-୧୯୭୮ର ତାଲିକା ସହିତ ମେଳକ କରାଯିବ
-ସମ୍ପୂର୍ଣ୍ଣ ଅଳଙ୍କାର ଆଦିର ଫଟୋଗ୍ରାଫ ସହିତ ଡିଜିଟାଲ୍ କାଟାଲଗ୍ କରାଯିବ
ଭୁବନେଶ୍ୱର:୧୬/୨- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଓ ମୋତିମାଣିକ୍ୟର ଖୁବ୍ ଶୀଘ୍ର ଗଣତି-ମଣତି ଆରମ୍ଭ ହେବ। ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ହୋଇଥିବା ଆଲୋଚନାରୁ ସୂଚନ ମିଳିଛି।
ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ସମ୍ପର୍କରେ ବିସ୍ତୃତ ଉପସ୍ଥାପନା ରଖିଥିଲେ। ସୂଚନାଯୋଗ୍ୟ ଯେ, ଗଣତି-ମଣତିର ସମସ୍ତ ପୂର୍ବ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ବାହାର ଓ ଭିତର ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମରାମତି ଓ ସଂରକ୍ଷଣ କାର୍ଯ୍ୟ ଇତି ମଧ୍ୟରେ ସରିଛି। ସମଗ୍ର ପ୍ରକ୍ରିୟା ୯୫ ଦିନରେ ୩୩୩ ଘଣ୍ଟାର କାମରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଛି। ବର୍ତ୍ତମାନ ଗଣତି-ମଣତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ଗଣତି-ମଣତି ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଛି। ସରକାରଙ୍କ ଅନୁମୋଦନ ପରେ ଏହା ଆରମ୍ଭ କରାଯିବ। କଡା ସୁରକ୍ଷା ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ।
ସୂଚନାଯୋଗ୍ୟ ଯେ, ଶେଷ ଗଣତି-ମଣତି ପ୍ରକ୍ରିୟା ୧୯୭୮ରେ ହୋଇଥିଲା। ତେଣୁ ବର୍ତ୍ତମାନର ପ୍ରକ୍ରିୟାରେ ସମ୍ପତ୍ତିର ଗଣତି ସମୟରେ ଏହାକୁ ୧୯୭୮ର ତାଲିକା ସହିତ ମେଳକ କରାଯାଇ ଚୁଡାନ୍ତ ତାଲିକା ପ୍ରସ୍ତୁତ କରାଯିବ। ସମ୍ପୂର୍ଣ୍ଣ ପ୍ରକ୍ରିୟାର ଫଟୋଗ୍ରାଫି ସହିତ ଡିଜିଟାଲ୍ କାଟାଲଗ୍ ପ୍ରସ୍ତୁତ କରାଯିବ ବୋଲି ବୈଠକରୁ ଜଣାଯାଇଛି। ବୈଠକରେ ଚଳିତ ବର୍ଷର ରଥଯାତ୍ରାର ପ୍ରସ୍ତୁତି ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଫାସି କାଠ ଓ ଚନ୍ଦନ କାଠର ବ୍ୟାପକ ଆବଶ୍ୟକତା ରହୁଥିବାରୁ ଏଥିପାଇଁ ବନପ୍ରକଳ୍ପ ଜରିଆରେ ଏହି ଗଛ ଗୁଡିକ ଲଗାଇବା ପାଇଁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।