ଭୁବନେଶ୍ୱର: ୬/୧- ପର୍ଯ୍ୟଟନ ବିଭାଗ ଓ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସହଭାଗିତାରେ ଲୋକସେବା ଭବନ ସମ୍ମେଳନ କକ୍ଷରେ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉପକୂଳକୁ ପ୍ରବାସୀ ପକ୍ଷୀଙ୍କ ଯାତ୍ରା ଓଡ଼ିଶାର ଅନୁକୂଳ ଜଳବାୟୁର ସୂଚକ ବୋଲି ମତ ପ୍ରକାଶ କରିଛନ୍ତି। ସୁରକ୍ଷିତ ଓ ସଂରକ୍ଷିତ ଜଙ୍ଗଲର ମହତ୍ତ୍ୱକୁ ଗୁରୁତ୍ୱ ଦେଇ ସେ ସୁରକ୍ଷିତ ପ୍ରାକୃତିକ ଉପାଦାନ ସୁରକ୍ଷିତ ପର୍ଯ୍ୟଟନର ପ୍ରତୀକ ବୋଲି ମତପ୍ରକାଶ କରିଛନ୍ତି। ଚିଲିକାରେ ପ୍ରବାସୀ ପକ୍ଷୀମାନଙ୍କର ଆଗମନ, ଗତି ଓ ରହଣି ବିଷୟରେ ଆଲୋଚନା କରିବା ସହ ଚିଲିକାର ଜୈବ ବିବିଧତା ସଂରକ୍ଷଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ପରିବେଶର ସଂରକ୍ଷଣ ଓ ସୁରକ୍ଷା ଓଡ଼ିଶା ସରକାରଙ୍କ ପ୍ରାଥମିକତା ବୋଲି ମତ ରଖିଥିଲେ। ବିଭାଗର ପ୍ରମୁଖ ଶାସନ ସଚିବ, ପର୍ଯ୍ୟଟନ ବିଭାଗ ସଚିବ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ)ଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ, ପକ୍ଷୀପ୍ରେମୀ ଓ ବିଶେଷଜ୍ଞ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ୧୫୦ ମିଲିୟନ ପକ୍ଷୀମାନଙ୍କ ଉପରେ ପର୍ଯ୍ୟବେସିତ ଏକ ପକେଟ ଗାଇଡ, ଫ୍ଲାମିଙ୍ଗୋ ପକ୍ଷୀର ଜୀବନ ଉପରେ ଏକ ପତ୍ରିକା ଏବଂ ଓଡ଼ିଶାରେ ପକ୍ଷୀ ସଂରକ୍ଷଣ ଉପରେ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅନ୍ତର୍ଗତ ରାଜ୍ୟ ବନ୍ୟପ୍ରାଣୀ ସଂଗଠନ, ଭୁବନେଶ୍ୱର ସହ ଇଣ୍ଡିଆନ ଇନଷ୍ଟିଚିଉଟ ଅଫ ଟୁରିଜିମ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଯାଇଛି।