-ରାଜ୍ୟର ସବୁ ତହସିଲରେ ଖୋଲିଲା ସବ-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ
-ଆମ ସାଥୀ ହ୍ୱାଟ୍ସଆପ ଚାଟବଟ ବ୍ୟବସ୍ଥାର ଲୋକାର୍ପିତ,
ଉପଲବ୍ଧ ହେବ ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ସେବା
ଭୁବନେଶ୍ୱର:୫/୨- ରାଜ୍ୟର ୧୭ଟି ଜିଲ୍ଲାର ୫୬ଟି ତହସିଲରେ ୫୭ଟି ନୂଆ ସବ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଏହାଦ୍ୱାରା ଆଜିଠାରୁ ରାଜ୍ୟର ସମସ୍ତ ୩୧୭ଟି ତହସିଲରେ ସବ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଲା। ଏଥିରେ କଟକ ତହସିଲ ଅଧିନରେ ଏକ ଅତିରିକ୍ତ ସବ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ମଧ୍ୟ ରହିଛି।
ଏହାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଜମିଜମା ସଂକ୍ରାନ୍ତୀୟ କାମ ପାଇଁ ଲୋକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ ପଡୁଥିଲା। ଏଥିପାଇଁ ଆମେ ସଂକଳ୍ପ ନେଇଥିଲୁ ସରକାରଙ୍କ ପାଖକୁ ଲୋକେ ଆସିବେ ନାହିଁ ସରକାର ଲୋକଙ୍କ ପାଖକୁ ଯିବେ। ତେଣୁ ସମସ୍ତ ତହସିଲରେ ସବ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରି ଆମେ ଏ କ୍ଷେତ୍ରରେ ଏକ ମାଇଲଷ୍ଟୋନ ପ୍ରତିଷ୍ଠା କରିଛୁ। ଉଭୟ ତହସିଲ ଓ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟକରି ପାରିବେ ଏବଂ ରେଜିଷ୍ଟ୍ରେସନ ପରେ ମ୍ୟୁଟେସନ ପଟ୍ଟା ସହଜରେ ହେବା ସହିତ ରେଜିଷ୍ଟ୍ରେସନ କ୍ଷେତ୍ରରେ ପାରଦର୍ଶିତା ବଢିବ ଓ ମଧ୍ୟସ୍ଥଙ୍କ ହସ୍ତକ୍ଷେପ ଆଉ ରହିବ ନାହିଁ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜସ୍ୱ ସେବା ପ୍ରଦାନ ପାଇଁ କାର୍ଯ୍ୟକ୍ଷମ ଥିବା ହ୍ୱାଟ୍ସଆପ ଚାଟବଟରେ ଆଉ ୧୧ଟି ପ୍ରମୁଖ ରାଜସ୍ୱ ସେବାକୁ ସାମିଲ କରିଥିଲେ।ଏଣିକି ଜନସାଧାରଣ ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ ଜରିଆରେ ମ୍ୟୁଟେସନ କେସ, କୃଷି ଜମି କିସମ ପରିବର୍ତ୍ତନ, ବାସିନ୍ଦା ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର, ଜନଜାତି ପ୍ରମାଣ ପତ୍ର, ଓବିସି ପ୍ରମାଣପତ୍ର, ଏସଇବିସି ପ୍ରମାଣପତ୍ର, ଲିଗାଲହେୟାର ପ୍ରମାଣପତ୍ର, ଇନ୍କମ, ଆସେଟ୍ ପ୍ରମାଣପତ୍ର, ଗାଡିଆନସିପ ପ୍ରମାଣପତ୍ର ଭଳି ୧୧ଟି ଗୁରୁତ୍ୱପୂର୍ଣ୍ଣ ସେବାକୁ ତହସିଲ କାର୍ଯ୍ୟାଳୟକୁ ନଯାଇ ହ୍ୱାଟ୍ସଆପ ମାଧ୍ୟମରେ ଦରଖାସ୍ତ କରି ହ୍ୱାଟ୍ସଆପ ନମ୍ବରରେ ପାଇପାରିବେ।
ରାଜସ୍ୱ ପ୍ରଶାସନ ସେବା କ୍ଷେତ୍ରରେ ସଂସ୍କାର ଆଣି ଏହାକୁ ସରଳ ଓ ବ୍ୟବସ୍ଥିତ କରିଥିବାରୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ବିଭାଗକୁ ଧନ୍ୟବାଦ ଦେଇ ଆଗାମୀ ଦିନରେ ଭାଗଚାଷୀ ମାନଙ୍କ ପାଇଁ ପ୍ରଚଳିତ ଥିବା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଗୁରୁତ୍ୱ ଦେଇଥିଲେ। ଭାଗଚାଷୀଙ୍କ ଆଇନଗତ ଅଧିକାର ନଥିବାରୁ ସେମାନେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଭାଗଚାଷୀ ଓ ଜମି ମାଲିକଙ୍କୁ ଆଇନଗତ ସୁରକ୍ଷା ଦିଆଯିବା ସହିତ ଯେପରି ଉଭୟଙ୍କ ସ୍ୱାର୍ଥ ରକ୍ଷା ହେବ, ସେ ଦିଗରେ ଆଇନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ।