-୨୦୧ ଦମ୍ପତ୍ତିଙ୍କ ସାମୁହିକ ବିବାହ ସମ୍ପନ୍ନ
-କନ୍ୟାଦାନ କଲେ ମୁଖ୍ୟମନ୍ତ୍ରୀ
-ଝିଅମାନେ ପିତାମାତାଙ୍କ ପାଇଁ ବୋଝ ନୁହନ୍ତି, ଭଗବାନଙ୍କ ଆଶୀର୍ବାଦ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୩/୨-ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସାଧାରଣ ଜନମଙ୍ଗଳକାରୀ ଯୋଜନା ନୁହେଁ, ଏହା ସାମାଜିକ ସୁରକ୍ଷାକୁ ମଜବୁତ କରିବା ପାଇଁ ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା”ର ଶୁଭାରମ୍ଭ ଅବସରରେ କହିଛନ୍ତି। ମଙ୍ଗଳବାର ମା’ ତାରା ତାରିଣୀଙ୍କ ପୀଠରେ ଏହି ଯୋଜନାର ଶୁଭାରମ୍ଭ କରାଯାଇ ୨୦୧ ଜଣ କନ୍ୟାଙ୍କ ଶୁଭ ବିବାହ ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ବିବାହ ମଣ୍ଡପରେ କର୍ତ୍ତା ଭାବେ ହୋମ କୁଣ୍ଡରେ ଆହୁତି ପ୍ରଦାନ କରି ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ଲକ୍ଷ୍ୟ ହେଉଛି ଏପରି ଏକ ଓଡିଶା ଗଢିବା ଯେଉଁଠି କୌଣସି କନ୍ୟା ଆର୍ôଥକ ଦୁର୍ବଳତା କିମ୍ବା ସାମାଜିକ ଚାପ ହେତୁ ବିବାହର ପ୍ରାପ୍ତ ବୟସ ପୂର୍ବରୁ ବିବାହ କରିବାକୁ ବାଧ୍ୟ ହେବେ ନାହିଁ। ଆହୁରି ମଧ୍ୟ ଏହି ଯୋଜନା ସମାଜକୁ ଏକ ନୂତନ ବାର୍ତ୍ତା ଦେବ ଯେ, ଝିଅମାନେ ପିତାମାତାଙ୍କ ପାଇଁ ବୋଝ ନୁହନ୍ତି, ସେମାନେ ହେଉଛନ୍ତି ଭଗବାନଙ୍କ ଆଶୀର୍ବାଦ।

ଆଜିଠାରୁ ଆରମ୍ଭ ହୋଇଥିବା ଏହି ମାଙ୍ଗଳିକ ଯୋଜନାରେ ସାମିଲ ହେବା ପାଇଁ କନ୍ୟାର ବୟସ ୧୮ରୁ ୩୫ ବର୍ଷ ଏବଂ ବରର ବୟସ ୨୧ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଏବଂ ସେମାନେ ଓଡିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ। ଏହି ଯୋଜନାରେ ଯୋଗ୍ୟ କନ୍ୟାଙ୍କୁ ୬୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ୪୫ ହଜାର ଟଙ୍କା ସିଧାସଳଖ କନ୍ୟାର ବ୍ୟାଙ୍କ ଆକାଉଣ୍ଟକୁ ଏବଂ ୧୫ ହଜାର ଟଙ୍କା ବିବାହ କାର୍ଯ୍ୟ ସମ୍ପାଦନ ପାଇଁ ଖର୍ଚ୍ଚ କରାଯାଉଛି। ଯୋଗ୍ୟ ଦମ୍ପତ୍ତିମାନଙ୍କୁ ଜିଲ୍ଲା/ବ୍ଲକସ୍ତରରୁ ଚୟନ କରାଯାଇଛି। ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ ଏବଂ ଏଥିପାଇଁ ବଜେଟରେ ୫୯ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା କରାଯାଇଛି।

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନବ ଦମ୍ପତ୍ତିଙ୍କୁ ସ୍ନେହ ଭରା ଅଭିନନ୍ଦନ ଜଣାଇ କହିଥିଲେ ଯେ, ଏହି ମହତ୍ୱାକାଂକ୍ଷୀ ସରକାରୀ ଯୋଜନା ହେଉଛି ମୁଖ୍ୟମନ୍ତ୍ରୀଙ୍କ ମାନସ ପ୍ରସ୍ତୁତ ଯୋଜନା। ମା’ ତାରାତାରିଣୀ ଆଶୀର୍ବାଦ କରନ୍ତୁ ସମସ୍ତଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେଉ ଏତିକି ବଡ଼ ଭଉଣୀ ଭାବେ ମୋର ଆନ୍ତରିକ କାମନା। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ ରାଜ୍ୟ ସରକାରଙ୍କ ଏହା ଏକ ମହତ ଜନମଙ୍ଗଳକାରୀ ଯୋଜନା। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ଆସ୍କା ବିଧାୟକ ସରୋଜ କୁମାର ପାଢ଼ୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ପ୍ରମୁଖ ଉପସ୍ଥିତ ରହି ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ବିଭାଗୀୟ ନିର୍ଦ୍ଦେଶିକା ମନୀଷା ବାନାର୍ଜୀ, ଗଞ୍ଜାମ ଜଲ୍ଲାପାଳ ଭି କୀର୍ତ୍ତି ୱାସନ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।