ବିଜୟାନନ୍ଦଙ୍କ ‘ଅଶେଷ ଅନୁରାଗ’ ଉନ୍ମୋଚିତ
ଭୁବନେଶ୍ୱର:୨୩/୫-‘ଓଡ଼ିଶା ବୁକ୍ ଷ୍ଟୋର୍’ ଦ୍ୱାରା ପ୍ରକାଶିତ ଓ ଗାଳ୍ପିକ ବିଜୟାନନ୍ଦ ସିଂହଙ୍କ ରଚିତ ପଞ୍ଚମ ଗଳ୍ପ ସଂକଳନ ‘ଅଶେଷ ଅନୁରାଗ’କୁ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୁକ୍ରବାର ସଂଧ୍ୟାରେ ଉନ୍ମୋଚନ କରିଛନ୍ତିି।

ଉତ୍ସବରେ ଶ୍ରୀ ହରିଚନ୍ଦନ ଆଜିର ଗଳ୍ପ ଗୁଡ଼ିକୁ ସମାଜନିଷ୍ଠ ଅନୁଭବର ପ୍ରତିଲିପି ବୋଲି ଅଭିହିତ କରିଥିଲେ। ଅଶେଷ ଅନୁରାଗରେ ସ୍ଥାନିତ ଗଳ୍ପଗୁଡ଼ିକ ସମ୍ବେଦନଶୀଳ ଦୃଷ୍ଟିଭଙ୍ଗିରେ ରଚିତ ହୋଇଥିବାରୁ ତାହା ପାଠକକୁ ଗଳ୍ପ ପ୍ରତି ଆକୃଷ୍ଟ କରିବ ବୋଲି ଶ୍ରୀ ହରିଚନ୍ଦନ ଆଶା ପ୍ରକାଶ କରିଥିଲେ। ବିଶିଷ୍ଟ ଅତିଥି ଭାବରେ ସୁପ୍ରଭା ହରିଚନ୍ଦନ ଉତ୍ସବରେ ଉପସ୍ଥିତ ରହି ଲେଖକଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଗଳ୍ପଗ୍ରନ୍ଥ ପାଠକୀୟ ଆଦୃତି ଲାଭକରି ଉଚ୍ଚ ପ୍ରଶଂସିତ ହେବ ବୋଲି କହିଥିଲେ। ବିଶିଷ୍ଟ ସାହିତ୍ୟିକ ତଥା ଗାଳ୍ପିକ ଗୌରହରି ଦାସ ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡକ୍ଟର ସିଂହଙ୍କ ରଚିତ ପ୍ରବନ୍ଧ, ସମାଲୋଚନା ଓ ଅନ୍ୟାନ୍ୟ ରଚନା ବ୍ୟତୀତ ତାଙ୍କର ଗଳ୍ପ ସମ୍ଭାର ସମାଜକୁ ନୂତନ ଦିଗ୍ଦର୍ଶନ ଦେବାକୁ ସମର୍ଥ ବୋଲି କହିଥିଲେ। ପ୍ରଫେସର ବିଜୟ କୁମାର ଶତପଥୀ ସଂକଳନରେ ସ୍ଥାନ ପାଇଥିବା ଗଳ୍ପ ଗୁଡ଼ିକର କଳାତ୍ମକ ସ୍ୱାତନ୍ତ୍ର୍ୟ ରହିଛି ବୋଲି ପ୍ରକାଶ କରିଥିଲେ।
ପ୍ରାରମ୍ଭରେ ଅଧ୍ୟାପକ କମଳ ମାହୁନ୍ତ ପୁସ୍ତକ ଉନ୍ମୋଚନ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଗାଳ୍ପିକ ଡକ୍ଟର ସିଂହ ତାଙ୍କର ସ୍ୱକୀୟ ଅନୁଭୂତି ପ୍ରଦାନ କରିଥିଲେ। ପରିଶେଷରେ ପ୍ରକାଶକ ଇଂ ସାର୍ଥକ ଶଙ୍କର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କବି ସୁଶିର କୁମାର ସ୍ୱାଇଁ ଉକ୍ତ ଉନ୍ମୋଚନ ଆସରକୁ ପରିଚାଳନ କରିଥିଲେ।