ଭୁବନେଶ୍ୱର-ଧାନବାଦ ଓ ପୁରୀ-ପାଟନା ସ୍ୱତନ୍ତ୍ର ରେଳସେବାକୁ ନିୟମିତ କରାଗଲା
ଭୁବନେଶ୍ୱର:୧୨୩-ଓଡିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି। ଏହା ସହିତ ଦୁଇଟି ସ୍ୱତନ୍ତ୍ର ରେଳସେବାକୁ ନିୟମିତ ରେଳସେବାରେ ପରିଣତ କରିବା ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି।
ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଓଡିଶାର ଜନସାଧାରଣଙ୍କ ପାଇଁ ଅଧିକ ରେଳସେବା ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଏକ ନୂତନ ଅମୃତ ଭାରତ ଟ୍ରେନ୍ ଆସାମର କାମାକ୍ଷା ଏବଂ ତେଲେଙ୍ଗାନାର ଚାରଲାପାଲି (ସିକନ୍ଦରାବାଦ) ମଧ୍ୟରେ ଚାଲିବ। ଏହା ଓଡିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର କେଉଁଝର ରୋଡ୍, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବାଲୁଗାଁ ଏବଂ ବ୍ରହ୍ମପୁର ଦେଇ ଯିବ।


ଉଲ୍ଲେଖନୀୟ ଯେ, ୧୮୪୦୩/୧୮୪୦୪ ଭୁବନେଶ୍ୱର-ଧାନବାଦ ସ୍ପେଶାଲ ଟ୍ରେନ ଧାନବାଦ ପହଞ୍ଚିବା ପୂର୍ବରୁ କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୋଳ, ରେଢାଖୋଲ, ସମ୍ବଲପୁର ସହର, ଝାରସୁଗୁଡା ଏବଂ ରାଉରକେଲା ଷ୍ଟେସନ ଦେଇ ଯିବ। ଏହି ଟ୍ରେନକୁ ଏବେ ନିୟମିତ କରାଯାଇଛି। ସେହିପରି ୦୮୪୩୯/୦୮୪୪୦ ପୁରୀ-ପାଟନା ସ୍ପେଶାଲ ଟ୍ରେନ ପାଟନା ପହଞ୍ଚିବା ପୂର୍ବରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ, ଭଦ୍ରକ ଏବଂ ବାଲେଶ୍ୱର ଷ୍ଟେସନ ଦେଇ ଯିବ। ଏହାକୁ ମଧ୍ୟ ନିୟମିତ କରାଯାଇଛି।
ରାଜ୍ୟରେ ରେଳ ସଂଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପାଇଁ ଏହି ଟ୍ରେନ ସେବା ଅନୁମୋଦନ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।