ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ
ଭୁବନେଶ୍ୱର,୧୮/୨- ଚଳିତବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରାଇବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨ୟ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗତ ଜାନୁଆରୀ ୧୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଥଯାତ୍ରା ସମନ୍ୱୟ କମିଟିର ପ୍ରଥମ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟାନ୍ୱୟନ ସଂପର୍କରେ ସମୀକ୍ଷା ହୋଇଥିଲା। ସଂପୃକ୍ତ ବିଭିନ୍ନ ବିଭାଗର କାର୍ଯ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରଥଯାତ୍ରା ମାଷ୍ଟର ପ୍ଲାନ୍-୨୦୨୬କୁ ପୁରୀ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଉପସ୍ଥାପନ କରିବା ସହ ରାଜ୍ୟ ପ୍ରଶାସନ ତଥା ବିଭିନ୍ନ ବିଭାଗର ସହଯୋଗ ଆଶା କରିଥିଲେ।
ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ରଥଯାତ୍ରା ଆଗାମୀ ଜୁଲାଇ ୧୬, ବାହୁଡ଼ା ଯାତ୍ରା ଜୁଲାଇ ୨୪, ସୁନାବେଶ ଜୁଲାଇ ୨୫ ଏବଂ ନିଳାଦ୍ରୀ ବିଜେ ଜୁଲାଇ ୨୭ତାରିଖରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅକ୍ଷୟ ତୃତୀୟା, ସ୍ନାନ ଯାତ୍ରା ଆଦି ନୀତି ରହିଛି। ରଥ ନିର୍ମାଣ ପାଇଁ ରଥ କାଠ ସୁବିଧା କରାଯାଇଛି। ରଥଯାତ୍ରା ପରିପ୍ରେକ୍ଷୀରେ ଆବଶ୍ୟକ ରଥ କାଠ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ଏବଂ ରଥଯାତ୍ରା ନେଇ ଆନୁସଙ୍ଗିକ ପ୍ରସ୍ତୁତି ଜାରି ରହିଥିବା ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ। ପୂର୍ବ ବର୍ଷର ଅନୁଭୂତି ଦୃଷ୍ଟିରୁ ଉଭୟ ଗୁଣ୍ଡିଚା ଓ ବାହୁଡା ପାଇଁ ୨ ଟି ଅଲଗା ଅଲଗା ଚାରମାଳ ବ୍ୟବସ୍ଥା କରାଯାଉଥିବା ସଂପର୍କରେ ସୂଚନା ଦିଆଯାଇଥିଲା। ବୈଠକରେ ରଥଟଣା ଠିକ୍ ସମୟରେ ଆରମ୍ଭ କରିବା ପାଇଁ ଶ୍ରୀଜିଉଙ୍କ ନୀତି ନିର୍ଦ୍ଧାରିତ ହେବା ଠାରୁ ଆରମ୍ଭ କରି ରଥଯାତ୍ରା ସମୟରେ ପୁରୀ ବଡଦାଣ୍ଡରେ ଜନଗହଳି ନିୟନ୍ତ୍ରଣ, ପୁରୀ ଓ ପାରିପାର୍ଶ୍ୱିକ ଅଂଚଳରେ ପାର୍କିଂ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଜରୁରୀକାଳୀନ ସେବା, ପରିମଳ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା ।

ଚଳିତବର୍ଷ ଜନଗହଳି ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରଥଯାତ୍ରାର ବହୁ ପୂର୍ବରୁ ବଡଦାଣ୍ଡ ସମେତ ଉତ୍ତରା ଛକରୁ ବଡଦାଣ୍ଡ ପର୍ଯ୍ୟନ୍ତ ଯଥେଷ୍ଟ ସଂଖ୍ୟକ ସିସିଟିଭି ବ୍ୟବସ୍ଥା କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। ଓକାକ୍ ସହାୟତାରେ ଏଥିପାଇଁ ବ୍ୟବସ୍ଥା କରାଯିବାକୁ ପଦକ୍ଷେପ ନିଆଯାଇଛି। ବଡଦାଣ୍ଡରେ ଲୋକମାନଙ୍କୁ ପହଣ୍ଡି ଓ ନୀତି ଓ ରଥଯାତ୍ରାର ଧାରା ବିବରଣୀ ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ୭୦ଟି ସ୍ଥାନରେ ଏଲଇଡି ଟିଭି ଲଗାଇବାକୁ ଅନୁରୋଧ କରାଯାଇଛି। ଭାରତୀୟ ରେଳପଥ ତରଫରୁ ପୁରୀ ରେଳ ଷ୍ଟେସନରେ ସୁବିଧାରେ ଟିକେଟ କାଉଣ୍ଟର ପରିଚାଳନା ଓ ଏକାଧିକ ସ୍ଥାନରେ ଟିକେଟ ଉପଲବ୍ଧ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ଏବଂ ଅନ୍ ଲାଇନ ଟିକେଟ ଉପଲବ୍ଧ କରିବା ନେଇ ଆଲୋଚନା କରାଯାଇଛି। ଜନଗହଳି ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପାର୍କିଂ ସ୍ଥଳ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ବଡଦାଣ୍ଡକୁ ଉଜ୍ୱଳ ଆଲୋକରେ ଆଲୋକିତ କରିବା ପାଇଁ ୫୦ଟି ହାଇମାଷ୍ଟ ଲାଇଟ ଲାଗିବା ବ୍ୟବସ୍ଥା କରାଯିବ।
ଅତ୍ୟଧିକ ବର୍ଷା ହେଲେ ଜନ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ନଗର ଉନ୍ନୟନ ବିଭାଗ ଏବଂ ଅଗ୍ନିସେବା ବିଭାଗ ସହ ଆଲୋଚନା ହୋଇଛି। ନଗର ଉନ୍ନୟନ ବିଭାଗ ଓ ପୂର୍ତ୍ତ ବିଭାଗ ସମନ୍ୱୟରେ ମଧ୍ୟ ଅସ୍ଥାୟୀ ପାର୍କିଂ ସ୍ଥଳଗୁଡିକର ସୁବ୍ୟବସ୍ଥିତ କରାଯିବ। ପୂର୍ତ୍ତ ବିଭାଗ ପକ୍ଷରୁ ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ରସ୍ତା ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସରିବ। ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି। ଆଇନଶୃଙ୍ଖଳା ଏବଂ ଭିଡ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଅସ୍ଥାୟୀ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ସ୍ଥାପନ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।