ଭୁବନେଶ୍ୱର:୧୫/୩-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପାରାଦୀପରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ବୃହତ ଶିଳ୍ପ ପ୍ରତିଷ୍ଠା ସଂପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଆଗାମୀ ଦିନରେ ପାରାଦୀପ ଭାରତର ଏକ ବଡ ଇକୋନୋମିକ ଜୋନ ହେବାକୁ ଯାଉଛି ବୋଲି ମତ ଦେଇ ଏହି ଅଞ୍ଚଳରେ ସ୍ଥାପିତ ହେବାକୁ ଥିବା ସମସ୍ତ ଭିତ୍ତିଭୂମି ଓ ଶିଳ୍ପ ପ୍ରକଳ୍ପଗୁଡ଼ିକ ଯେପରି ତୁରନ୍ତ ଆରମ୍ଭ ହେବ ସେଥିପାଇଁ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ପାରାଦ୍ୱୀପ ପୋର୍ଟର ସମ୍ପ୍ରସାରଣ, ଜାହାଜ ନିର୍ମାଣ ଓ ମରାମତି କାରଖାନା, ବନ୍ଦର ବିକାଶ ପାଇଁ ଆବଶ୍ୟକ ବିଭିନ୍ନ ପ୍ରକଳ୍ପ ଓ ବିକଶିତ ହେବାକୁ ଥିବା ଶିଳ୍ପାନୁଷ୍ଠାନ ବିଷୟରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଭୁବନେଶ୍ୱର-କଟକ- ପୁରୀ-ପାରାଦୀପ ଇକୋନୋମିକ ରିଜନ ସମେତ ବିଭିନ୍ନ ପ୍ରକଳ୍ପର ସମୀକ୍ଷା ସହ ପାରାଦ୍ୱୀପ ପେଟ୍ରୋ କେମିକାଲ ପ୍ରକଳ୍ପ, ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ରୋଜେକ୍ଟ ପ୍ରତିଷ୍ଠା ସହିତ ଏସବୁ ପ୍ରକଳ୍ପ ଗୁଡିକର ଭୁମି ଅଧିଗ୍ରହଣ ଠାରୁ ଆରମ୍ଭ କରି ବିଭିନ୍ନ ଅନୁମୋଦନ ଏବଂ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା।
ପଡିରହିଥିବା କାର୍ଯ୍ୟକୁ ଯଥାଶିଘ୍ର ସମାଧାନ କରି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କାମକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ଓ ଶିଳ୍ପାନୁଷ୍ଠାନର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଶିଳ୍ପାନୁଷ୍ଠାନରେ ଓଡ଼ିଶାର ଯୁବପିଢୀ ବିଶେଷ କରି ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେବାପାଇଁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଇଥିଲେ।
ଏହି ବୈଠକରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଜଗତସିଂପୁର ଜିଲ୍ଲାପାଳ ଜେ.ସୋନାଲ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ, ଆଇ ଓ ସି ଏଲ, ଜେ ଏସ ଡବ୍ଲୁ, ଏ ଏମ ଏନ୍ ଏସ ଇଣ୍ଡିଆର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।