-ଏବେ ନିଦ ଭାଙ୍ଗିଲା
-ସମସ୍ତ ଜିଲ୍ଲାପାଳ, ଆରଡିସି, ଏବଂ ଡିଏଲଆରଏସଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ
ଭୁବନେଶ୍ୱର:୧୩/୭-ଶ୍ରୀଜଗନ୍ନାଥ ମହାପ୍ରଭୁ, ବିଜେ ପୁରୀଙ୍କ ଭୂସମ୍ପତ୍ତିର ସୁରକ୍ଷା, ସଠିକ ରେକର୍ଡ ସଂରକ୍ଷଣ ଓ ସଫଳ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ରାଜସ୍ୱ ପର୍ଷଦ, ସମସ୍ତ ରାଜସ୍ୱ ଡିଭିଜନାଲ କମିଶନର(ଆରଡିସି), ଜିଲ୍ଲାପାଳ ଓ ଭୂ-ଅଭିଲେଖ ଏବଂ ସର୍ଭେ ନିର୍ଦ୍ଦେଶକ (ଡିଏଲଆରଏସ)ଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖି ତୁରନ୍ତ ପ୍ରାଥମିକତା ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ପାଢ଼ୀ ସଂପ୍ରତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅଛନ୍ତି।

ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ନାମରେ ହିଁ ଓଡ଼ିଆ ଜାତିର ପରିଚୟ। ତାଙ୍କ ନାମରେ ଥିବା ସମସ୍ତ ସମ୍ପଦର ସୁରକ୍ଷା ଆମର ନୈତିକ ଦାୟିତ୍ୱ। ସୁତରାଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମାର ରେକର୍ଡ, ସୁରକ୍ଷା ଓ ପରିଚାଳନା ସମ୍ବନ୍ଧୀୟ ବିଭିନ୍ନ ବିଷୟ ତୁରନ୍ତ ଧ୍ୟାନ ଓ ହସ୍ତକ୍ଷେପ ଆବଶ୍ୟକ କରୁଛି। ଏହି ପରିପ୍ରେକ୍ଷୀରେ ଆଇନ ଓ ସରକାରଙ୍କ ନିର୍ଦ୍ଦେଶାବଳୀ ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ(ଏସଜେଟିଏ) ଦ୍ୱାରା ବିଭିନ୍ନ ସମୟରେ ପ୍ରେରିତ ନ୍ୟାୟାଳୟଙ୍କ ଆଦେଶକୁ ଅନୁସରଣ କରି ଅଧିକାରୀଙ୍କୁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି।

ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ତହସିଲରେ ଏସଜେଟିଏ ପକ୍ଷରୁ ଦାଖଲ ହୋଇଥିବା ୧୧,୬୭୫ଟି ବିବିଧ ରାଜସ୍ୱ ମାମଲାର ଶୀଘ୍ର ଫଇସଲା ସୁନିଶ୍ଚିତ କରିବା ସହିତ, ଓଡ଼ିଶା ଇଷ୍ଟେଟ୍ସ ଆବୋଲିସନ ଆଇନର ଧାରା ୭(ଏ) ଅନୁଯାୟୀ ଏସଜେଟିଏ ଦ୍ୱାରା ଦାଖଲ ୨୫୭ଟି ମାମଲାରେ ବୋର୍ଡ ଅଫ ରେଭେନ୍ୟୁ ସଦସ୍ୟଙ୍କ ଆଦେଶର କାର୍ଯ୍ୟକାରିତା ତୁରନ୍ତ ସୁନିଶ୍ଚିତ କରିବାକୁ କୁହାଯାଇଛି। ଆବଶ୍ୟକସ୍ଥଳେ୧୯୨୭–୨୮ ମସିହାର ରେକର୍ଡ ଅଫ ରାଇଟ୍ସ ଯାଞ୍ଚ କରି ଖେୱଟ ସଂଶୋଧନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ବିଚାର ସମୟରେ ୧୮୮୮–୮୯, ୧୯୨୫–୨୬, ୧୯୨୭–୨୮, ୧୯୨୯–୩୦ ଏବଂ ୧୯୭୭–୭୮ ମସିହାର ପୂର୍ବ ସାବିକ ରେକର୍ଡ ସହ ଅନ୍ୟାନ୍ୟ ପୁରୁଣା ରାଜସ୍ୱ ଅଭିଲେଖ ଯାଞ୍ଚ କରି ଆଇନ ଅନୁଯାୟୀ ସଠିକ ଭାବେ ମହାପ୍ରଭୁଙ୍କ ସମ୍ପତ୍ତିର ରେକର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।



ଏହାବ୍ୟତୀତ ପୂର୍ବ ସାବିକ ଓ ସାବିକ ରେକର୍ଡ ଅଫ ରାଇଟ୍ସ ଏବଂ ସାବିକ-ହାଲ ସମନ୍ୱୟ ରିପୋର୍ଟର ପ୍ରାମାଣିକ ନକଲ ଯଥାଶୀଘ୍ର ଏସଜେଟିଏ ପାଖରେ ଉପଲବ୍ଧ କରାଇବାକୁ କୁହାଯାଇଛି, ଯାହାଦ୍ୱାରା ବୋର୍ଡ ଅଫ ରେଭେନ୍ୟୁରେ ମାମଲାର ଦକ୍ଷତାର ସହ ପରିଚାଳନା ସମ୍ଭବ ହେବ। ମହାପ୍ରଭୁଙ୍କ ଜମିର ଚିହ୍ନଟ, ଯାଞ୍ଚ ଓ ସୁରକ୍ଷା ପାଇଁ ରାଜସ୍ୱ ନିରୀକ୍ଷକ, ଅମିନ ଓ ଅନ୍ୟାନ୍ୟ ଅଭିଜ୍ଞ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ନିୟୋଜିତ କରିବା ସହିତ ନିୟମିତ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ବେଆଇନ ଦଖଲ, ଅନଧିକାର, ଜାଲିଆତି ଦାବି ଓ ବ୍ୟକ୍ତିଗତ ସ୍ୱାର୍ଥ ସୃଷ୍ଟିକୁ ରୋକିବା ପାଇଁ କଡ଼ା ନିରୀକ୍ଷଣ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ବିଭାଗ ସ୍ପଷ୍ଟ କରିଛି ଯେ, ଏହି ସମସ୍ତ ପ୍ରସଙ୍ଗକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲା, ଉପଖଣ୍ଡ ଓ ତହସିଲସ୍ତରର ମାସିକ ରାଜସ୍ୱ ବୈଠକରେ ନିୟମିତ ସମୀକ୍ଷା କରାଯିବ ଏବଂ ପ୍ରତିମାସ ଅଗ୍ରଗତି ରିପୋର୍ଟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପ୍ରେରଣ କରାଯିବ। ରାଜ୍ୟ ସରକାର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା, ସଂରକ୍ଷଣ ଓ ଆଇନସମ୍ମତ ପରିଚାଳନା ସୁନିଶ୍ଚିତ କରି ସମ୍ପତ୍ତିଗୁଡିକର ସ୍ୱାର୍ଥ ସଂରକ୍ଷଣ ଏବଂ ଅନାବଶ୍ୟକ ମକଦ୍ଦମାକୁ ହ୍ରାସ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଏବଂ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱରେ ଥିବା ଅଫିସରମାନଙ୍କ କ୍ରମାଗତ ଅବହେଳା ଯୋଗୁଁ ମହାପ୍ରଭୁଙ୍କ ସମ୍ପତ୍ତିର ରେକର୍ଡ ପ୍ରସ୍ତୁତି ଏପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ। ଏହାର ଶିକାର ହୋଇଛନ୍ତି ଜନସାଧାରଣ। ସଧାରଣ ଲୋକ ଏହାଦ୍ୱାରା ବହୁମାତ୍ରାରେ ପ୍ରଭାବିତ ହେବା ସହ ସେମାନଙ୍କ ସ୍ଥିତିବାନ ଜମି କିଣାବିକାର ଅଧିକାର ମଧ୍ୟ ଛଡ଼ାଇ ନିଆଯାଇଛି। ଏହାର ସମାଧାନ ପାଇଁ ବିଭିନ୍ନ ସମୟରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲେ ମଧ୍ୟ କମିଟି ସେମାନଙ୍କ ରିପୋର୍ଟ ପ୍ରଦାନ କରି ନାହାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ବିଚାର ସମୟରେ୧୮୮୮–୮୯, ୧୯୨୫–୨୬, ୧୯୨୭–୨୮, ୧୯୨୯–୩୦ ଏବଂ ୧୯୭୭–୭୮ ମସିହାର ପୂର୍ବ ସାବିକ ରେକର୍ଡ ସହ ଅନ୍ୟାନ୍ୟ ପୁରୁଣା ରାଜସ୍ୱ ଅଭିଲେଖ ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଯେଉଁ ନିର୍ଦେଶନାମା ରାଜସ୍ୱ ସଚିବ ତଥା ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଏବେ ଦେଇଛନ୍ତି। ଏହା ସେ ଅନେକ ବର୍ଷ ତଳୁ ଅର୍ଥାତ ୨୦୧୨ରୁ ଜମିଜମା କିଣାବିକା ଉପରେ କଟକଣା କରିବା ସମୟରୁ କରିପାରି ଥାଆନ୍ତେ। ଲୋକଙ୍କ ଅସନ୍ତୋଷ ଏବଂ ସରକାରଙ୍କ ଚାପର ବଶବର୍ତ୍ତୀ ହୋଇ ବିଭାଗ ଏଭଳି ନିର୍ଦେଶନାମା ପ୍ରକାଶ କରିଥିବା ଲୋକେ ଅନୁଭବ କରୁଛନ୍ତି।