ଭୁବନେଶ୍ୱର: ୨୧/୪-ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଓଡ଼ିଶାର ୨୭ଟି ଜିଲ୍ଲାରେ ଗୋଟିଏ ଦିନରେ ପ୍ରାୟ ଏକହଜାର ଦମ୍ପତ୍ତିଙ୍କର ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟକାରୀ ସଂସ୍ଥାଙ୍କର ମିଳିତ ସହଯୋଗରେ ପଦ୍ମାବତୀ ଆମ୍ୟୁଜମେଣ୍ଟ ୱାଟର ପାର୍କଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସାମୂହିକ ବିବାହ କାର୍ଯ୍ୟକ୍ରମରେ ୫୬ ନବ ଦମ୍ପତ୍ତିମାନଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରିଛନ୍ତି।

ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସରକାରୀ ଉପ-ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସମେତ ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ତଥା ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ବର-କନ୍ୟାଙ୍କୁ ଆଶୀର୍ବାଦ କରିଥିଲେ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଆର୍ôଥକ ଅଭାବ କିମ୍ବା ସାମାଜିକ ଚାପ ଯୋଗୁଁ କନ୍ୟାଙ୍କ ବିବାହ ପାଇଁ କଷ୍ଟ ସହୁଥିବା ପରିବାରକୁ ସହାୟତା ପ୍ରଦାନ କରିବା। ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କ ପାଇଁ ମୋଟ ୬୦,୦୦୦ ଟଙ୍କାର ବ୍ୟବସ୍ଥା ରହିଛି। ସେଥିମଧ୍ୟରୁ ୪୫,୦୦୦ ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଥିବା ବେଳେ ଅବଶିଷ୍ଟ ୧୫,୦୦୦ ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ପାଇଁ ଖର୍ଚ୍ଚ କରାଯାଉଛି ।