ଆମ ହସ୍ତତନ୍ତ ସ୍ୱଦେଶୀ, ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ: ମନ୍ତ୍ରୀ
-୨୨ ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ
ଭୁବନେଶ୍ୱର, ୭/୨-ସ୍ଥାନୀୟ ୟୁନିଟ-୩ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ୭ ତାରିଖରୁ ଆରମ୍ଭ ହୋଇଛି। ଏହି ମେଳାକୁ ଆନୁଷ୍ଠାନିକ ଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଉଦ୍ଘାଟନ କରି କହିଥିଲେ, ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ନିଦର୍ଶନ। ଏହା ସ୍ୱଦେଶୀ, ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ। ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାର ସହ ବୁଣାକାର ବନ୍ଧୁମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ।

ବିଭାଗୀୟ ସଚିବ କହିଥିଲେ, ରାଜ୍ୟ ତଥା ଦେଶର ସମସ୍ତ ବୟନ କଳାକୁ ପ୍ରଦର୍ଶିତ କରିବା ସହ ବିକ୍ରୟ ପାଇଁ ଏହି ପ୍ରଦର୍ଶନୀ ଏକ ପ୍ରକୃଷ୍ଟ ମଂଚ। ଉତ୍କୃଷ୍ଟ ବୟନ କଳାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ପ୍ରଦର୍ଶନୀ ମାଧ୍ୟମରେ ବିପଣନ ସହ ଯୁବପିଢିଙ୍କୁ ଆକୃଷ୍ଟ କରିବା ଭଳି ନୂଆ ଡିଜାଇନ୍ ଓ ଡିଜିଟାଲ୍ ମାର୍କେଟିଂକୁ ମଧ୍ୟ ଆମେ ଉତ୍ସାହିତ କରୁଛୁ।
ସୂଚନାଯୋଗ୍ୟ, ଗୋଟିଏ ସ୍ଥାନରେ ବୟନକଳାକୁ ପ୍ରଦର୍ଶିତ କରିବା ସହ ବୁଣାକାରମାନଙ୍କ ଆର୍ଥିକ ଉନ୍ନତି ନିମନ୍ତେ ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରିବା ହେଉଛି ଏହି ଆୟୋଜନର ମୂଳଲକ୍ଷ୍ୟ। ଏହି ମେଳା ୨୨ ଫେବୃଆରୀ ପର୍ଯ୍ୟନ୍ତ ଚାଲୁ ରହିବ। ପ୍ରତ୍ୟେକ ଦିନ ଦିବା ୧୧ ଘଟିକାରୁ ୯.୩୦ ମିନିଟ୍ ମଧ୍ୟରେ ଲୋକମାନେ ବିଶେଷ ରିହାତି ଦରରେ ମନ ପସନ୍ଦର ହାତତିଆରି ବସ୍ତ୍ର କିଣିପାରିବେ। ଚଳିତଥର ମୋଟ ୮୦ ଟି ଷ୍ଟଲ ଖୋଲାଯାଇଛି। ବୁଣାକାରଙ୍କ ହିତକୁ ପ୍ରାଥମିକତା ଦେବାକୁ ଯାଇ ପ୍ରଥମଥର ପାଇଁ ସମସ୍ତ ଷ୍ଟଲ ବିନା ମୂଲ୍ୟରେ ବଣ୍ଟନ କରାଯାଇଛି। ଓଡ଼ିଶାର ୫୦ଟି ପ୍ରାଥମିକ ବୁଣାକାର ସମବାୟ ସମିତି, ଗୋପାଳପୁର ଟାଟା ଅନ୍ତରନ ସମେତ ବୟନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ ଏବଂ ରେଶମ ଓଡ଼ିଶା ଏଥିରେ ଅଂଶଗ୍ରହଣ କରୁଛନ୍ତି। ଏହା ବ୍ୟତୀତ ରାଜ୍ୟ ବାହାରୁ ୨୦ ଜଣ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ହରିୟାଣା, ତାମିଲନାଡ଼ୁ, ତେଲେଙ୍ଗାନା, ଦିଲ୍ଲୀ, ବିହାର, ଉତ୍ତରାଖଣ୍ଡ, ପଞ୍ଜାବ, ଗୁଜରାଟର ବୁଣାକାର ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ଥିମ୍ ପାଭିଲିୟନ, ଯାହା ଧଉଳି ଶାନ୍ତିସ୍ତୁପ ଥିମ୍ ଉପରେ ନିର୍ମାଣ କରାଯାଇଛି।
ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ଅଂଚଳର ଲୋକାଦୃତ ବୟନବସ୍ତ୍ର ଯଥା ସମ୍ବଲପୁରୀ ଇକ୍କତ, ସୋନପୁରୀ, ବମକାଇ, ଖଣ୍ଡୁଆପାଟ, ମାଣିଆବନ୍ଧି, କୋଟପାଡ ଆଦି ଉପଲବ୍ଧ ହେବ। ଏହି ପ୍ରଦର୍ଶନୀରେ ଓଡ଼ିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ, ଜାମ୍ମୁ କାଶ୍ମୀରର ପଶ୍ମିନା-ସାଲ୍, ତାମିଲନାଡ଼ୁର କାଞ୍ଜିବରମ ପାଟଶାଢ଼ୀ, ଦିଲ୍ଲୀ, ହରିୟାନାର ଫର୍ନିସିଙ୍ଗ୍ ବସ୍ତ୍ର, କର୍ଣ୍ଣାଟକର ସିଲ୍କ ଶାଢ଼ୀ ଆଦି ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ।
ଉଦଘାଟନୀ ସଂଧ୍ୟାରେ ବୟନିକାର ପରିଚାଳନା ନିର୍ଦ୍ଦେଶକ ନିବେଦିତା ପୃଷ୍ଟି, ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।