ହଳଧର ଧୀର
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧି ଓ ପ୍ରଚାର ପ୍ରସାର କଥାର ସ୍ୱର ଅତ୍ୟନ୍ତ ମଧୁର ଶୁଭୁଥାଏ। ବନ୍ଦେ ଉତ୍କଳ ଜନନୀର ବାସ୍ତବତାକୁ ଆମ୍ଭେମାନେ ଅନୁଭବ କରିଥାଉ । ଏହାର ସ୍ଥିତିକୁ ବଜାୟ ରଖିବା ଲାଗି କେତେ ମହାମନୀଷୀ ଓ ଏହାର ସୃଷ୍ଟିକର୍ତ୍ତାଙ୍କର ଦାୟଦମାନଙ୍କ ନିରବଚ୍ଛିନ୍ନ ସଂଘର୍ଷ ଏବଂ ଉଦ୍ୟମ ଫଳରେ ଆଜି ଏହାର ସ୍ଥିତି ସୁଦୃଢ଼ ହୋଇ ପାରିଛି । ମା’, ମାଟି ଓ ମାତୃଭୂମିର ସମ୍ମାନ ବୃଦ୍ଧି ହୋଇ ପାରିଛି । ମା’ ଓ ମାଟିର ସମ୍ମାନ ଓ ସୁରକ୍ଷା କଥା ଆମ୍ଭେମାନେ ଚିନ୍ତା କରି ପାରୁଛୋ ଏହା ସତ୍ୟ ଯେ ଜଗତର ନାଥ ଜଗନ୍ନାଥଙ୍କୁ ଛାଡ଼ି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବାସ୍ତବ ଚିତ୍ର ଆଙ୍କିବା ଅସମ୍ଭବ । ପବିତ୍ର ପତିତପାବନ ବାନା ସମଗ୍ର ବିଶ୍ୱକୁ ମାନବ ବୋଧତାର ଚିରନ୍ତନ ଭାଷା ଶୁଣାଇ ଆସୁଛି । ଭାଷା ଯେକୌଣସି ଜାତିର ସାହିତ୍ୟ ଓ ସଂସ୍କୃତିର ରକ୍ଷକ । ଭାଷାର ଉନ୍ନତି ବିନା ଆମ ଜାତି ଓ ଦେଶର ଉନ୍ନତି କଥା ଚିନ୍ତା କରିବା ଅସମ୍ଭବ । ଆଜିର ସଙ୍କଟମୟ ସମୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଦିଗରେ ସାହିତ୍ୟମାନଙ୍କର ଗୁରୁ ଦାୟିତ୍ୱ ରହିଛି । ଜଗନ୍ନାଥଙ୍କୁ ଛାଡ଼ି ଓଡ଼ିଆ ଭାଷା ସାହିତ୍ୟ ଓ ଓଡ଼ିଆ ଅସ୍ମିତାର କଥା ଚିନ୍ତା କରାଯାଇପାରେନା। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସାଧାରଣ ଜନତା ଓ ସାହିତ୍ୟିକମାନଙ୍କ ମଧ୍ୟରେ ସାରସ୍ୱତ ସମ୍ପର୍କର ସେତୁ ସ୍ଥାପନ ନ ହୋଇ ପାରିଲେ ଓଡ଼ିଆ ଅସ୍ମିତାର ସ୍ଥିତି ବଜାୟ ରହିପାରିବତ? କାହିଁ କେଉଁ କାଳରୁ ଆମ ଓଡ଼ିଆ ଭାଷାକୁ ଧ୍ୱଂସ କରିବାକୁ ମୋଗଲ ଶକ୍ତିଠାରୁ ଆରମ୍ଭ କରି ପାଶ୍ଚାତ୍ୟ ଶକ୍ତି ପର୍ଯ୍ୟନ୍ତ ଅନେକ ଉଦ୍ୟମ କରି ମଧ୍ୟ ଆମ ଓଡ଼ିଆ ଭାଷାର ବିଲୋପ ଘଟାଇ ପାରିନାହାନ୍ତି କି ଏହାକୁ ଖଣ୍ଡିତ କରି ପାରିନାହାନ୍ତି।
ହଁ ଏହା ସତ୍ୟ ଯେ, ସମାଜ ଉପରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ପଡୁଛି। ଭାଷା, ସାହିତ୍ୟ ଓ ସଂସ୍କୃତି ଦିଗହରା ହେବାରେ ଲାଗିଛି। ଏଭଳି ଅବସ୍ଥ୍ରାରେ ଓଡ଼ିଆ ଭାଷା, ଅସ୍ମିତାର ସୁରକ୍ଷା ଲାଗି ସଂଗ୍ରାମ କରି ଆସିଥିବା ପୂର୍ବସୂରୀମାନଙ୍କ ଆଦର୍ଶ ଓ ଆଶୀର୍ବାଦକୁ ନେଇ ଭାଷା ଆନ୍ଦୋଳନ କ’ଣ କଡ଼ ଲେଉଟାଇବ? ଆଜି ଯେତେବେଳେ ଓଡ଼ିଆ ଭାଷାର ଅନ୍ତଃସ୍ୱରକୁ ଆମ୍ଭେମାନେ ଅଣଦେଖା କରି ଆସୁଛେ । ଓଡ଼ିଆ ଅସ୍ମିତାର ସ୍ଥିତି ଓ ପ୍ରଗତି ପ୍ରତି ଆମ୍ଭମାନଙ୍କର ଚିନ୍ତା ଓ ଚେତନା ଲୋପ ପାଇଯାଉଛି । ସେପରି ସ୍ଥିତିରେ ଓଡ଼ିଆ ଭାଷା, ଓଡ଼ିଆ ଅସ୍ମିତାର ସ୍ଥିତି ବଜାୟ ରହିପାରିବ ତ? ସରକାର ଓଡ଼ିଆ ଅସ୍ମିତାର କଥା କହି ଆଜି କ୍ଷମତାରେ। କ୍ଷମତାକୁ ଆସିବା ପରେ ସତରେ କଣ ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ସ୍ଥିତି ମଜଭୂତ ହୋଇ ପାରିଛି? ଏହାର ଉତ୍ତର କେବଳ ଓଡ଼ିଶାବାସୀଙ୍କ ନିକଟରେ । ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ସଂଗଠନଗୁଡ଼ିକ ଓଡ଼ିଆ ଅସ୍ମିତାର ଅଂଶ ବିଶେଷ । ଆଜି କଳା, ସାହିତ୍ୟ, ସଂସ୍କୃତି ଓ ସଂଗଠନ ଗୁଡ଼ିକର ଉନ୍ନତି ଘଟି ପାରିଛି କି? ସରକାର ହୁଅନ୍ତୁ ବା ସାରସ୍ୱତ ସ୍ରଷ୍ଟା, ଥରେ ଅହଂକାର ବଶବର୍ତ୍ତୀ ହୋଇଗଲେ ଆଉ ପଛକୁ ଫେରିପାରେ ନାହିଁ । ସତରେ କଣ କାଳିଆ ଲେଉଟିବ, ମା, ମାଟି, ମାତୃଭାଷାର ସୁରକ୍ଷା ହୋଇପାରିବ? ଆଜି ଓଡ଼ିଆ ଅସ୍ମିତା ସରକାରୀ କଳ ଆଉ ତୋଷାମଦିଆ ସାହିତ୍ୟିକମାନଙ୍କ କବଳରେ କବଳିତ। ଏପରି ସ୍ଥିତିରେ କ’ଣ ଓଡ଼ିଆ ଅସ୍ମିତା ସେମାନଙ୍କ କବଳରୁ ମୁକୁଳି ପାରିବ?
ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ଓଡ଼ିଶା ସାହିତ୍ୟ ଏକାଡ଼େମୀ ଗୁଣ ଖଜୁରୀ ଗଛର ପାହାଚ ସଦୃଶ । କେନ୍ଦ୍ର ସାହିତ୍ୟ ଏକାଡେମୀ ସାହିତ୍ୟିକ ମାନଙ୍କ ମଧ୍ୟରେ ବାଛବିଚାର ଭାବକୁ ନେଇ ଓଡ଼ିଶାର ବହୁ ସାହିତ୍ୟିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଓଡ଼ିଆ ଭାଷାର ସାହିତ୍ୟିକମାନଙ୍କ ଅସନ୍ତୋଷର ଭାବକୁ ଠିକ୍ ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ କର୍ତ୍ତୃପକ୍ଷ ଅନୁଭବ କରି ପାରୁନାହାଁନ୍ତି । ଏହା କେମିତି ବା ସମ୍ଭବ ହୋଇପାରିବ ? ଓଡ଼ିଶାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଥିବା କର୍ମକର୍ତ୍ତାମାନେ ତ ନିଜ ଅନୁଗତମାନଙ୍କ ମାୟାର ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । କେବଳ ନିଜର ପଦ ପଦବୀର ସୁରକ୍ଷା ହିଁ ସେମାନଙ୍କର ବଡ଼ଚିନ୍ତା । ସେମାନଙ୍କ କାର୍ଯ୍ୟକାଳ କିପରି ଭଲରେ ଭଲରେ କଟିଯାଉ । ଗୋଟିଏ କଥା ମନେ ପଡ଼େ ଏକଦା ଓଡ଼ିଶାର ଏକ ପ୍ରତିଷ୍ଠିତ ବଡ଼ ଅନୁଷ୍ଠାନର ସାହିତ୍ୟ ସଭାରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଯୋଗଦେଇଥାନ୍ତି ସେହି ସଭାରେ ଏକାଡ଼େମୀର ସଭାପତି ଓଡ଼ିଶା କର୍ମକର୍ତ୍ତର୍ାମାନଙ୍କ ସମ୍ପର୍କରେ କେତେକ ପ୍ରଶ୍ନର ସମ୍ମୁଖିନ ହୋଇଥିଲେ। ପ୍ରଶ୍ନକର୍ତ୍ତର୍ା ସାହିତ୍ୟିକମାନେ ନିବେଦନ କରିବାର କିଛି ଦିନ ପରେ ଦେଖା ଗଲା ଦାୟିତ୍ୱରେ ଥିବା ଓଡ଼ିଶାର ସେହି ମହାନ ହସ୍ତୀ ଏହି ସମ୍ମାନଜନକ ଦାୟିତ୍ୱରୁ ଅବ୍ୟାହିତ ନେଇ ଯାଇଛନ୍ତି । ଆଉ ସେହି ସଭାରେ ଏକାଡେମୀ ସଭାପତିଙ୍କ ସହ ସୌଜନ୍ୟ ଭାବ ବିନିମୟ କରିଥିବା ଓଡ଼ିଶାର କେତେଜଣ ଜଣାଶୁଣା ଲେଖକ ଏକ ପ୍ରତିଷ୍ଠିତ ସମ୍ବାଦପତ୍ରର ଗୁରୁଦାୟିତ୍ୱ ବହନ କରୁଥିବା ସାହିତ୍ୟିକ ଜଣକ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଦାୟିତ୍ୱ ନିର୍ବାହ କରୁଛନ୍ତି । କିଛି ଦିନ ସବୁ ଠିକ୍ ଠାକ୍ ଚାଲିଥିଲା । ସାହିତ୍ୟିକମାନଙ୍କ ମଧ୍ୟରେ ସାରସ୍ୱତ ସମ୍ପର୍କର ସେତୁ ତିଆରି ହୋଇ ପାରିଥିଲା ସେ ମଧ୍ୟ ଅନେକ ସୁନାମ ସାଉଁଟିଥିଲେ । ସାଧାରଣ ସାହିିତ୍ୟିକଟି ତାଙ୍କ ଉପରେ ବେଶ୍ ବିଶାସ ଓ ଭରସା ରଖିଥିଲା । କିନ୍ତୁ ପରବର୍ତ୍ତର୍ୀ କ୍ଷେତ୍ରରେ କ’ଣ ହେଲା କେଜାଣି ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ବଦଳିଗଲା । ଓଡ଼ିଶାର କର୍ମକର୍ତ୍ତାମାନଙ୍କ ଉପରେ ନାନା ପ୍ରଶ୍ନବାଚୀର ମୋହର ଲାଗିଗଲା । ଏ କ୍ଷେତ୍ରରେ ଅଖ୍ୟାତ ସାହିତ୍ୟିକଟି ଆକାଶର ତାର ଗଣିବା ଛଡ଼ା ବା ତାର ଆଉ କଣ ଉପାୟ ଅଛି?
ଓଡ଼ିଶା ସାହିତ୍ୟ ଏକାଡ଼େମୀ କଥା କ’ଣ ଆଲୋଚନା କରାଯାଇ ପାରେ ? କେନ୍ଦ୍ର ସାହିତ୍ୟ ଏକାଡେମୀ ପରି ସମାନ ଅବସ୍ଥା । ଯେଉଁମାନେ ଅତୀତରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସହ ଯୋଡ଼ି ହୋଇ ରହିଥିଲେ, ଏକାଡ଼େମୀ ସହ ସୁନ୍ଦର ସମ୍ପର୍କ ରହି ଆସୁଥିଲା । ସେହି ସାହିତ୍ୟିକମାନଙ୍କ ମଧ୍ୟରୁ କେତେକ ଏକାଡେମୀ ପାଖରେ ଆଜି ଅଦରକାରୀ ଲେଖକ ଭାବେ ପରିଗଣିତ ହୋଇ ପଡ଼ିଛନ୍ତି । ଆଉ ଏକାଡ଼େମୀ ଦୃଷ୍ଟିରେ ପୁରୁଣା ସାହିତ୍ୟ ସଂଗଠନ ଗୁଡ଼ିକର ସ୍ଥିତି ନକହିବା ଭଲ । ଏକଦା ଓଡ଼ିଶାରେ ସାହିତ୍ୟ ଆନ୍ଦୋଳନର ଜୟଯାତ୍ରାକୁ ସାଫଲ୍ୟ କରି ଅଖ୍ୟାତ ପଲ୍ଲୀର ସାହିତ୍ୟିକ, ସହରୀ ସାହିତ୍ୟିକ ଓ ସାମ୍ପ୍ରତିକ ସମୟରେ ବଡ଼ବଡ଼ ସାହିତ୍ୟିକ ବୋଲାଉଥିବା ସାହିତ୍ୟିକମାନଙ୍କ ମଧ୍ୟରେ ସୁସମ୍ପର୍କର ସାରସ୍ୱତ ସେତୁ ତିଆରି କରି ଆସୁଥିବା ସେହି ସାହିତ୍ୟ ଅନୁଷ୍ଠାନ ଗୁଡ଼ିକୁ ସାଂପ୍ରତିକ ସ୍ଥିତିରେ ନିଜର ପରିଚୟ ଏକାଡ଼େମୀର କର୍ତ୍ତୃପକ୍ଷକଙ୍କ ନିକଟରେ ଦେବାକୁ ପଡ଼ୁଛି। ଯେଉଁ ସ୍ୱାଭିମାନୀ ସାହିତ୍ୟ ସଂଗଠନ ଗୁଡ଼ିକ ନିଜର ପରିଚୟ ଦେବାକୁ କୁଣ୍ଠାବୋଧ କରି ବାହାରେ ରହି ଓଡ଼ିଶା ସାହିତ୍ୟ ଏକାଡ଼େମୀର କାର୍ଯ୍ୟକଳାପ ପ୍ରତି ତୀକ୍ଷ୍ମ ଦୃଷ୍ଟି ନିକ୍ଷେପ କରି ଆସୁଛନ୍ତି ସେହି ଅନୁଷ୍ଠାନ ଗୁଡ଼ିକୁ ଏକାଡ଼େମୀଠାରୁ ଦୂରେଇ ରଖାଯାଉଛି । ସାହିତ୍ୟ ଏକାଡ଼େମୀର ମୌଳିକ କାର୍ଯ୍ୟଧାରା ହେଉଛି ସାହିତ୍ୟିକମାନଙ୍କ ମଧ୍ୟରେ ସାରସ୍ୱତ ସମ୍ପର୍କର ସେତୁବନ୍ଧ ତିଆରି କରିବା ଆଉ ଅଖ୍ୟାତ ପଲ୍ଲୀର ସାହିତ୍ୟକଟିକୁ ସନ୍ଧାନ କରି ଲୋକଲୋଚନକୁ ଆଣିବା । ଅଖ୍ୟାତ ଅଞ୍ଚଳରେ ସାହିତ୍ୟ ସହ ଓଡ଼ଆ ଭାଷାର ଜାଗରଣ ସୃଷ୍ଟି କରିବା ଦିଗରେ କ’ଣ ଏକାଡ଼େମୀ କାର୍ଯ୍ୟପନ୍ଥା ଗ୍ରହଣ କରିପାରୁଛି? ସହରୀ ସଂସ୍କୃତି ପାଖରେ ଏକାଡ଼େମୀ ସୀମା ବଦ୍ଧ ହୋଇ ଯାଉଛି ବୋଲି ଅଖ୍ୟାତ ପଲ୍ଲୀର ସାହିତ୍ୟିକମାନଙ୍କର ସ୍ୱର ଶାଣିତ ହେଲାଣି । ସ୍ୱାଭିମାନୀ ସାହିିତ୍ୟିକ ଓ ପୁରାତନ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ଗୁଡ଼ିକୁ ଅଣଦେଖା କରିବା ଏକାଡ଼େମୀର ଏକ ପରମ୍ପରା ହୋଇ ରହିଛି ।
ଓଡ଼ିଶା ସାହିତ୍ୟ ଏକାଡ଼େମୀର ସମ୍ବିଧାନ ପରିବର୍ତ୍ତନ ପାଇଁ ବହୁ ବର୍ଷ ଧରି ଦାବୀ ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ସରକାର ନାଁ ସାଧାରଣ ପରିଷଦ ନାଁ ଏକାଡ଼େମୀ କର୍ତ୍ତୃପକ୍ଷ କେହି ବି ଧ୍ୟାନ ଦେଉନାହାନ୍ତି । ଭୁଲ ସମ୍ବିଧାନ ଯୋଗୁ ଲେଖକମାନେ ନନ୍ଦିତ ଓ ଲଜ୍ଜିତ ଦେଉଛନ୍ତି । ଏହି ଭୁଲ ସମ୍ବିଧାନ ଯୋଗୁ ସରକାରଙ୍କ ଦ୍ୱାରା ମନୋନିତ ହୋଇଥିବା ସାହିତ୍ୟିକ ମାନେ ଏକାଡ଼େମୀ ଲାଗି ମୁଣ୍ଡ ବ୍ୟଥାର କାରଣ ହୋଇଥାନ୍ତି । ସେମାନେ ଅନ୍ୟ ସଦସ୍ୟମାନଙ୍କ ସମ୍ପର୍କରେ କିଛି ନଜାଣି ସେହି ନୂତନ ସମସ୍ୟମାନଙ୍କୁ ଭୋଟ ମାଧ୍ୟମରେ ନିର୍ବାଚିତ କରିଥାନ୍ତି । ଏହି ନିର୍ବାଚନକୁ ନେଇ ବେଳେବେଳେ ରୋଚକ ପରିସ୍ଥିତି ସୃଷ୍ଟି ହୋଇଥାଏ । ଏକାଡ଼େମୀ ସମ୍ବିଧାନର ଭୁଲ ନିୟମ ଯୋଗୁ ଜଣେ ସାହିତ୍ୟକୁ ତାର ଅଜାଣତରେ ନିନ୍ଦିତ ଓ ଅପମାନିତ ହେବାକୁ ପଡ଼ିଥାଏ ।
ସରକାରଙ୍କ ଦ୍ୱାରା ଜଣେ ମନୋନୀତ ସଦସ୍ୟ ଯେ କୌଣସି ବ୍ୟକ୍ତିଙ୍କର ନାମକୁ ତାଙ୍କ ଅଜାଣତରେ ତାଙ୍କର ବିନା ଅନୁମତିରେ ପ୍ରାର୍ଥୀ ଭାବେ ପ୍ରସ୍ତାବ କରିପାରିବେ । ସେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ହୋଇଥାନ୍ତୁ କି ସରକାରୀ କଳର କ୍ଷମତାସୀନ ବ୍ୟକ୍ତି ହୋଇଥାନ୍ତୁ ବା କ୍ଷମତାସୀନ ବିରୋଧୀ ରାଜନୈତିକ ଦଳର କ୍ଷମତାଧାରୀ ବ୍ୟକ୍ତି ହୋଇଥାନ୍ତୁ କିମ୍ବା ଉଚ୍ଚ ପଦପଦବୀରେ ବସିଥିବା ସମ୍ମାନୀୟ ବ୍ୟକ୍ତି ହୁଅନ୍ତୁ କିମ୍ବା ସାଧାରଣ ମଣିଷଟିଏ ଅଥବା ସାହିତ୍ୟିକଟିଏ ହେଉ ସେମାନଙ୍କର ନାମକୁ ପ୍ରାର୍ଥୀଭାବେ ସରକାରଙ୍କ ଦ୍ୱାରା ମନୋନୀତ ସଦସ୍ୟମାନେ ପ୍ରସ୍ତାବ ଦେଇ ପାରିବେ । ଏହା ଫଳରେ ପ୍ରସ୍ତାବିତ ପ୍ରାର୍ଥୀହୋଇ ବ୍ୟକ୍ତିଟିର ବ୍ୟକ୍ତି ସ୍ୱାଧୀନତା ଲୋପ ପାଇଥାଏ । ଏହା ତାର ସ୍ୱାଭିମାନ ଓ ସମ୍ମାନ ପ୍ରତି ନଗ୍ନ ଆକ୍ରମଣ କହିଲେ ଅତ୍ୟୁକ୍ତ ହେବନାହିଁ । ଏହି ଆକ୍ରମଣରୁ ଉକ୍ତ ଲେଖକ ମଧ୍ୟ ବାଦ୍ ପଡ଼ିନାହିଁ । ହାରିଗଲେ ପ୍ରତିଷ୍ଠିତ ବ୍ୟକ୍ତି ଅପମାନିତ ଓ ନିନ୍ଦିତ ହୁଏ ତା ସହିତ ତାର ବ୍ୟକ୍ତି ସ୍ୱାଧୀନତା ମଧ୍ୟ କ୍ଷୁଣ୍ଣ ହୁଏ ।
ଯଦି ଜଣେ ସରକାରୀ ମନୋନୀତ ସଦସ୍ୟଙ୍କର କୌଣସି ବ୍ୟକ୍ତି ଉପରେ ଅସୂୟା ଭାବ ଥାଏ ତେବେ ସେ ସେହି ବ୍ୟକ୍ତି ଜଣଙ୍କର ନାମକୁ ପ୍ରାର୍ଥୀ ଭାବେ ପ୍ରସ୍ତାବ ଦେଇ ତାକୁ ହରାଇ ସର୍ବସାଧାରଣରେ ସମାଜରେ ନିନ୍ଦିତ କରାଇ ତାର ସମ୍ମାନହାନୀ ଘଟାଇଥାଏ । ତେଣୁ ଏହି ପରି ଭୁଲ ସମ୍ବିଧାନ ବଳରେ ସାମ୍ବିଧାନିକ କ୍ଷମତା ସଦସ୍ୟମାନଙ୍କୁ ଦେବା ଉଚିତ ନୁହେଁ । ଯାହା ସମାଜର ଓ ବ୍ୟକ୍ତିର କ୍ଷତି ଘଟାଇବ। ପ୍ରାର୍ଥୀଙ୍କର ସମ୍ମତି ନଥିଲେ ସେମାନଙ୍କୁ ନିର୍ବାଚନରେ ପ୍ରାର୍ଥୀ ବୋଲି ଘୋଷଣା କରିବା ଉଚିତ ନୁହଁ । ପ୍ରାର୍ଥୀ ନିଜେ ନାମାଙ୍କନ ପତ୍ର ପୂରଣ କରି ଏହାକୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରି ଆଇନଗତ ଭାବେ ନିଜକୁ ପ୍ରାର୍ଥୀ ଘୋଷଣା କରିବା ଉଚିତ । ଏହି ନାମାଙ୍କନ ଫର୍ମରେ ପ୍ରସ୍ତାବକ ଓ ସମର୍ଥକଙ୍କର ସ୍ୱାକ୍ଷର ରହିବା ଲାଗି ନିୟମ ପ୍ରଣୟନ ହେବା ଉଚିତ। ଫଳରେ ବ୍ୟକ୍ତିର ବ୍ୟକ୍ତି ସ୍ୱାଧୀନତା ରକ୍ଷା ହୋଇପାରିବା ସଙ୍ଗେସଙ୍ଗେ ତା ସ୍ୱାଭିମାନ ଓ ସମ୍ମାନ ରକ୍ଷା ହୋଇ ପାରନ୍ତା । ଏଦିଗରେ ସରକାର ଓ ଏକାଡ଼େମୀ କର୍ତ୍ତୃପକ୍ଷ ସହୃଦୟ ତାର ସହ ବିଚାର କରିବାକୁ ବର୍ଷବର୍ଷ ଧରି ନିବେଦନ କରାଯାଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାର ସୁଫଳ ମିଳିପାରି ନାହିଁ । ବର୍ତ୍ତମାନର ସରକାର ଓଡ଼ିଆ ଅସ୍ମିତାର କଥା କହୁଥିବା ବେଳେ ଏହି ବ୍ୟବସ୍ଥାର ପରିବର୍ତ୍ତନ ଓ ସମସ୍ୟାର ସମାଧାନ କରିପାରିବେ ବୋଲି ସାହିତ୍ୟିକ ଓ ବୁଦ୍ଧିଜୀବୀମାନେ ଆଶା ପ୍ରକାଶ କରିଛନ୍ତି । ସବୁଠାରୁ ଦୁଃଖର ବିଷୟ ହେଉଛି ଯେଉଁ ଏକାଡ଼େମୀକୁ ଦୁର୍ନିତି କି କଳଙ୍କ ସ୍ପର୍ଶ କରି ପାରିନଥିଲା ଆଜି ସେହି ଏକାଡ଼େମୀ ଉପରେ ନାନା ପ୍ରଶ୍ନ ଓ ସମସ୍ୟାର କଳା ବାଦଲ ଖଣ୍ଡମାନ ଘୁରିବୁଲୁଛି ତାହାର ଅନ୍ତ କେବେ ହେବ ତାହା ସମୟ ହିିଁ କହିପାରିବ । ସାଧାରଣ ପରିଷଦର କାର୍ଯ୍ୟକାଳ ଶେଷ ହୋଇଥିଲେ ବି ନୂତନ ସାଧାରଣ ପରିଷଦ ଗଠନ ହୋଇ ପାରିଲା ନାହିଁ।
ସମୟାନୁକ୍ରମେ ପୁରସ୍କାର ଦିଆଯିବାର ପ୍ରକ୍ରିୟା ସ୍ଥଗିତ ରହୁଛି । ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକଳାପକୁ ନେଇ ନ୍ୟାୟାଳୟରେ ମାମଲା ଚାଲୁଛି । ଏହିପରି ଅନେକ ସମସ୍ୟାର ବୋଝ ମୁଣ୍ଡେଇ ଏକାଡ଼େମୀ ଗତି କରିଚାଲିଛି । ଓଡ଼ିଶା ସରକାର ଏହି ସମସ୍ୟାଗୁଡ଼ିକ ସମାଧାନ ଲାଗି ଆନ୍ତରିକତାର ସହ ଯଦି ଚିନ୍ତା କରନ୍ତେ ତେବେ ସବୁ ସମସ୍ୟାର ସମାଧାନ ହୋଇପାରନ୍ତା। ପଙ୍ଗୁ ହୋଇ ପଡିଥିବା ଏକାଡ଼େମୀ ଚଳଚଞ୍ଚଳ ହୋଇ ପାରନ୍ତା।
ଆଜି ଓଡ଼ିଆ ଅସ୍ମିତା ସରକାରୀ କଳ ଆଉ ତୋଷାମଦିଆ ସାହିତ୍ୟିକଙ୍କ କବଳରେ କବଳିତ। ସତରେ କ’ଣ ଏପରି ସି୍ଥତିରେ ଓଡ଼ିଆ ଅସ୍ମିତା ସେମାନଙ୍କ କଳବରୁ ମୁକ୍ତି ପାଇ ପାରିବ । ଆଶା ଓ ବିଶ୍ୱାସ ରାଜ୍ୟ ସରକାର ଏହାକୁ ସହୃଦୟତାର ସହିତ ବିଚାର କରି କାର୍ଯ୍ୟପନ୍ଥା ଗ୍ରହଣ କରିବେ। ଆବଶ୍ୟକ ପଦକ୍ଷେପ ନେଇ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ ସହାୟକ ହେବେ।