ଭୁବନେଶ୍ୱର ସାହିତ୍ୟ ପର୍ବରେ ଅତିଥିଙ୍କ ମତ
-ସାହିତ୍ୟ ଅସ୍ମିତା ଓ ମୁକ୍ତିର ମାର୍ଗ ଦେଖାଏ
ଭୁବନେଶ୍ୱର ୧୫/୨- ଭାବ, ଭାବନା, କଳ୍ପନା ଓ ଅନୁଭବର ହୃଦୟଗ୍ରାହୀ ପ୍ରକାଶ ହେଉଛି ସାହିତ୍ୟ। ଏହା ଅସ୍ମିତାର ପରିଚୟ। ଏହା ବିସ୍ତୃତ ହେଲେ ସଫଳତା ମିଳେ ବୋଲି ପ୍ରସିଦ୍ଧ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ମତପ୍ରକାଶ କରିଛନ୍ତି। ରବିବାର ପୂର୍ବାହ୍ନରେ ଭୁବନେଶ୍ୱର ସାହିତ୍ୟ ପର୍ବର ଉଦ୍ଯାପନ ଉତ୍ସବର ମୁକ୍ତ ଅଧିବେଶନରେ ଆଶୀର୍ବଚନ ଦେଇ ଡ. ପଟ୍ଟନାୟକ ସାହିତ୍ୟର ଦୂତମାନଙ୍କୁ ଅଧିକ ଅଗ୍ରସର ହେବା ପାଇଁ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଦୁଇଦିନିଆ ସାହିତ୍ୟ ପର୍ବର ଉଦ୍ଯାପନ ଉତ୍ସବରେ ଯୋଗଦେଇ ଡ. ପଟ୍ଟନାୟକ ସାହିତ୍ୟ ସେବାରେ ମନୋନିବେଶ କରି ଅସ୍ମିତାର ପ୍ରତିଷ୍ଠା ପାଇଁ ପ୍ରତି ଓଡ଼ିଆ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୁଲେଖକ ଅଧ୍ୟାପକ ଅଭିରାମ ବିଶ୍ୱାଳ କହିଛନ୍ତି ଯେ ଓଡ଼ିଆ ଅସ୍ମିତାର ମୁଖ୍ୟ ଆଧାର ଭାଷା ଏବଂ ଏହା ଔଦ୍ଧତ୍ୟ ନୁହେଁ ବରଂ ଅହଂର ଓଁକାର। ସାହିତ୍ୟ ମୁକ୍ତିର ମାର୍ଗ ଦେଖାଏ ବୋଲି ସେ ପ୍ରକାଶ କରିଥିଲେ। ସମାଜସେବୀ ତଥା ଅନୁବାଦିକା ଶ୍ରୀମତୀ ନମ୍ରତା ଚଢ଼ା ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ପାଠାଗାର ଆନ୍ଦୋଳନକୁ ବିସ୍ତୃତ କରିବା ପାଇଁ ପରାମର୍ଶ ଦେଇଥିବାବେଳେ ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସାହିତ୍ୟ ଆସ୍ଥା ଓ ଆତ୍ମାର ଆଲୋକ ପ୍ରଦାନ କରିଥାଏ। ପାଠକୀୟ ସ୍ୱୀକୃତି ହେଉଛି ଲେଖକୀୟ ଜୟପାଠ ବୋଲି ସେ କହିଥିଲେ।
ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଉତ୍ସବ ନିର୍ଦ୍ଦେଶକ ଡ. ଅଶୋକ ସିଂହ ବକ୍ତବ୍ୟ ରଖିଥିବାବେଳେ ଉପ ସଭାପତି ମିନତି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ‘ସମକାଳୀନ ଓଡ଼ିଆ କଥାସାହିତ୍ୟ: ଦୃଷ୍ଟିପାତ’ ପ୍ରସଙ୍ଗ ଉପରେ କଥାଶିଳ୍ପୀ ମୋନାଲିସା ମିଶ୍ର, ସ୍ୱାଗତିକା ସ୍ୱାଇଁ, ତପନ ମହାପାତ୍ର ଓ ଆଶିଷ ଗଡ଼ନାୟକ ଆଲୋକପାତ କରିଥିବାବେଳେ ଅଧିବେଶନକୁ ଅଧ୍ୟାପକ ଆଭାସ ବରାଳ ପରିଚାଳନା କରିଥିଲେ । ସେହିପରି ‘ଓଡ଼ିଆ ଭାଷା: ଭବିଷ୍ୟତ ଓ ଆହ୍ୱାନ’ ପ୍ରସଙ୍ଗ ଉପରେ ପ୍ରଫେସର ଡ. ସନ୍ତୋଷ ତ୍ରିପାଠୀ, ଅଧ୍ୟାପକ ଡ. ସଦାନନ୍ଦ ନାୟକ, ଡ. ଅମ୍ବରୀଶ ଶତପଥୀ ଆଲୋଚନା କରିଥିଲେ ଏବଂ ଡ ହିମାଦ୍ରୀ ତନୟା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅପରାହ୍ଣରେ ଆୟୋଜିତ କବି ସମ୍ମିଳନୀ ଓ କବିତା ପାଠୋତ୍ସବରେ ଅଧ୍ୟାପିକା ଡ.ଇପ୍ସିତା ଷଡଙ୍ଗୀ ସଭାପତିତ୍ୱ କରିଥିବାବେଳେ ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା, ଅନୁଷ୍ଠାନର ଉପ ସଭାପତି ମିନତି ଦାଶ ଓ କ୍ଷଣପ୍ରଭା ମହାନ୍ତି ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ
ଯୋଗଦେଇଥିବା ୬୦ରୁ ଅଧିକ କବି ସ୍ୱରଚିତ କବିତା ପାଠ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମର ପରିଚାଳନାରେ ଉପ ସଭାପତି ବିଭୂତି ପାଣିଗ୍ରାହୀ, କେନ୍ଦ୍ରୀୟ ସମିତି ସଦସ୍ୟ ଡ. ନନ୍ଦକିଶୋର ବିଶ୍ୱାଳ, ଡ. ପ୍ରଦୀପ କୁମାର ବାରିକ, ବିଧୁଭୂଷଣ ତ୍ରିପାଠୀ, ସଂଜୟ ମହାନ୍ତି, ଡ. ଅଭୟ ନାରାୟଣ ନାୟକ, ପ୍ରମୋଦ ପ୍ରଧାନ, ସୂର୍ଯ୍ୟ ଦେଓ, ସୁଧୀର ମଉଡ଼ମଣି ପ୍ରମୁଖ ସହଯୋଗ କରିଥିଲେ ।