ଭୁବନେଶ୍ୱର: ୨/୨ – ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ କାର୍ଯ୍ୟକ୍ରମ। ବରିଷ୍ଠ ରାଜନେତା ତଥା ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ରଚିତ ଜୀବନଧର୍ମୀ ପୁସ୍ତକ ପୀଡ଼ା ଓ ସୁଗମ ସଙ୍ଗୀତ ଶୀତୁଆ ସନ୍ଧ୍ୟାର ଲୋକାର୍ପଣ କରାଯାଇଛି। ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ଶିକ୍ଷାବିତ୍ ତଥା ସାରସ୍ଵତ ସାଧକ ମନୋରଞ୍ଜନ ସାହୁ ଏବଂ ମହାନ ଚଇତି ନୃତ୍ୟ ଗୁରୁ ପଦ୍ମଶ୍ରୀ ଡଃ ଉତ୍ସବ ଚରଣ ଦାସ।

ଚିରାଚରିତ ଭିଡରୁ ବାହାରି କିଛି ଭିନ୍ନ କରିବାର ଝୁଙ୍କ ଅରୁଣଙ୍କୁ ଏକ ନିଆରା ପରିଚୟ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମର ସ୍ଵତନ୍ତ୍ରତା ଥିଲା ଏହା ସନ୍ଧ୍ୟା ୬ଟା ୧୮ମିନିଟରୁ ଆରମ୍ଭ ହୋଇ ୭ଟା ୩୮ମିନିଟରେ ସମାପ୍ତ ହୋଇଥିଲା। ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଜୋରଧରିଛି। ସବୁବେଳେ ସମୟାନୁବର୍ତ୍ତିତାର ବାର୍ତ୍ତା ଦେଉଥିବା ଅରୁଣ ଏହି ସଭା ମାଧ୍ୟମରେ ଏହାକୁ ପୁଣିଥରେ ପ୍ରମାଣିତ କରିଛନ୍ତି। ଦୁଃସ୍ଥ, ଅସହାୟ, ନୋଚାଲାଖିର ଜୀବନକୁ ଭିନ୍ନ ଏକ ଢଙ୍ଗରେ ପରିବେଷଣ କରି ପୀଡ଼ା ପୁସ୍ତକକୁ ଜୀବନଧର୍ମୀ କରିଛନ୍ତି ଡଃ ଅରୁଣ କୁମାର ସାହୁ। ଦ୍ୱେଷ, ଅସୂୟା, ନକାରାତ୍ମକତାରୁ ଊର୍ଧ୍ୱକୁ ଉଠି ଦୃଢ଼ ମାନବବାଦର ଏକ ଦୃଢ଼ ପ୍ରତୀକ ଭାବେ ଉଭା ହୋଇଛି ଏହି ପୁସ୍ତକ।











ସେହିପରି ବେହାଲ ବର୍ଷା ସଙ୍ଗୀତର ଅହେତୁକ ସଫଳତା ପରେ ଅରୁଣଙ୍କ କଲମରୁ ଝରି ଆସିଛି ଶୀତୁଆ ସନ୍ଧ୍ୟା। ଯାହାକୁ ସଙ୍ଗୀତରେ ସଜେଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଓ ଗାଇଛନ୍ତି ଉଦୀୟମାନ ଯୁବ କଣ୍ଠଶିଳ୍ପୀ ଚିରାଗଦୀପ ।

ପ୍ରାୟ ଦୁଇ ହଜାରରୁ ଅଧିକ ଦର୍ଶକଙ୍କ ଉପସ୍ଥିତିରେ ଏହି ଉତ୍ସବ ସଫଳ ଭାବେ ଶେଷ ହୋଇଛି। ଏଥିପାଇଁ ସବୁ ମହଲରୁ ଡଃ ଅରୁଣ ସାହୁଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଉପସ୍ଥାପକ ଅଂଶୁମାନ ଜେନା ଏହି ସଫଳ ଉତ୍ସବର ସଞ୍ଚାଳନ କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ।