ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର:୧୬/୩-କଟକ ଏସସିବି ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। କିଛି ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଆଶୁ ଚିକିତ୍ସା ବିଭାଗର ଟ୍ରମା କେୟାର ଆଇସିୟୁରେ ୧୫ ତାରିଖ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ରାତି ପ୍ରାୟ ତିନିଟା ବେଳେ ପ୍ରଥମ ମହଲାରେ ହଠାତ ନିଆଁ ଲାଗି ଯାଇଥିଲା। ଖବର ପାଇ ବଡ ମେଡିକାଲର ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ପରେ ତିନିଟି ଦମକଳ ଗାଡି ପହଞ୍ଚିଥିଲେ। ତୁରନ୍ତ ଆଇସିୟୁରୁ ରୋଗୀଙ୍କୁ ସ୍ଥାନାନ୍ତର ଉଦ୍ୟମ କରାଯାଇଥିଲା।


ଗୁରୁତର ରୋଗୀଙ୍କୁ ନିଉ ମେଡିସିନ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସସିବିରେ ପହଞ୍ଚି ସଂପୃକ୍ତ ୱାର୍ଡକୁ ଯାଇଥିଲେ। ସ୍ୱାସ୍ଥ୍ୟ ସଚିବ,କଟକ ଜିଲ୍ଲାପାଳ, କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚିିଥିଲେ। ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ୨୩ଜଣ ରୋଗୀ ଥିଲେ। ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରାଯାଇଛି। କେଉଁ କାରଣରୁ ଏଭଳି ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ଘଟିଲା ଏହି ଟିମ ଅନୁସନ୍ଧାନ କରିବ।
ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହାର ସଦସ୍ୟମାନେ ହେଲେ ଅଗ୍ନିଶମ ବିଭାଗର ଆଇ.ଜି ଉମାଶଙ୍କର ଦାଶ, ଚିଫ ଇଲେକ୍ଟ୍ରିକାଲ ଇନସ୍ପେକ୍ଟର ତଥା ଇ.ଆଇ.ସି ବରଦା ପ୍ରସନ୍ନ ଦାଶ, ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗର ଇ.ଆଇ.ସି ବିରଞ୍ଚି ନାରାୟଣ ପ୍ରଧାନ, ଚିଫ ଇଞ୍ଜିନିୟର ବିଲ୍ଡିଂ ପ୍ରିୟବ୍ରତ ସାମନ୍ତରାୟ ଏବଂ ମେଡିକାଲ ଏଜୁକେଶନ ଓ ଟ୍ରେନିଂ ନିର୍ଦ୍ଦେଶକ ପ୍ରଫେସର ସନ୍ତୋଷ କୁମାର ମିଶ୍ର। ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସେମାନେ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିଜର ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାର ପାଇଁ ପ୍ରତ୍ୟେକ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ଏହା ସହିତ ପ୍ରତ୍ୟେକ ଆହତ ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି।