ଭୁବନେଶ୍ୱର:୪/୧- ଏସିଆ ମହାଦେଶର ସର୍ବବୃହତ୍ କ୍ଷାରୀୟ ହ୍ରଦ ତଥା ରାମସାର ସାଇଟ ଭାବେ ସାରା ବିଶ୍ୱରେ ପରିଚିତ ଚିଲିକା ହ୍ରଦର ଜୈବ ବିବିଧତାର ସୁରକ୍ଷା ଏବଂ ପାରିପାଶ୍ୱର୍କ ଅଞ୍ଚଳର ବିକାଶ କରାଯିବ । ଚିଲିକାର ବିକାଶ ନେଇ ଅନୁଷ୍ଠିତ ବୈଠକରେ ପୂର୍ତ୍ତ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଚିଲିକାର ମୁହାଣ ପୋତି ହେବା କାରଣରୁ ଚିଲିକାର ପାଣି ସମୁଦ୍ରକୁ ଠିକ୍ ଭାବେ ଯାଇପାରୁ ନଥିବା ବେଳେ ସମୁଦ୍ର ପାଣି ମଧ୍ୟ ଏହା ମଧ୍ୟକୁ ପ୍ରବେଶ କରିପାରୁ ନାହିଁ । ଫଳରେ ଚିଲିକା ଜଳର କ୍ଷାରୀୟତା ନଷ୍ଟ ହେଉଥିବା ବେଳେ ଜୈବ ବିବିଧତା ସନ୍ତୁଳନ ଠିକ୍ ରହୁନାହିଁ । ଏଥିଯୋଗୁଁ ବିଭିନ୍ନ ପ୍ରକାର ମାଛ ଏବଂ ସାମୁଦ୍ରିକ ଜୀବ ସଂଖ୍ୟାର ଅନେକ ଫରକ ପରଲ୍ଲକ୍ଷିତ ହେଉଛି । ତେଣୁ ଓଡ଼ିଶାର ଗର୍ବର ପ୍ରତୀକ ଚିଲିକା ହ୍ରଦର ପୁନରୁଦ୍ଧାର ଦିଗରେ କାର୍ଯ୍ୟ ଆରମ୍ଭ କରିବା ସହ ତୁରନ୍ତ ସବିଶେଷ ବୈଜ୍ଞାନିକ ତଥ୍ୟ ସଂଗ୍ରହ ସହ ଡିପିଆର ପ୍ରସ୍ତୁତ ଉପରେ ବିଭାଗୀୟ ଅଧିକାରୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଆଇଆଇଟି ଚେନ୍ନାଇଙ୍କୁ ସେ ପରାମର୍ଶ ଦେଇଛନ୍ତି ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଆଇଆଇଟି ଚେନ୍ନାଇର ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଚିଲିକାର ଅବରୋଧ ହୋଇଥିବା ମୁହାଣ ଖନନ, ଏହାର କ୍ଷାରୀୟତା ବଜାୟ ରଖିବା, ପଙ୍କ ଉଦ୍ଧାର କରି ଜଳଧାରା କ୍ଷମତା ବୃଦ୍ଧି କରିବା, ଜୈବ ବିବିଧତାର ସୁରକ୍ଷା, ପାରିପାଶ୍ୱିର୍କ ଅଞ୍ଚଳର ବିକାଶ ଓ ଚିଲିକା ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଅଧିବାସୀଙ୍କ ସ୍ୱାର୍ଥରକ୍ଷା ଉପରେ ଆଲୋଚନା ହୋଇଥିଲା । ବୈଠକ ପରେ ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଏଥିନେଇ ସ୍ପଷ୍ଟ ସୂଚନା ଦିଆଯିବା ସହ ଆଗାମୀ କାର୍ଯ୍ୟପନ୍ଥା ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।