ଭୁବନେଶ୍ୱର:୮/୨–ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସରକାରୀ ଅଧିକାରୀମାନଙ୍କ ପାଇଁ ଆୟୋଜିତ ହୋଇଥିବା ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ସଂସ୍କୃତି ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, “ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଆମ ସରକାରଙ୍କ ଆଭିମୁଖ୍ୟ ରହିଛି। ସରକାରୀ ଅଧିକାରୀମାନେ ଓଡ଼ିଆରେ ନଥିପତ୍ର କାର୍ଯ୍ୟ, ଚିଠା ଟିପ୍ପଣୀ ପ୍ରସ୍ତୁତ ଠାରୁ ଆରମ୍ଭ କରି ଓଡ଼ିଆରେ ଆଦେଶନାମା ଜାରି କରିବା, ଓଡ଼ିଆ ଭାଷାର ପ୍ରଶାସନିକ ପ୍ରୟୋଗ ଏବଂ ଓସୱାସ୍ରେ ସରକାରୀ କାର୍ଯ୍ୟକୁ ଓଡ଼ିଆରେ ଯେପରି ସୁଚାରୁରୂପେ ସମ୍ପାଦନ କରିପାରିବେ ସେଥିପାଇଁ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଉଛି। ପ୍ରଶିକ୍ଷଣ ଶିବିରରେ ଶିକ୍ଷା ଲାଭ କରିଥିବା ବିଷୟବସ୍ତୁକୁ ନିଜର କର୍ମକ୍ଷେତ୍ରରେ ସରକାରୀ ଅଧିକାରୀମାନେ ପ୍ରୟୋଗ କରିବା ସହ ଓଡ଼ିଆରେ ସମସ୍ତ ପ୍ରଶାସନିକ କାର୍ଯ୍ୟକୁ ସମ୍ପାଦନ କରିବେ ବୋଲି ସେ ପରାମର୍ଶ ଦେଇଛନ୍ତି।

ପ୍ରଶିକ୍ଷଣ ଶିବିରରେ ରମେଶ ଚନ୍ଦ୍ର ମଲ୍ଲିକ, ଦେବାଶିଷ ମହାପାତ୍ର ସରକାରୀ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଓଡ଼ିଆରେ କାର୍ଯ୍ୟାଳୟ ପତ୍ର ବିନିମୟ, ଯୋଗାଯୋଗ କ୍ଷେତ୍ରରେ ପାରଦର୍ଶିତା ବୃଦ୍ଧି ଏବଂ ଓଡ଼ିଆ ଭାଷାରେ ସରକାରୀ କାଗଜାତ/ଦସ୍ତାବିଜ ପ୍ରସ୍ତୁତି ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ସମାରୋହରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ “ଶିଶୁଲେଖା’, “ବର୍ଣ୍ଣମାଳା ଆଲୋଚନା’, “ବିଜୟ ପ୍ରସାଦ ମହାପାତ୍ର ଜୀବନୀ ପୁସ୍ତିକା’ ଉନ୍ମୋଚିତ ହୋଇଥିଲା। ସମସ୍ତ ପ୍ରଶିକ୍ଷଣାର୍ଥୀମାନଙ୍କୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା। ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ, କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ସଚିବ ଅଶୋକ କୁମାର ପଣ୍ଡାଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମସ୍ତ ଅଧିକାରୀମାନେ ଆଜି ପ୍ରଶିକ୍ଷଣ ଶିବିରର ଉଦ୍ଯାପନୀ ସମାରୋହରେ ଉପସ୍ଥିତ ଥିଲେ। ପ୍ରକାଶଯୋଗ୍ୟ ଯେ, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନିମନ୍ତେ ସରକାରୀ ଅଧିକାରୀମାନଙ୍କ ପାଇଁ ଆୟୋଜିତ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ ୧୩ଟି ବିଭାଗର ୧୦୦ରୁ ଊର୍ଦ୍ଧ୍ୱ ସରକାରୀ ଅଧିକାରୀ ଅଂଶଗ୍ରହଣ କରିଥିଲେ।