ଭୁବନେଶ୍ୱର:୭/୪-ରାଜ୍ୟରେ ଖାଉଟିମାନଙ୍କ ପାଇଁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ଓ ଯୋଗାଣ ଶୃଙ୍ଖଳକୁ ଅବ୍ୟାହତ ରଖିବା ପାଇଁ ବିଭିନ୍ନ ଜିଲ୍ଲାର ବ୍ୟବସାୟୀ ସଂଘ ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ଜିଲ୍ଲାର ବ୍ୟବସାୟୀ ସଂଘ ପ୍ରତିନିଧି ଯୋଗ ଦେଇଥିଲେ।

ବୈଠକରେ ବିଭିନ୍ନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ନିୟନ୍ତ୍ରଣ, ଖାଦ୍ୟ ସାମଗ୍ରୀର ବଜାର ଉପଲବ୍ଧତା, ସାମଗ୍ରୀର ଅନାବଶ୍ୟକ ମହଜୁଦ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିନିମନ୍ତେ ସମସ୍ତ ସବ୍ୟବସାୟୀ ସଂଘ ପ୍ରତିନିଧି ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ବ୍ୟବସାୟୀ ଓ ଖାଉଟିମାନଙ୍କ ସ୍ୱାର୍ଥରକ୍ଷା ଦିଗରେ ସରକାରଙ୍କ ସହ ସମନ୍ୱୟ ରଖିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଏହାବ୍ୟତୀତ ପ୍ରତି ଜିଲ୍ଲାରେ ପରିବା ମଣ୍ଡି ପ୍ରତିଷ୍ଠା, ସ୍ୱତନ୍ତ୍ର ବ୍ୟବସାୟିକ ପେଣ୍ଠସ୍ଥଳୀ ନିର୍ମାଣ ଉପରେ ପ୍ରତିନିଧିମାନଙ୍କ ଦାବିକୁ ଗୁରୁତର ଭାବେ ଗ୍ରହଣ କରି ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଏହା ଉପରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।
ବୈଠକରେ ବିଭାଗର ସ୍ୱତନ୍ତ୍ର ସଚିବ ପୁରନ୍ଦର ଧରୁଆ, ବିପ୍ପଣୀ ଗୁପ୍ତବାର୍ତ୍ତା ଉପ ନିର୍ଦ୍ଦେଶକ ଦୀପକ ଶତପଥୀ, ରାଜ୍ୟ ବ୍ୟବସାୟୀ ସଂଘର ପ୍ରତିନିଧି ସୁଧାକର ପଣ୍ଡା, ଶକ୍ତିଶଙ୍କର ମିଶ୍ର, କବିରାଜ ସ୍ୱାଇଁଙ୍କ ସମେତ କଟକ, ବାଲେଶ୍ୱର, ଗଞ୍ଜାମ ତଥା ବଲାଙ୍ଗୀର ଆଦି ଜିଲ୍ଲାର ବ୍ୟବସାୟୀ ପ୍ରତିନିଧି ଉପସ୍ଥିତ ଥିଲେ।