-ନବୀନ ଜୈନଙ୍କୁ ତୁରନ୍ତ ଗିରଫ କରାଯାଉ
-ଆଇନ ଶୃଙ୍ଖଳା ଅବ୍ୟବସ୍ଥାର ନଗ୍ନଚିତ୍ର
-ପଦାରେ ପଡିଲା ବିଜେପି ବିଧାୟକଙ୍କ ଔଦ୍ଧତ୍ୟ
ଭୁବନେଶ୍ୱର, ୩୦/୩/-ଶୁକ୍ରବାର ପବିତ୍ର ରାମ ନବମୀ ଅବସରରେ ଟିଟିଲାଗଡରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିଲା। ଏହି ଶୋଭାଯାତ୍ରାରେ ଅରାଜକତାର ସମସ୍ତ ସୀମାରେଖା ଉଲ୍ଲଂଘନ କରି ଟିଟିଲାଗଡ ବିଧାୟକ ନବୀନ ଜୈନ ଏକ ବନ୍ଧୁକ ବାହାର କରି ସର୍ବସାଧାରଣଙ୍କ ସାମ୍ନାରେ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ। ଏହି ଘଟଣାଟି ଡବଲ ଇଂଜିନ ସରକାରରେ ବିଜେପି ବିଧାୟକଙ୍କ ଔଦ୍ଧତ୍ୟର ନଗ୍ନ ଚିତ୍ର ବୋଲି ବିଜୁ ଜନତା ଦଳ କହିଛି। ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦିକା ତଥା ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଶ୍ରୀମତୀ ସାହୁ କହିଥିଲେ, ଟିଟିଲାଗଡର ବିଧାୟକ ନବୀନ ଜୈନ ସରକାରୀ ଦଳର ବିଧାୟକ ହୋଇ ସରକାରୀ ନ୍ୟାୟ ବ୍ୟବସ୍ଥାର ସଂପୂର୍ଣ୍ଣ ଉଲ୍ଲଂଘନ କରିଛନ୍ତି। ଜଣେ ଜନପ୍ରତିନିଧି ହୋଇ ଟିଟିଲାଗଡ ପରି ଶାନ୍ତିପୂର୍ଣ୍ଣ ଜାଗାରେ ସର୍ବସାଧାରଣରେ ଗୁଳି ଫୁଟାଇବା ଏକ ଧର୍ତ୍ତବ୍ୟ ଅପରାଧ। ତେଣୁ ଏହି ଅପରାଧର ସଂଜ୍ଞାନ ନେଇ ରାଜ୍ୟ ପୋଲିସ ନବୀନ ଜୈନଙ୍କୁ ତୁରନ୍ତ ଗିରଫ କରନ୍ତୁ। ଏହିଭଳି ଅମାନବୀୟ ଘଟଣା ନବୀନ ଜୈନଙ୍କ ପାଇଁ ନୂଆ ନୁହେଁ। ପୂର୍ବରୁ ହୋଲି ଶୋଭାଯାତ୍ରାରେ ମଧ୍ୟ ନିଶାସକ୍ତ ଅବସ୍ଥାରେ ଜଣେ କର୍ମୀଙ୍କୁ ଏକ ଚଳନ୍ତା ଅଟୋରୁ ଠେଲି ଦେଇଥିଲେ। ଫଳସ୍ୱରୁପ ତତ୍କ୍ଷଣାତ ସଂପୃକ୍ତ କର୍ମୀଜଣଙ୍କ ସେଠାରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ଏହି ଘଟଣାରେ ଯେହେତୁ ସେ ସରକାରୀ ଦଳର ବିଧାୟକ ତେଣୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଫଳରେ ତାଙ୍କର ଅଂହକାର ଏବଂ ଔଦ୍ଧତ୍ୟତା ଆହୁରି ବଢି ଭୟଙ୍କର ରୂପ ନେଉଛି। ଯାହା ଟିଟିଲାଗଡ ଏବଂ ରାଜ୍ୟବାସୀ ପାଇଁ ଶୁଭଙ୍କର ନୁହେଁ।
ବିଜେପି ସରକାରର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ଖୋଲାଖୋଲି ଭାବେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଉଲ୍ଲଂଘନ କରୁଛନ୍ତି। କେଉଁଠି ଏକ ବିଧାୟକ ସର୍ବସାଧାରଣରେ ଗୁଳି ଫୁଟେଇଲେଣି ତ ଆଉ କେଉଁଠି ସ୍ୱାସ୍ଥ୍ୟମନ୍ତ୍ରୀ ଆଇନକୁ ଫୁ କରି ବିନା ହେଲମେଟରେ ବିଶୃଙ୍ଖଳିତ ଶୋଭାଯାତ୍ରାର ନେତୃତ୍ୱ ନେଉଛନ୍ତି। ସେହିଭଳି ରାଜଧାନୀର ରାଜରାସ୍ତାରେ ଏକ ଘରୋଇ ଗାଡିରେ ନାଲିବତୀ ଲଗାଇ ବିଜେପି କର୍ମୀମାନେ ବିଶୃଙ୍ଖଳା କରୁଥିଲା ବେଳେ କମିଶନରେଟ ପୋଲିସ ନୀରବଦ୍ରଷ୍ଟା ସାଜିଛି। ଓଡିଶା ଇତିହାସର ସବୁଠାରୁ ଅପାରଗ ଓ ଦୁର୍ବଳ ଗୃହମନ୍ତ୍ରୀ ହେଉଛନ୍ତି ମୋହନ ମାଝ । ଆଇନ ଶୃଙ୍ଖଳା ବ୍ୟବସ୍ଥା ଶୃଙ୍ଖଳିତ ନହେଲେ ବିଜୁ ଜନତା ଦଳ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବବୋଲି ସେମାନେ ଚେତାବନୀ ଦେଇଛନ୍ତି।