–ବାଚସ୍ପତିଙ୍କ ବିନା ଅନୁମତିରେ ବିଧାୟିକାଙ୍କ ଘରେ ବଳପୂର୍ବକ ପଶିଲା ପୋଲିସ
-ବିଧାୟିକାଙ୍କ ଅନୁପସ୍ଥିତିରେ ତାଙ୍କ ଝିଅ ଓ ମହିଳା ସହାୟିକାଙ୍କୁ ପୁରୁଷ ପୋଲିସର ଦୁର୍ବ୍ୟବହାର

ଭୁବନେଶ୍ୱର: ୩୦/୩-ରାଜ୍ୟସଭା ନିର୍ବାଚନରେ ନର୍ଲାର ବେିଜଡି ବିଧାୟିକା ମନେରମା ମହାନ୍ତି ବିଜେପି ଦଳର ଚାପ ଆଗରେ ମୁଣ୍ଡ ନୁଆଁଇ କ୍ରସ୍ ଭୋଟିଂ ନ କରିବାରୁ ପୋଲିସ ତାଙ୍କୁ ନିର୍ଯାତନା ଦେଇଥିବା ଓ ପ୍ରତିଶୋଧ ପରାୟଣ ହୋଇ ରାଜନୈତିକ ଅଭଦ୍ରାମୀର ସୀମା ଲଂଘିଥିବା ବିଜୁଜନତା ଦଳ ଅଭିଯୋଗ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଦିବ୍ୟଶଙ୍କର ମିଶ୍ର, ବିଧାୟିକା ମନୋରମା ମହାନ୍ତି, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ପ୍ରମୁଖ କହିଛନ୍ତି, ବିଜେଡିର ସ୍ୱର ଚପାଇ ଦେବା ପାଇଁ ଅପଚେଷ୍ଟା କରାଯାଇଛି।
ବିଧାନସଭା ଚାଲିଥିବାବେଳ ବାଚସ୍ପତିଙ୍କ ବିନା ଅନୁମତିରେ ଜଣେ ବିଧାୟିକାଙ୍କ ପଦମର୍ଯ୍ୟାଦା କ୍ଷୁର୍ଣ୍ଣକରି ତାଙ୍କ ସରକାରୀ ବାସଭବନକୁ ବଳପୂର୍ବକ ପୋଲିସ ପଶିବା ନିନ୍ଦନୀୟ।ଏହିଘଟଣାର ପ୍ରଚ୍ଛଦପଟରେ କିଏ ରହିଛି ତାହା ସାର୍ବଜନୀନ ହେବା ଆବଶ୍ୟକ। ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ପୋଲିସର ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ।
ବିଧାୟିକା ଶ୍ରୀମତୀ ମହାନ୍ତି କହିଛନ୍ତି ଯେ, ତାଙ୍କ ଅନୁପସ୍ଥିତିରେ ତାଙ୍କ ଝିଅ ଓ ମହିଳା ସହାୟିକାଙ୍କ ପ୍ରତି ପୋଲିସର ଦୁର୍ଭାଗ୍ୟଜନକ ଆଚରଣକୁ ନିନ୍ଦା କରିବା ପାଇଁ ଭାଷା ନାହିଁ। ଅତ୍ୟନ୍ତ ଭାବପ୍ରବଣ ହୋଇ ସେ କହିଛନ୍ତି ଯେ, ଜଣେ ବିଧାୟିକା ଭାବେ ନିଜ ପରିବାର ସଦସ୍ୟଙ୍କୁ ସୁରକ୍ଷା ଦେବାରେ ସେ ସମର୍ଥ ହୋଇପାରି ନାହାନ୍ତି। ଦେଢମାସ ତଳେ ଗୋଟିଏ ଗାଁର ରାଜସ୍ୱ ମାମଲା ନେଇ ତହସିଲଦାରଙ୍କୁ ତାଙ୍କ ସ୍ୱାମୀ ଫୋନ କରିଥିଲେ। ରାଜ୍ୟସଭା ନିର୍ବାଚନ ପୂର୍ବ ଦିନ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ମୋ ଅନୁପସ୍ଥିତିରେ ମୋ ସରକାରୀ ବାସଭବନକୁ ସାଧା ପୋଷାକଧାରୀ ପୋଲିସ ବଳପୂବର୍କ ପ୍ରବେଶ କରିଥଲେ। ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ସେ ଅନୁରୋଧ କରିଛନ୍ତି ଯେ ବିନା ମହିଳା ପୋଲିସରେ ତାଙ୍କ ବାସଭବନକୁ ବଳପୂବର୍କ ପୁରୁଷ ପୋଲିସ ପଶିବା ଓ ଦୁର୍ବ୍ୟବହାର ଘଟଣାରେ ତାଙ୍କୁ ନ୍ୟାୟ ଦିଆଯାଉ।