ଭୁବନେଶ୍ୱର:୨୩/୨-ଆମର ‘ଅନ୍ନଦାତା’ କୃଷକ ଭାଇଭଉଣୀଙ୍କ ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ପାଇଁ ଆମ ସରକାର ଦୃଢ଼ ସଂକଳ୍ପବଦ୍ଧ। ରାଜ୍ୟର ପ୍ରତ୍ୟେକ ଚାଷୀଙ୍କ ପାଇଁ ସ୍ୱଚ୍ଛତା, ସୁନିଶ୍ଚିତ ଆୟ ଏବଂ ସମ୍ମାନଜନକ ଜୀବନ ବଞ୍ଚିବାର ଅଧିକାର ପ୍ରଦାନ କରିବା ଆମର ପ୍ରାଥମିକତା ବୋଲି ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜସ୍ୱମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି। ସେ କହିଛନ୍ତି, ଆମେ ସତ୍ୟକୁ ଲୁଚାଉନାହୁଁ। ରାଜ୍ୟରେ ଭିତ୍ତିଭୂମିର ଅଭାବ, କେତେକ ସ୍ଥାନରେ ଗୋଡାଉନ ସମସ୍ୟା, ଇନପୁଟ ସହାୟତା ପ୍ରଦାନ ପରେ ଅଧିକ ଚାଷୀ ପଞ୍ଜୀକରଣ, ଅଧିକ ଚାଷଜମି ପଞ୍ଜୀକରଣ ଓ ଅନ୍ୟ ଫସଲ ପରିବର୍ତ୍ତେ ଧାନ ଚାଷର ପ୍ରବଣତା ବୃଦ୍ଧି ହେବା ଫଳରେ କେତେକ ପ୍ରାରମ୍ଭିକ ଚାପ ସୃଷ୍ଟି ହୋଇଥିବା କଥା ଆମେ ସ୍ୱୀକାର କରୁଛୁ। ଏହା ଆମର କୃଷି ନୀତିର ସଫଳତାର ପ୍ରତିଫଳନ। ଚାଷୀ ଆଜି ବିଶ୍ୱାସ କରୁଛନ୍ତି ଯେ ସରକାର ତାଙ୍କ ପାଖରେ ଅଛି। ଏହି ଚାପକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଉଛି।

ଭିତ୍ତିଭୂମି ଗଢ଼ି ତୋଳିବା ଏକ ସମୟ ସାପେକ୍ଷ ଏବଂ ପର୍ଯ୍ୟାୟକ୍ରମିକ ପ୍ରକ୍ରିୟା। ଦୀର୍ଘଦିନ ଧରି ଅବହେଳିତ ଅଞ୍ଚଳଗୁଡ଼ିକରେ ଗୋଟିଏ ଦିନରେ ପରିବର୍ତ୍ତନ ଆଣିହେବ ନାହିଁ। କିନ୍ତୁ ଆମ ସରକାର ଯୋଜନାବଦ୍ଧ ଭାବରେ ଏହାକୁ ସୁଦୃଢ଼ କରିବାକୁ ଦୃଢ଼ ପଦକ୍ଷେପ ନେଇଛି। -ମଣ୍ଡିରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୯୭୩ଟି ଭିତ୍ତିଭୂମି ଉନ୍ନୟନ କାମ ଆରମ୍ଭ କରାଯାଇଛି। ଏହାମଧ୍ୟରୁ ୨୧୨ଟି କାମ ସମ୍ପୂର୍ଣ୍ଣ ହୋଇସାରିଛି। ଅନ୍ୟ ୪୬୬ଟି କାମ ଶୀଘ୍ର ସମାପ୍ତି ପଥରେ ଅଛି। ରାଜ୍ୟରେ ୧୦୦ଟି ମଡେଲ୍ ମଣ୍ଡି ସ୍ଥାପନ କରାଯିବ ଓ ୫ ଲକ୍ଷ ମେଟ୍ରିକ୍ ଟନ କ୍ଷମତା ବିଷିଷ୍ଟ ଗୋଦାମ ଗୃହ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ଏଥିରୁ ସ୍ପଷ୍ଟ ଯେ, ଆମ ସରକାର ଅସ୍ଥାୟୀ ବ୍ୟବସ୍ଥାରେ ନୁହେଁ, ସ୍ଥାୟୀ ସମାଧାନରେ ବିଶ୍ୱାସ କରେ। ଆଜିର ଚାପକୁ ସୁଯୋଗରେ ପରିଣତ କରି ଆସନ୍ତା ଦିନରେ ଅଧିକ ସୁବିଧାସମ୍ପନ୍ନ ଓ ଆଧୁନିକ ମଣ୍ଡି ବ୍ୟବସ୍ଥା ଗଢ଼ି ତୋଳିବା ଆମର ଲକ୍ଷ୍ୟ। ସମଗ୍ର ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଶୃଙ୍ଖଳିତ, ବ୍ୟବସ୍ଥିତ ଏବଂ ସ୍ୱଚ୍ଛ ଭାବେ ଆଗେଇ ଚାଲିଛି। ମଣ୍ଡିଗୁଡ଼ିକରେ ସାମାନ୍ୟ କେତେକ ଅବ୍ୟବସ୍ଥା ହୋଇଥିଲେ ମଧ୍ୟ କୌଣସି ବିଶୃଙ୍ଖଳା ନାହିଁ, ଧାନ ଉଠାଇବାରେ କୌଣସି ସ୍ଥାଣୁତା ନାହିଁ କିମ୍ବା ଚାଷୀଙ୍କ ପ୍ରାପ୍ୟ ପ୍ରଦାନରେ କୌଣସି ବିଳମ୍ବ ନାହିଁ। ସମସ୍ତସ୍ତରରେ ନିରନ୍ତର ତଦାରଖ ମାଧ୍ୟମରେ ଏହି ବ୍ୟବସ୍ଥା ସମନ୍ୱିତ ଭାବେ କାର୍ଯ୍ୟ କରୁଛି।
ଚାଷୀଙ୍କ ସୁବିଧା ପାଇଁ ଟୋକନ୍ ପ୍ରଦାନ ପ୍ରକ୍ରିୟାକୁ ପର୍ଯ୍ୟାୟକ୍ରମେ ଓ ସ୍ୱଚ୍ଛ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କ୍ଷୁଦ୍ର, ନାମମାତ୍ର ଏବଂ ଭାଗଚାଷୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବୃହତ ଚାଷୀଙ୍କ ସହ ସମସ୍ତ ବର୍ଗକୁ ସାମିଲ କରାଯାଇଛି, ଯେପରି ପ୍ରତିଟି ଯୋଗ୍ୟ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟରେ ନିଜର ଧାନ ବିକ୍ରି କରିବାର ସୁଯୋଗ ପାଇବେ। ଆମର ଲକ୍ଷ୍ୟ ସ୍ପଷ୍ଟ। କୌଣସି ପ୍ରକୃତ ଚାଷୀ ଏଥିରୁ ବଞ୍ଚିତ ହେବେ ନାହିଁ। ଆମେ ୨୦୨୪-୨୫ ରେ ୯୨.୬୪ ଲକ୍ଷ ମେଟ୍ରିକ ଟନ୍ରୁ ଅଧିକ ଧାନ ସଂଗ୍ରହ କରି ଏକ ଐତିହାସିକ ସଫଳତା ଲାଭ କରିଛୁ, ଯେଉଁଥିରେ ୧୯ ଲକ୍ଷ ୭୩ ହଜାର ଚାଷୀ ସାମିଲ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ସହ ‘ସମୃଦ୍ଧ କୃଷକ ଯୋଜନା’ ଅଧୀନରେ ଅତିରିକ୍ତ ସହାୟତା ଯୋଗାଇ ଦେଇ ଆମେ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୩,୧୦୦ ଟଙ୍କା ପ୍ରଦାନ ସୁନିଶ୍ଚିତ କରିଛୁ । ପ୍ରାୟ ୨୮,୭୧୯ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି, ଯାହା ରାଜ୍ୟ ଇତିହାସରେ ସର୍ବାଧିକ। ଏହା ଚାଷୀଙ୍କ ଆର୍ôଥକ ସୁରକ୍ଷା ପ୍ରତି ଆମର ନିଷ୍ଠାକୁ ପ୍ରମାଣିତ କରେ।
ତୁଳନାତ୍ମକ ତଥ୍ୟ- ୨୦୨୩-୨୪ ବନାମ ୨୦୨୫-୨୬
ପୂର୍ବ ସରକାରଙ୍କ ସମୟରେ ୨୦୨୩-୨୪ ରେ ଉଭୟ ଖରିଫ ଓ ରବି ଋତୁରେ (୫୮.୦୩ ଲକ୍ଷ ମେଟ୍ରିକ ଟନ+୧୨.୮୫ଲକ୍ଷ ମେଟ୍ରିକ ଟନ ) ମୋଟ ୭୦.୮୮ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା ଏବଂ ଏଥିରେ (୧୩.୩୬ +୧.୯୬) ୧୫.୩୨ ଲକ୍ଷ ଚାଷୀ ଉପକୃତ ହୋଇଥିଲେ। କିନ୍ତୁ ଆମ ସରକାରଙ୍କ ଚଳିତ ୨୦୨୫-୨୬ କେବଳ ଖରିଫ ଋତୁରେ ଆଜି ସୁଦ୍ଧା ୬୩.୪୬ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇସାରିଛି, ଯେଉଁଥିରେ ୧୪.୮୩ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। ଏହି ପ୍ରକ୍ରିୟା ମାର୍ଚ୍ଚ ମାସ ୩୧ ତାରିଖ ଯାଏ ଚାଲିବ।
ବିରୋଧୀ ବନ୍ଧୁମାନେ ରାଜନୈତିକ ସଂକୀର୍ଣ୍ଣତାରୁ ଉପରକୁ ଉଠି ଏହି ପରିବର୍ତ୍ତନକୁ ସ୍ୱୀକାର କରନ୍ତୁ ଏବଂ ଆଲୋଚନାକୁ ଆସନ୍ତୁ। ବ୍ୟବସ୍ଥାକୁ ସ୍ୱଚ୍ଛତାର ସର୍ବୋଚ୍ଚସ୍ତରକୁ ନେବାପାଇଁ ପ୍ରତ୍ୟେକ ପରାମର୍ଶ ସରକାରଙ୍କ ପାଇଁ ସ୍ୱାଗତଯୋଗ୍ୟ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଅନେକ କିଛି କହିଛନ୍ତି ତେବେ ଇନପୁଟ ସହାୟତାରେ ଚାଲିଥିବା ଅନିୟମିତତା ସମ୍ପର୍କରେ ସୂଚନା ଦେଇନାହାନ୍ତି। ସେହିପରି ମଣ୍ଡିରେ ଅବ୍ୟବସ୍ଥା, ଭାଗଚାଷୀଙ୍କ ସମସ୍ୟା ପରି ଅନେକ ପ୍ରସଙ୍ଗରେ ସରକାର ଗୋପନୀୟତା ଅବଲମ୍ବନ କରୁଥିବା କହିଲେ ଭୁଲ ହେବନି।