‘ବିରୋଧି ଦଳର ଆଚରଣ ଅତ୍ୟନ୍ତ ନୈରାଶ୍ୟଜନକ’
ଭୁବନେଶ୍ୱର:୧୯/୨-ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନର ପ୍ରଥମ ଦିନ ଫେବୃଆରୀ ୧୭ ତାରିଖରେ ରାଜ୍ୟପାଳ ବିଧାନସଭାରେ ତାଙ୍କର ଅଭିଭାଷଣ ରଖିଥିଲେ। ରାଜ୍ୟପାଳ ଏକ ଭବିଷ୍ୟମୁଖୀ ଓ ଦୂରଦୃଷ୍ଟିସମ୍ପନ୍ନ ଅଭିଭାଷଣ ପ୍ରଦାନ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ପରମ୍ପରା ଅନୁସାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇଥାଏ। ଯେଉଁ ମଞ୍ଚକୁ ଉପଯୋଗ କରି ଉଭୟ ବିରୋଧୀ ଓ ଶାସକ ଦଳ ନିଜ ନିଜ ପକ୍ଷ ବିଧାନସଭାରେ ରଖିଥାନ୍ତି ଏବଂ ବିଧାନସଭା ମାଧ୍ୟମରେ ରାଜ୍ୟବାସୀଙ୍କୁ ଜଣାଇଥାନ୍ତି। ଏହି ଆଲୋଚନାରେ ବିରୋଧିଦଳ ଅନେକ ଗଠନମୂଳକ ମତାମତ ରାଜ୍ୟବାସୀଙ୍କ କଲ୍ୟାଣପାଇଁ ଦେଇ ଥାଆନ୍ତି, ଯାହାକୁ ସରକାର ଗୁରୁତର ସହିତ ବିଚାର କରି ନିଜ କାର୍ଯ୍ୟକ୍ରମରେ ଯୋଡି ଥାଆନ୍ତି।

କିନ୍ତୁ, ଦୁଃଖର ବିଷୟ ବିରୋଧିଦଳର ସଦସ୍ୟମାନେ ଆଲୋଚନାରେ ବିଶେଷ ଯୋଗଦାନ ନ ରଖି ପାଟିତୁଣ୍ଡ, ହୋ ହାଲ୍ଲା କରି ଗୃହକୁ ବାରମ୍ୱାର ଅଚଳ କରିଥିଲେ। ଗଣତାନ୍ତ୍ରିକ ପରମ୍ପରାରେ ବିରୋଧିଦଳର ପ୍ରଶ୍ନ ପଚାରିବାର ଅଧିକାର ଅଛି। କିନ୍ତୁ ଗତ ଦୁଇ ଦିନର କାର୍ଯ୍ୟକଳାପକୁ ଦେଖିଲେ ମନେ ହୁଏ ସେମାନେ ଲୋକଙ୍କ ସ୍ୱରକୁ ବିଧାନସଭାରେ ରଖିବାକୁ ଚାହୁଁ ନାହାନ୍ତି। ପରିତାପର ବିଷୟ ଯେ ବିରୋଧି ଦଳର ନେତାଙ୍କ ସହିତ ବିଭିନ୍ନ ବିରୋଧି ଦଳର ସଦସ୍ୟମାନେ ମଧ୍ୟ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ଚୁପ୍ଚାପ୍ କକ୍ଷତ୍ୟାଗ କରି ଚାଲିଗଲେ। ତେଣୁ ବିରୋଧି ଦଳର ଏହି ଆଚରଣ ଅତ୍ୟନ୍ତ ନୈରାଶ୍ୟଜନକ। ବିଧାନସଭାକୁ ହଟ୍ଟଗୋଳ କରି ବନ୍ଦ କରିଦେଲେ, ସାଧାରଣଲୋକଙ୍କ ଠାରୁ ମୁଖ୍ୟ ବିରୋଧିଦଳର ମାନ୍ୟତା ମିଳିଯିବ ନାହିଁ।
ରାଜ୍ୟପାଳ ଗୃହରେ ଉପସ୍ଥାପନ କରିଥିବା ଅଭିଭାଷଣକୁ ସେ ଏକ ଦୂରଦୃଷ୍ଟିସମ୍ପନ୍ନ, ଜନକଲ୍ୟାଣକାରୀ, ପ୍ରଗତିଶୀଳ, ବିକାଶୋନ୍ମୁଖୀ ଏବଂ ସଂସ୍କାରମୂଳକ ଅଭିଭାଷଣ ବୋଲି କହିଛନ୍ତି। ଏହି ଅଭିଭାଷଣରେ ରାଜ୍ୟକୁ ଏକ ସମୃଦ୍ଧ, ଶକ୍ତିଶାଳୀ ଏବଂ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସେ ରାଜ୍ୟ ସରକାରଙ୍କ ଭିଜନକୁ ଦର୍ଶାଇଛନ୍ତି। ଏହି ଦୂରଦୃଷ୍ଟି ସମ୍ପନ୍ନ ଅଭିଭାଷଣ ଆଗାମୀ ଦିନରେ ଆମ ରାଜ୍ୟ ପାଇଁ ଏକ ମାର୍ଗଦର୍ଶିକା ସଦୃଶ ହେବ। ଆମର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ଓଡିଶାକୁ ‘ସମୃଦ୍ଧ ଓଡିଶା’ ଏବଂ ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀଜୀଙ୍କ ପରିକଳ୍ପିତ ‘ବିକଶିତ ଭାରତ’ର ଗ୍ରୋଥ ଇଞ୍ଜିନ ହେବା। କେବଳ ଘୋଷଣା ନୁହେଁ, ଏଥିପାଇଁ ଏକ ସ୍ପଷ୍ଟ ଦିଶା ନିର୍ଦ୍ଦେଶ ସହ ରୋଡ ମ୍ୟାପ୍ ବି ମାନ୍ୟବର ରାଜ୍ୟପାଳ ଉଲ୍ଲେଖ କରିଛନ୍ତି। ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ୧୫୦୦ ବିଲିଅନ ଡଲାର ଅର୍ଥନୀତି ହାସଲ ଆମର ଲକ୍ଷ୍ୟ । ବର୍ଷକୁ ୯.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରି ୨୦୪୭ରେ ବାର୍ଷିକ ମୁଣ୍ଡପିଛା ଆୟ ୩୨ ଲକ୍ଷ ଟଙ୍କା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ବହୁମୂଖୀ ଦାରିଦ୍ର୍ୟ ହାର ୫ ପ୍ରତିଶତକୁ ଆଣିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ମୋଟାମୋଟି ଭାବେ ଏକ ସମୃଦ୍ଧ, ସଶକ୍ତ ଓ ସମାବେଶୀ ଓଡ଼ିଶା ଗଠନର ଅଭିବ୍ୟକ୍ତି ପ୍ରକାଶ ପାଇଛି।
ଯେଉଁ ଚାଷୀଙ୍କୁ ନେଇ ବିରୋଧୀଦଳ ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ଏତେ ତୁମ୍ବି ତୋଫାନ କରିଛନ୍ତି, ସେ ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ପଳାୟନପନ୍ଥୀ ନୁହେଁ, ବିରୋଧି ଦଳ ଯାହା ପ୍ରଶ୍ନ ପଚାରିବେ, ମୁଁ ତାର ଉତ୍ତର ଦେବି। ଏ କଥା ଓଡିଶାର ଜନସାଧାରଣ ତଥା ଗଣମାଧ୍ୟମ ବି ଜାଣିଛନ୍ତି। ମୁଁ ସେଇ ରାଜନେତା ନୁହେଁ, କେବଳ ନିଜ ଘର କିମ୍ବା ସଚିବାଳୟର ପାହାଚରେ ଧାଡିକିଆ ଉତ୍ତର ଦିଏ।
ଯେଉଁମାନେ ଆଜି ସରକାରଙ୍କ ଇନପୁଟ ସବସିଡି ବିଷୟରେ ପ୍ରଶ୍ନ ଉଠାଉଛନ୍ତି ସେମାନେ ବୋଧେ ଭୁଲି ଯାଉଛନ୍ତି ସେମାନେ ବରଗଡର ସୋହେଲା ଠାରେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବାପାଇଁ ଘୋଷଣା କରିଥିଲେ ବୋଧେ ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ। କିନ୍ତୁ, ହିନ୍ଦୀରେ ଗୋଟିଏ ଢଗ ଅଛି, ‘ରାତ ଗୟୀ, ବାତ୍ ଗୟୀ’। ‘ତମାସା ଖତମ, ପୈସା ହଜମ’ ନ୍ୟାୟରେ ପୁରା ଭୁଲିଗଲେ। କୃଷି ଭିତ୍ତିଭୂମିକୁ ଯେଉଁପରି ଭାବେ ଗତ ସରକାର ସଂପୂର୍ଣ୍ଣ ଭାବେ ଅବହେଳା କରିଥିଲେ, ତାକୁ ନିର୍ମାଣ କରିବା ପାଇଁ ସମୟ ଲାଗିବ।