
ଭୁବନେଶ୍ୱର:୧୭/୨-ଓଡିଶା ସରକାର ରାଜ୍ୟର ସମସ୍ତ ଜିଲ୍ଲାରେ ଜମିପଟ୍ଟା ବା ରେକର୍ଡ ଅଫ ରାଇଟ୍ସ ସଂଶୋଧନ ସମ୍ବନ୍ଧୀୟ ଅପେକ୍ଷିତ ମାମଲାଗୁଡ଼ିକୁ ସମୟସୀମା ମଧ୍ୟରେ ଶୀଘ୍ର ସାରିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲ୍ଲାପାଳମାନଙ୍କୁ ବ୍ୟକ୍ତିଗତ ଭାବେ ଏହାର ନିରୀକ୍ଷଣ କରିବାକୁ କୁହାଯାଇଛି।
ଫେବୃଆରୀ ୧୩ ତାରିଖରେ ଜାରି ହୋଇଥିବା ପତ୍ରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ କୁମାର ପାଢୀ ସମସ୍ତ ଅପେକ୍ଷିତ ମାମଲାକୁ ମିଶନ୍ ମୋଡରେ ସମାଧାନ କରିବା ଓ କୌଣସି ପ୍ରକ୍ରିୟାଗତ ବିଳମ୍ବ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ସଂପ୍ରତି ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଥିବା ଶ୍ରୀ ପାଢ଼ୀ ୨୦୧୨ ମସିହାରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଥିଲେ। ସେତେବେଳେ ସେ ବାସ୍ତବ ସ୍ଥିତି ଓ ଦସ୍ତାବିଜ ଅନୁଧ୍ୟାନ ନକରି ମୁଖ୍ୟ ପ୍ରଶାସକ ଭାବେ ଏକ ବିଜ୍ଞପ୍ତି ଜାରି କରିଥିଲେ। ଯାହାକୁ ନେଇ ୩୬ଟି ଗ୍ରାମର ଲୋକେ ୧୪ ବର୍ଷ ଧରି ଜମିଜମା ସମସ୍ୟା ଭୋଗୁଛନ୍ତି। ସ୍ଥିତିବାନ ସମ୍ପତ୍ତିର ଅଧିକାର ମିଳୁନି।

ସଂପୃକ୍ତ ଅଞ୍ଚଳର ଜନସାଧାରଣ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଏ ନେଇ ଅବଗତ କରିବା ସହ ଏହି ସମସ୍ୟାର ସମାଧାନ କରି ଲୋକମାନଙ୍କୁ ସେମାନଙ୍କୁ ସେମାନଙ୍କ ସ୍ଥିତିବାନ ସମ୍ପତ୍ତିର ଅଧିକାର ଦେବାକୁ ଦାବି କରିଛନ୍ତି।


ସେମାନେ ଦେଇଥିବା ପତ୍ରରେ ଉଲ୍ଳେଖ କରିଛନ୍ତି ଯେ, ଦୀର୍ଘ ୬୪ ବର୍ଷ ଧରି ଆମ୍ଭ ଅଞ୍ଚଳରେ ଜମିଜମା ବନ୍ଦୋବସ୍ତ ନହେବା ଫଳରେ ଭୂମି ଅଭିଲେଖ (ଲ୍ୟାଣ୍ଡ ରେକର୍ଡ) ସଂଶୋଧନ ହୋଇପାରୁନି। ଏଥିଯୋଗୁଁ ଖୋର୍ଦ୍ଧା ଜିଲାର ନରଣଗଡ଼, ତାପଙ୍ଗ ଓ ଧଉଳିମୁହଁ ପଞ୍ଚାୟତର ୧୫ଟି ଗ୍ରାମ ସମେତ ମୋଟ ୩୬ଟି ଗ୍ରାମର ଜନସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜସ୍ୱ ଅଧିକାରୀମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ୧/୧୦/୨୦୧୨ର ବିଜ୍ଞପ୍ତି ଅନୁଯାୟୀ ୨୦୧୨ରୁ ଏହି ଅଞ୍ଚଳରେ ଜମି କିଣାବିକା ଓ ଦାଖଲ ଖାରଜ ବନ୍ଦ ରଖିଛନ୍ତି। ଲୋକମାନେ ସ୍ୱାସ୍ଥ୍ୟସେବା, ବାହାଘର ଏବଂ ଜରୁରୀ କାର୍ଯ୍ୟ ପାଇଁ ଜମି କିଣାବିକା କରିପାରୁ ନାହାନ୍ତି। ବାସହୀନ ଲୋକମାନେ ଆବାସ ଯୋଜନାରୁ ବଞ୍ôଚତ ରହିଛନ୍ତି।
୧୯୬୨ ମସିହାରେ ହୋଇଥିବା ବନ୍ଦୋବସ୍ତରେ ସଂପୃକ୍ତ ଅଞ୍ଚଳର ଲୋକଙ୍କୁ ଜମିର ସ୍ଥିତିବାନ ସତ୍ତ୍ୱ ମିଳିଥିଲା।୧୯୭୪ ମସିହାରେ ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହେବା ସମୟରେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା କମିଟିକୁ କ୍ଷତିପୂରଣ ରାଶି ପ୍ରଦାନ କରିଥିଲେ।୧୫୬ଟି ଗ୍ରାମର ଜନସାଧାରଣ ରାଜ୍ୟ ସରକାରଙ୍କ ଅଧୀନରେ ସ୍ଥିତିବାନ ପ୍ରଜା ହେବା ସହ ରାଜସ୍ୱ ଦେଇ ଆସୁଛନ୍ତି। ବନ୍ଦୋବସ୍ତ ବଳରେ ୧୨୦ଟି ଗ୍ରାମର ଭୂମି ଅଭିଲେଖ ସଂଶୋଧନ କରାଯାଇଛି। ଅବଶିଷ୍ଟ ୩୬ଟି ଗ୍ରାମ ବନ୍ଦୋବସ୍ତରୁ ବାଦ ପଡ଼ିଛି। ପ୍ରଭାବିତ ଜନସାଧାରଣଙ୍କ ସମସ୍ୟାର ସମାଧାନ ନେଇ ଆମ୍ଭେ ପୂର୍ବ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। କେବଳ ସରକାରୀ ଅଧିକାରୀଙ୍କ ସହ ଆଲୋଚନାରେ ଦୀର୍ଘବର୍ଷ ଅତିକ୍ରାନ୍ତ ହୋଇଛି। ଉଚ୍ଚସ୍ତରୀୟ କମିଟି ଗଠନର କୌଣସି ସୁଫଳ ମିଳିନାହିଁଁ।
ଆଇନ ବିଭାଗ ପକ୍ଷରୁ ଏହାର ତର୍ଜମା କରାଯାଇ ରାଜସ୍ୱ ବିଭାଗ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସମସ୍ୟାର ସମାଧାନ ନେଇ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା। ରାଜସ୍ୱ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ପ୍ରତ୍ୟେକ୍ଷ ବୈଠକ ଡାକି ଏହାର ସ୍ଥାୟୀ ସମାଧାନ ନେଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏନେଇ କୌଣସି ନଷ୍ପତ୍ତି ହୋଇପାରୁନି, ଆମ ସମସ୍ୟା ଅପରିବର୍ତ୍ତିତ ରହିଛି। ଆମ ଅଞ୍ଚଳର୧୫ଟି ଗ୍ରାମ ସମେତ ମୋଟ ୩୬ଟି ଗ୍ରାମର ଜନସାଧାରଣଙ୍କ ଜମିଜମା ବନ୍ଦୋବସ୍ତ ଏବଂ ଭୂମି ଅଭିଲେଖ ସଂଶୋଧନ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରୁଛୁ। ଶ୍ରୀ ପାଢ଼ୀ ୨୦୧୨ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିଲେ। ଏବେ ସେ ଏହି ଦାୟିତ୍ୱରେ ଥିବା ବେଳେ ରାଜସ୍ୱ ବିଭଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଛନ୍ତି। ୧୪ବର୍ଷ ଧରି ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନି।
ନରଣଗଡ଼ ପଞ୍ଚାୟତର ଭୋଗପୁର ଠାରେ ଥିବା କୁଣ୍ଡା ପଥର ପାହାଡ଼ ଖଣି ନିଗମକୁ ଦେଇ ପୂର୍ବ ସରକାର ଏହାର ସତ୍ତ୍ୱାଧିକାର ପରିବର୍ତ୍ତନ କରିଛନ୍ତି। ଏହି ପାହାଡ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାମରେ ଥିବା ବେଳେ ସରକାର ଏହାକୁ ରାଜ୍ୟ ସରକାରକୁ ପରିବର୍ତ୍ତନ କରି ଶ୍ରୀ ଜୀଉଙ୍କୁ ପ୍ରଜା ରଖିଛନ୍ତି। ଏଭଳି ଅସଙ୍ଗତି ଦୂର ସହ ଆମକୁ ଆମ ସ୍ଥିତିବାନ ଜମିର ଅଧିକାର ପ୍ରଦାନ କରିବାକୁ ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ନେଇ ଗଠିତ ଆଞ୍ଚଳିକ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି, ନରଣଗଡ଼, ଖୋର୍ଦ୍ଧା, ପିନ୍-୭୫୨୦୧୮ ଫୋନ-୯୪୩୭୨୩୨୭୬୨ପକ୍ଷରୁ ରାଜସ୍ୱମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ଇତିମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ରାଜସ୍ୱ ସଂକ୍ରାନ୍ତ କାର୍ଯ୍ୟ ସରଳ କରିବାକୁ ପଦକ୍ଷେପ ନେଉଥିବା ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ପାଢ଼ୀ ଜାରି ନିର୍ଦ୍ଦେଶାବଳୀଗୁଡିକ ଉପରେ ସମୟସୀମା ମଧ୍ୟରେ ନିଷ୍ପତ୍ତି ନେଇ ସମସ୍ତ ଅପେକ୍ଷିତ ବା ବଳକା ମାମଲାକୁ ମିଶନ ମୋଡରେ ସଠିକ ସମୟରେ ସାରିବାକୁ ନିର୍ଦେଶ ଦେଇଛନ୍ତି। ଅଧିକ ବଳକା ମାମଲା ଥିବା ତହସିଲଦାରମାନଙ୍କୁ ଚିହ୍ନଟ କରି ଆବଶ୍ୟକ ନିର୍ଦ୍ଦେଶ ତଥା ଚେତାବନୀ ଜାରି କରିବା ସହ ଅସନ୍ତୋଷଜନକ କାର୍ଯ୍ୟଦକ୍ଷତା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଉପ ଜିଲ୍ଲାପାଳ ମାନେ ନିୟମିତ ନିରୀକ୍ଷଣ ପାଇଁ ଉତ୍ତରଦାୟୀ ରହିବା ସହ ବଳକା ମାମଲା ଶୀଘ୍ର ସାରିବା ପ୍ରକ୍ରିୟାର ପର୍ଯ୍ୟବେକ୍ଷଣ ପାଇଁ ଡ୍ୟାସବୋର୍ଡ ବ୍ୟବସ୍ଥା ଆରମ୍ଭ ହେବ। ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କିତ ସଂଯୁକ୍ତ ରିପୋର୍ଟ ନିୟମିତ ଭାବରେ ଦାଖଲ କରିବା ସହ ଏଥି ସହ ସମ୍ପୃକ୍ତ ସମସ୍ୟାଗୁଡ଼ିକୁ ବିଭାଗକୁ ଅବଗତ କରାଇବା ପାଇଁ କୁହାଯାଇଛି। ଏହାକୁ ପ୍ରାଥମିକତା ଭାବେ ଗ୍ରହଣ କରି ଜିଲ୍ଲା ସ୍ତରରେ କାର୍ଯ୍ୟକାରୀ କରିବାକୁ ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାର ମଧ୍ୟ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି । ଏହା ସହିତ ସମସ୍ତ ଆରଡିସିଙ୍କୁ ବ୍ୟକ୍ତିଗତ ଭାବେ ସମସ୍ତ କାର୍ଯ୍ୟ ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।
ଦେବେ ଶ୍ରୀ ପାଢ଼ୀଙ୍କ ବିଜ୍ଞପ୍ତି ବଳରେ ୧୪ବର୍ଷ ଧରି ଜମିଜମା ସମସ୍ୟାରେ ଘାଣ୍ଟି ହେଉଥିବା ଲୋକଙ୍କ ପାଇଁ ସରକାର କି ପଦକ୍ଷେପ ନେବେ ତାହାକୁ ପ୍ରଭାବିତ ଲୋକମାନେ ଅପେକ୍ଷା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ଜାରି କରିଥିବା ୨୦୧୨ମସିହାର ବିଜ୍ଞପ୍ତି ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ୨୦୦୨ରେ ଦେଇଥିବା ଚିଠି ଉପରେ ରାଜସ୍ୱ ବିଭାଗ ତର୍ଜମା କଲେ ସମସ୍ୟା ଅନେକାଂଶରେ ସମାଧାନ ହୋଇପାରିବ।