥିଲେ, ୨୦୧୭ ମସିହାରେ ସରକାର କନିଷ୍ଠ ସହାୟକମାନଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକରୁ ସ୍ନାତ୍ତକକୁ ବଢ଼ାଇବା ସହ କମ୍ପ୍ୟୁଟରରେ ଦକ୍ଷତା ଥିବା ଆବଶ୍ୟକ ବୋଲି ନିୟମ କରିଛନ୍ତି। କନିଷ୍ଠ ସହାୟକମାନଙ୍କ ଯୋଗ୍ୟତା ବଦଳିଛି କିନ୍ତୁ ନୂତନ ଯୋଗ୍ୟତା ଆଧାରରେ ଗ୍ରେଡ଼ ପେ ଦିଆଯାଉନାହିଁ। ସେମାନେ ପୂର୍ବରୁ ଯେଉଁ ୧୯୦୦ଟଙ୍କା ଗ୍ରେଡ଼ ପେ ପାଉଥିଲେ ତାହା ପାଉଛନ୍ତି। ଏହାକୁ ୪୨୦୦ଟଙ୍କାକୁ ବୃଦ୍ଧି କରିବା ଦାବି ଉପରେ ସରକାର ପଦକ୍ଷେପ ନେଇ ନାହାନ୍ତି। ଫଳରେ ରାଜ୍ୟରେ କାର୍ଯ୍ୟରତ କନିଷ୍ଠ ସହାୟକମାନେ ବେତନରେ ତାରତମ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି।




ସେହିପରି ୨୦୧୯ ମସିହାରେ ତତ୍କାଳୀନ ସରକାର ଅମଲାଙ୍କ କ୍ୟାଡର ପୁନର୍ଗଠନ ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ସାଧାରଣ ପ୍ରଶାସନ ବିଭାଗ ଏହି ବିଜ୍ଞପ୍ତି ପ୍ରକାଶ କରିଥିଲା। ଏଥିରେ ଅମଲାଙ୍କ ମୂଳ ପଦବୀ ଯେତିକି ତା’ର ୪୮ ପ୍ରତିଶତ ସିନିୟର ଆସିଷ୍ଟାଣ୍ଟ ହେବେ। ୧୨ ପ୍ରତିଶତ ସ୍କେକ୍ସନ ଅଫିସର ରହିବେ, ୪ ପ୍ରତିଶତ ଏଷ୍ଟାବ୍ଲିସମେଣ୍ଟ ଅଫିସର ଓ .୫ ପ୍ରତିଶତ ସିନିୟର ଏଷ୍ଟାବ୍ଲିସମେଣ୍ଟ ଅଫିସରଙ୍କ ପାଇଁ ରଖାଯିବ ବୋଲି କୁହାଯାଇଥିଲା। ଯାହା ଆଜି ପର୍ଯ୍ୟନ୍ତ ହୋଇପାରିନି। ୨୦୨୪ ମସିହା ମାର୍ଚ୍ଚ ମାସରେ ସରକାର ପ୍ରତି ବିଭାଗ ପାଇଁ କ୍ୟାଡ଼ର ନିୟମ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେବା ଫଳରେ କିଛି ବିଭାଗର କର୍ମଚାରୀ ଏହାର ସୁବିଧା ପାଇଲେ କିନ୍ତୁ ଅନେକ ବିଭାଗର ଅମଲା ସୁଫଳ ପାଇଲେ ନାହିଁ। ରାଜ୍ୟର ଅମଲାଙ୍କ ପାଇଁ ୨୦୧୯ ମସିହାର କ୍ୟାଡ଼ର ପୁନର୍ଗଠନ ବିଜ୍ଞପ୍ତି କାର୍ଯ୍ୟକାରୀ କରିବାକୁ ସେମାନେ ଦାବି କରି ଆସୁଛନ୍ତି। ଦୀର୍ଘବର୍ଷ କାର୍ଯ୍ୟକରି ବହୁ ସଂଖ୍ୟକ ଅମଲା ପଦୋନ୍ନତି ସୁବିଧା ସହ ଉପଯୁକ୍ତ ବେତନରୁ ବଞ୍ଚିତ ରହୁଛନ୍ତି।


ତୃତୀୟ ଦାବି ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ପ୍ରସଙ୍ଗ।୧୯୪୩ ମସିହାରେ ଓଡ଼ିଶା ଅମଲା ସଂଘ ପଞ୍ଜିକୃତ ହୋଇଥିଲା। ବିଭିନ୍ନ ସମୟରେ ଦାବି ସତ୍ତ୍ୱେ ସଂଘ କାର୍ଯ୍ୟାଳୟ ପାଇଁ ଭୁବନେଶ୍ୱରରେ ସରକାରୀ କ୍ୱାର୍ଟର କିମ୍ବା ଜାଗା ଖଣ୍ଡେ ମିଳିପାରି ନାହିଁ। ଏସବୁ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ସହ ଶ୍ରୀ ସାମଲ ଆଲୋଚନା କରିବେ ବୋଲି କହିଛନ୍ତି।
ବୈଠକରେ ସଭାପତିତ୍ୱ କରିଥିଲେ ରାଜ୍ୟ ସଭାପତି ଜ୍ଞାନ ରଞ୍ଜନ ଦାସ। ସଂଘର ମୁଖ୍ୟ ପୃଷ୍ଠପୋଷକ ପ୍ରସନ୍ନ କୁମାର ତ୍ରିପାଠୀ, ମୁଖ୍ୟ ପରାମର୍ଶଦାତା ନାରାୟଣ ଦାସ, ଅଧକ୍ଷ ହୃଦୟ ବିହାରୀ ମହାପାତ୍ର, କାର୍ଯକାରୀ ସଭାପତି ଦେବେନ୍ଦ୍ରନାଥ ପାତ୍ର, ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ତରାସିଆ, ସଙ୍ଗଠନ ସମ୍ପାଦକ ଅରୁଣ କୁମାର ବଳିଆର ସିଂହ, ସଂଯୋଜନା କମିଟି ଅଧକ୍ଷ ଅଶୋକ କୁମାର ପଣ୍ଡାଙ୍କ ସମେତ ରାଜ୍ୟ ସଂଘର ସମସ୍ତ ଜିଲ୍ଲାର ପ୍ରତିନିଧି ଯୋଗ ଦେଇଥିଲେ। ବେଠକରେ ମୁଖ୍ୟ ଅତିଥି ଶ୍ରୀ ସାମଲଙ୍କୁ ତିନିଦଫା ସମ୍ବଳିିତ ଦାବିପତ୍ର ଦିଆଯାଇଥିଲା।