ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର
ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ‘ଇନଷ୍ଟିଚ୍ୟୁଟ୍ ଅଫ୍ ଟାଉନ୍ ପ୍ଲାନର୍ସ, ଇଣ୍ଡିଆ’ ଓଡ଼ିଶା ଶାଖା ପକ୍ଷରୁ ଏକ ବ୍ୟାପକ ରୂପରେଖ ପ୍ରସ୍ତାବ ଦିଆଯାଇଛି। ଏଥିରେ ବୃତ୍ତିଗତ ନଗର ଯୋଜନାବିତ (ଟାଉନ୍ ପ୍ଲାନର) ମାନଙ୍କର ବଡ଼ ଆକାରରେ ନିଯୁକ୍ତି ଏବଂ ଆନୁଷ୍ଠାନିକ ସଂସ୍କାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକରେ ଏହି ସୁପାରିଶଗୁଡ଼ିକୁ ଉପସ୍ଥାପନ କରାଯାଇଛି। ଏହି ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ନଗର ଯୋଜନା ନିର୍ଦ୍ଦେଶକ ଶତ୍ରୁଘ୍ନ କର, ଆଇ.ଟି.ପି.ଆଇ. ଓଡ଼ିଶା ଶାଖାର ପ୍ରତିନିଧି ଏବଂ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଓଡ଼ିଶାର ସହରୀ ଭବିଷ୍ୟତ ପାଇଁ ନିଜର ଦୂରଦୃଷ୍ଟି ଉପସ୍ଥାପନ କରି ଆଇ.ଟି.ପି.ଆଇ. ଦର୍ଶାଇଛି ଯେ, ରାଜ୍ୟରେ ସହରୀକରଣ ହାର ନାଟକୀୟ ଭାବେ ବୃଦ୍ଧି ପାଇବାକୁ ଯାଉଛି। ୨୦୨୫ ମସିହାରେ ସହରୀ ଜନସଂଖ୍ୟା ପ୍ରାୟ ୧୭ ପ୍ରତିଶତ ଥିବାବେଳେ ୨୦୪୭ ସୁଦ୍ଧା ଏହା ପ୍ରାୟ ୬୦ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଓଡ଼ିଶା ନିଜର ସହରଗୁଡ଼ିକୁ ପ୍ରମୁଖ ଅର୍ଥନୈତିକ ଅଭିବୃଦ୍ଧି କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି, ଯାହା ରାଜ୍ୟର ସମୁଦାୟ ଘରୋଇ ଉତ୍ପାଦରେ ୬୦ ପ୍ରତିଶତରୁ ଅଧିକ ଯୋଗଦାନ କରିବ। ଏଭଳି ସ୍ଥିତିରେ ବୈଜ୍ଞାନିକ, ବୃତ୍ତିଗତ ଏବଂ ଭବିଷ୍ୟତମୁଖୀ ସହରୀ ଯୋଜନାକୁ ବିକାଶର ମୁଖ୍ୟ ସ୍ତମ୍ଭ କରାଯିବା ଉଚିତ ବୋଲି ସଂସ୍ଥା ଗୁରୁତ୍ୱ ଆରୋପ କରିଛି।
ଆଇ.ଟି.ପି.ଆଇ. ପକ୍ଷରୁ ରାଜ୍ୟରେ ଯୋଗ୍ୟତାସମ୍ପନ୍ନ ଟାଉନ୍ ପ୍ଲାନରଙ୍କର ବଡ଼ ଅଭାବ ଥିବା ଦର୍ଶାଯାଇଛି। ନୀତି ଆୟୋଗଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ଯୋଜନା ମାନଦଣ୍ଡ ଅନୁଯାୟୀ ଓଡ଼ିଶାର ସହରୀ ବିକାଶକୁ ସଠିକ ଭାବେ ପରିଚାଳନା କରିବା ପାଇଁ ପ୍ରାୟ ୪୭୦ ଜଣ ଟାଉନ ପ୍ଲାନରଙ୍କ ଆବଶ୍ୟକତା ରହିଛି। ଅନେକ ସହରୀ ସ୍ଥାନୀୟ ସଂସ୍ଥା ବିଲ୍ଡିଂ ପ୍ଲାନ ଅନୁମୋଦନ ଓ ବୈଧାନିକ ଯୋଜନା କାର୍ଯ୍ୟ ପାଇଁ ଅସ୍ଥାୟୀ ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉପରେ ନିର୍ଭର କରୁଛନ୍ତି। ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସହରୀ ଯୋଜନା ଏକ ଉଚ୍ଚ ବିଶେଷଜ୍ଞତା ସମ୍ପନ୍ନ ଓ ବହୁମୁଖୀ ବୃତ୍ତି, ଯେଉଁଥିରେ ଜମି ବ୍ୟବହାର ଯୋଜନା, ଭିତ୍ତିଭୂମି ବିକାଶ, ଗୃହ ନିର୍ମାଣ, ପରିବହନ, ପରିବେଶ ପରିଚାଳନା, ଅର୍ଥନୈତିକ ବିକାଶ ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣ ଅନ୍ତର୍ଭୁକ୍ତ। ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ଓ ନବୀକରଣ, ଜମି ପୁଲିଂ ମାଧ୍ୟମରେ ନଗର ଯୋଜନା ସ୍କିମ୍ କାର୍ଯ୍ୟକାରୀ କରିବା, ଶସ୍ତା ଗୃହ ନିର୍ମାଣକୁ ସହଜ କରିବା, ପୁନଃବିକାଶ ଯୋଜନା ମାଧ୍ୟମରେ ପୁରୁଣା ସହରୀ ଅଞ୍ଚଳର କାୟାକଳ୍ପ କରିବା ଏବଂ ବ୍ୟବସାୟିକ ସହଜତା ବୃଦ୍ଧି ପାଇଁ ବିଲ୍ଡିଂ ଅନୁମୋଦନ ବ୍ୟବସ୍ଥାରେ ସୁଧାର ଆଣିବାରେ ବୃତ୍ତିଗତ ପ୍ଲାନରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।

ଏହି ମାନବ ସମ୍ବଳ ଅଭାବକୁ ଦୂର କରିବା ପାଇଁ ଆଇ.ଟି.ପି.ଆଇ. ରାଜ୍ୟର ବିଭିନ୍ନ ସହରୀ ଉନ୍ନୟନ ସଂସ୍ଥାନରେ ୪୭୦ ଜଣ ଟାଉନ ପ୍ଲାନରଙ୍କୁ ସୁଚିନ୍ତିତ ଭାବେ ନିୟୋଜିତ କରିବାକୁ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବରେ ନଗର ଯୋଜନା ନିର୍ଦ୍ଦେଶାଳୟ, ବିକାଶ କର୍ତ୍ତୃପକ୍ଷ, ପୌର ପ୍ରଶାସନ ନିର୍ଦ୍ଦେଶାଳୟ, ସୁଡା ଏବଂ ସହରୀ ଭିତ୍ତିଭୂମି ଓ ଆଞ୍ଚଳିକ ବିକାଶରେ ନିୟୋଜିତ ଅନ୍ୟାନ୍ୟ ପ୍ରମୁଖ ବିଭାଗ ତଥା ସରକାରୀ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ସାମିଲ ରହିଛି। ଓଡ଼ିଶାର ଏହି ମହତ୍ତ୍ୱାକାଂକ୍ଷୀ ବିକାଶମୂଳକ ଲକ୍ଷ୍ୟକୁ ହାସଲ କରିବା ପାଇଁ ସରକାରୀ ବିଭାଗ, ଯୋଜନା ବୃତ୍ତିଧାରୀ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଏକ ଭବିଷ୍ୟତମୁଖୀ ସହରୀ ଯୋଜନା ବ୍ୟବସ୍ଥା ଗଠନ ପାଇଁ ନିରନ୍ତର ସହଯୋଗ ଜାରି ରଖିବାକୁ ବୈଠକରେ ସେମତି ପ୍ରକାଶ ପାଇଥିଲା।