-ସେ ଥିଲେ ପ୍ରଗତି ପୁରୁଷ
ଭୁବନେଶ୍ୱର: ୪/୨-ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନ ଥିଲା ଏକ ଜୀବନ୍ତ ଇତିହାସ । ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ପୁରୋଧା ମଧୁବାବୁ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଓ ପ୍ରଗତି ପୁରୁଷ। ତାଙ୍କର ଦୂରଦୃଷ୍ଟି ଓ ଜାତୀୟ ଦୃଷ୍ଟି ପାଇଁ ସେ ଚିରକାଳ ପାଇଁ ଓଡ଼ିଶାବାସୀଙ୍କ ହୃଦୟରେ ବଞ୍ଚିରହିବେ। ଓଡ଼ିଶାର ହସ୍ତଶିଳ୍ପ ଓ ସ୍ୱଦେଶୀ କାରିଗରୀ ଜରିଆରେ ଅର୍ଥନୈତିକ ଅଭିବୃଦ୍ଧି ଆଣିବା ସହ ଓଡ଼ିଶାର ଖ୍ୟାତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ତାଙ୍କର ଉଦ୍ୟମ ପ୍ରଣିଧାନଯୋଗ୍ୟ। ଓଡ଼ିଆ ଲୋକଟିଏ ଯେତେବେଳେ କିଛି ନୂଆ କରିବାକୁ ଚେଷ୍ଟା କରିବ ସେତିକିବେଳେ ମଧୁବାବୁଙ୍କ ପ୍ରେରଣା ତାଙ୍କୁ ପ୍ରୋତ୍ସାହିତ କରିବ ବୋଲି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନାଚକ୍ର ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
‘ଓଡ଼ିଆ ଅସ୍ମିତା ଏବଂ ମଧୁବାବୁ’ ବିଷୟବସ୍ତୁକୁ ନେଇ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗର ସମ୍ମିଳନୀ କକ୍ଷରେ ବୁଧବାର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦୈନିକ ସମ୍ବାଦପତ୍ର ‘ସମୟ’ର ମୁଖ୍ୟ ସମ୍ପାଦକ ତଥା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୌତ୍ର ଗୁରୁକଲ୍ୟାଣ ମହାପାତ୍ର କହିଥିଲେ ଯେ ଓଡ଼ିଶାର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ନବଜାଗରଣ ପାଇଁ ମଧୁବାବୁଙ୍କ ଅବଦାନ ଅବିସ୍ମରଣୀୟ। ମଧୁବାବୁ ହେଉଛନ୍ତି ଆଧୁନିକ ଓଡ଼ିଶାର ରାଜନୈତିକ ଇତିହାସର ଅଗ୍ରଗଣ୍ୟ ଓ ଅନନ୍ୟ ବ୍ୟକ୍ତିତ୍ୱ।

ଅତିଥି ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଗାନ୍ଧିବାଦୀ ଚିନ୍ତକ ଓ ସ୍ତମ୍ଭକାର ପ୍ରହଲ୍ଲାଦ କୁମାର ସିଂହ ମଧୁବାବୁଙ୍କ ଓଡ଼ିଆ ଅସ୍ମିତାର ଯୁଗ ପୁରୁଷ ବୋଲି ବିବେଚିତ କରି କହିଥିଲେ, ମଧୁସୂଦନ ଦାସଙ୍କ ନୀତି ଆଦର୍ଶକୁ ଆଜିର ଦିନରେ ଆମେ କେତେ ଦୂର ପ୍ରତିଫଳିତ କରିପାରିଛେ ତାହାର ଆତ୍ମଚିନ୍ତନର ଆବଶ୍ୟକତା ରହିଛି। ୧୮୪୮ରେ ଜନ୍ମ ଓ ୧୯୩୪ ଫେବୃଆରୀ ୪ରେ ପରଲୋକ ଗମନ କରିଥିବା ମଧୁବାବୁଙ୍କ ଜୀବନୀ ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ । ଊନବିଂଶ ଶତାବ୍ଦୀ ପୂର୍ବରୁ ଏବଂ ପ୍ରାରମ୍ଭରେ ଓଡ଼ିଶାର ରାଜନୈତିକ ପରିସ୍ଥିତି, ଅର୍ଥନୈତିକ ଅବସ୍ଥା, ଉତ୍କଳ ସମ୍ମିଳନୀ, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ସ୍ୱାଭିମାନର ସୁରକ୍ଷା ଏବଂ ସର୍ବୋପରି ଓଡ଼ିଶାରେ ନବଜାଗରଣର ଅଭ୍ୟୁଦୟରେ ତାଙ୍କର ଭୂମିକା ଥିଲା ଅପରିସୀମ। ଓଡ଼ିଆ ଜାତିର ଉନ୍ନତି ପାଇଁ ସେ ନିଜର ସବୁକିଛି ଉତ୍ସର୍ଗ କରିଦେଇଥିଲେ। ଫଳ ସ୍ୱରୂପ ଶେଷ ଜୀବନରେ ସେ ଦେବାଳିଆ ହୋଇଯାଇଥିଲେ। ସେଭଳି ଜଣେ ବରପୁତ୍ରଙ୍କ ଜୀବନାଦର୍ଶକୁ ପାଥେୟ କରି ଓଡ଼ିଶାର ଯୁବପିଢ଼ି ଅଗ୍ରସର ହେଲେ ବିଶ୍ୱ ମାନଚିତ୍ରରେ ଓଡ଼ିଶାର ପରିଚିତି ଅଧିକ ଜାଜ୍ଜ୍ୱଲ୍ୟମାନ ହେବ ଏ କଥାରେ ସନ୍ଦେହ ନାହିଁ ବୋଲି ସେ ପ୍ରକାଶ କରିଥିଲେ।
ମଧୁବାବୁ ବହୁକ୍ଷେତ୍ରରେ ଥିଲେ ପ୍ରଥମ ଓଡ଼ିଆ । ଓଡ଼ିଶାର ପ୍ରଥମ ସ୍ନାତକ, ପ୍ରଥମ ଏମ୍.ଏ, ପ୍ରଥମ ଓକିଲ, ବିହାର ଓଡ଼ିଶା ଲେଜିସଲେଟିଭ କାଉନସିଲ୍ର ପ୍ରଥମ ମନ୍ତ୍ରୀ ଭାବେ ସେ ନିଜର ସ୍ୱକୀୟ ପରିଚୟ ସୃଷ୍ଟି କରିଯାଇଛନ୍ତି। ଓଡ଼ିଶାର ଅର୍ଥନୈତିକ ବିକାଶ ସହ ଜନଜାତି ଓ ନାରୀ ଶିକ୍ଷା ସହ ସେମାନଙ୍କର ଉତ୍ଥାନ ପାଇଁ ମଧୁବାବୁଙ୍କର ଅବଦାନ ଅବିସ୍ମରଣୀୟ ବୋଲି ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡଃ ଭାରତୀ ପାଲ କହିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ ଯୋଗଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନୁହେଁ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତିଷ୍ଠା ଓ ପରିଚିତି ନିମନ୍ତେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବହୁମୁଖୀ ଅବଦାନ ପ୍ରାତଃସ୍ମରଣୀୟ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ଉପ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିଭାଗର ଅନୁଶାସନ ସଚିବ ମୌସୁମୀ ଦାସ ଅତିଥି ପରିଚୟ ଓ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ।
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଗୁରୁବୀର ସିଂ, ଅତିରିକ୍ତ ସଚିବ ଅଶୋକ କୁମାର ବେହୁରିଆ, ସହକାରୀ ବିତ୍ତ ପରାମର୍ଶଦାତା ପୃଥ୍ୱୀରାଜ ପାଣି, ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱଜିତ ଦାଶ, ବିଭାଗର ବହୁ ବରିଷ୍ଠ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ କର୍ମଚାରୀଙ୍କ ସମେତ ପ୍ରମୁଖ ବୁଦ୍ଧିଜୀବୀ ସଭାରେ ଯୋଗ ଦେଇଥିଲେ।