ଭୁବନେଶ୍ୱର:୧୧/୨-ରାଜ୍ୟର ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କର ଭାଷାଗତ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଦକ୍ଷତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ -୧ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ଦିବସୀୟ ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ, ଶିକ୍ଷାତତ୍ତ୍ୱ ସଂଯୋଜକମାନେ ଅଂଶଗ୍ରହଣ କରିଥିଲେ। ନିପୁଣ ଓଡ଼ିଶା ମିଶନର ଲକ୍ଷ୍ୟଗୁଡ଼ିକୁ ସମସ୍ତ ଜିଲ୍ଲାରେ ତୃଣମୂଳସ୍ତରରେ ସଫଳ ଭାବରେ କାର୍ଯ୍ୟକାରୀ କରିବା ସହ ସମସ୍ତ ଅଧିକାରୀଏହା ବିଷୟରେ ସ୍ପଷ୍ଟ ଭାବରେ ବୁଝିବା ଏହି କର୍ମଶାଳାର ଉଦ୍ଦେଶ୍ୟ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ତିରୁମାଲା ନାୟକ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ତୃଣମୂଳସ୍ତରରେ ନିପୁଣ ଓଡ଼ିଶା ମିଶନର ଉଦ୍ଦେଶ୍ୟକୁ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିବାକୁ ଉତ୍ସାହିତ କରିଥିଲେ। ସେ କହିଥିଲେ, ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ସୁଦୃଢ଼ କରିବ ନିପୁଣ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏଥି ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ମଧ୍ୟରେ ଦୃଢ଼ ସମନ୍ୱୟର ଆବଶ୍ୟକତା ରହିଥିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସାଂଗଠନିକ ଭୂମିକାକୁ ସ୍ପଷ୍ଟ ଭାବରେ ପରିଭାଷିତ କରି ସମସ୍ତ ଅଧିକାରୀ ନିଜ ଦାୟିତ୍ୱ ତୁଲାଇବା ଉଚିତ ଏବଂ ରାଜ୍ୟର ପ୍ରତ୍ୟେକ ପିଲାର ପ୍ରଗତି ନିଶ୍ଚିତ କରିବା ଆମର ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଥିଲେ।
ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ନିର୍ଦ୍ଦେଶିକା ଅନନ୍ୟା ଦାସ କର୍ମଶାଳାରେ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ନିପୁଣ ବିଦ୍ୟାଳୟ ଶିକ୍ଷଣ ସୋପାନର ଉପଯୁକ୍ତ ବ୍ୟବହାର ଏବଂ ମାନନିର୍ଦ୍ଧାରଣ ପ୍ରକ୍ରିୟାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାରେ ଜିଲ୍ଲାଗୁଡିକ ସେମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଅଭିନବ ଏବଂ ସର୍ବୋତ୍ତମ କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ। କର୍ମଶାଳାରେ ପଠନ ପ୍ରୋତ୍ସାହନ ଅଭିଯାନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା । ପ୍ରତ୍ୟେକ ବିଦ୍ୟାଳୟରେ ପଠନ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।