-୨୭ଲକ୍ଷ ନୁହେଁ ୩୧ ଲକ୍ଷ ଭୋଟର କଟିଛନ୍ତି-ସିଇଓ
ଭୁବନେଶ୍ୱର:୧୫/୭-ଏସଆଇଆର ପ୍ରକିୟା ନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ନୂତନ ଭୋଟର ନାମ ଯୋଡ଼ା (ଫର୍ମ-୬) ଏବଂ ଅନ୍ୟ ରାଜ୍ୟରୁ ଭୋଟର ତାଲିକାକୁ ସ୍ଥାନାନ୍ତର (ଫର୍ମ-୮) ପାଇଁ ଆବଶ୍ୟକ ଘୋଷଣାନାମା ଫର୍ମ ଓ ଆବଶ୍ୟକ ହେଉଥିବା ଅତିରିକ୍ତ ତଥ୍ୟକୁ ସରଳୀକରଣ କରିବା ପାଇଁ ସେମାନେ ଦାବି ଉପସ୍ଥାପନ କରିଛନ୍ତି। ବିଜେଡି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ବିଭିନ୍ନ ରାଜନୈତିକ ଦଳ, ବୁଥ୍ ଲେଭଲ ଏଜେଣ୍ଟ ଓ ସାଧାରଣ ଜନତାଙ୍କ ପାଖରୁ ଅନେକ ଆପତ୍ତି ଅଭିଯୋଗ ଆସିଛି। ବର୍ତ୍ତମାନର ପ୍ରକ୍ରିୟା ଅନାବଶ୍ୟକ ଭାବେ ଜଟିଳ ହୋଇପଡ଼ିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ବିଶେଷ କରି ଗ୍ରାମାଞ୍ଚଳ, ଦୂରଦୂରାନ୍ତ ଅଞ୍ଚଳ, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ଛାତ୍ରଛାତ୍ରୀ, ପ୍ରବାସୀ ଶ୍ରମିକ ଏବଂ ସମାଜର ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି। ନିର୍ବାଚନ ରୋଲର ବିଶୁଦ୍ଧତା ଓ ନିରପକ୍ଷତା ବଜାୟ ରଖିବା ଆବଶ୍ୟକ । କିନ୍ତୁ ଉକ୍ତ ପ୍ରକ୍ରିୟା ଅଧିକ ଜଟିଳ ହେବା ଦ୍ୱାରା ଯୋଗ୍ୟ ନାଗରିକମାନେ ଭୋଟର ତାଲିକାରୁ ବାଦ ପଡି ନିଜର ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ନିର୍ବାଚନ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ, ସ୍ୱଚ୍ଛ, ଅନ୍ତର୍ଭୁକ୍ତିମୂଳକ ଓ ସମସ୍ତଙ୍କ ପାଇଁ ଉପଲବ୍ଧ କରିବା ଦରକାର ବୋଲି ସେମାନେ ମତପ୍ରକାଶ କରିଛନ୍ତି। ଏସଆଇଆର ପୂର୍ବରୁ ମଇ ୧୪ ତାରିଖରେ ୩ କୋଟି ୪୦ ଲକ୍ଷ ୭୨ହଜାର ୭୪୪ଜଣ ଭୋଟର ଥିଲେ। କିନ୍ତୁ ମଇ ୧୫ରେ ରାଜନୈତିକ ଦଳମାନଙ୍କ ସହ ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ ବୈଠକ ସମୟରେ ସେ ଭୋଟର ସଂଖ୍ୟା ୩କୋଟି ୩୪ଲକ୍ଷ ୫ହଜାର ୪୮୭ ବୋଲି କହିଥିଲେ। ଏସଆଇଆର ଆରମ୍ଭ ବେଳକୁ ରାଜ୍ୟରେ ୩କୋଟି ୩୩ଲକ୍ଷ ୯୯ହଜାର ୫୯୧ଜଣ ଭୋଟର ଅଛନ୍ତି ବୋଲି ପ୍ରକାଶ କରିଥିଲେ। ତେବେ ପ୍ରକାଶିତ ଭୋଟର ତାଲିକାରେ ୩ କୋଟି ୧୩ ଲକ୍ଷ ଭୋଟର ଅଛନ୍ତି। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନୁଶୀଳନ କରି୨୭ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ତାଲିକାରୁ ବାଦ ପଡିଥିବାର ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଏହାକୁ ସିଇଓ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ୨୭ଲକ୍ଷ ନୁହେଁ ୩୧ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ତାଲିକାରୁ ବାଦ ପଡିଛନ୍ତି। ଫର୍ମ-୬ ଓ ଫର୍ମ-୮ ସରଳୀକରଣ କରିବା, ଯାଞ୍ଚ ପାଇଁ କେବଳ ଜରୁରୀ କାଗଜ ପତ୍ର ମାଗିବା, ରାଜ୍ୟର ସମସ୍ତ ଇସିଆରଓ, ଏଇଆରଓ, ବିଏଲଓ ଏବଂ ନିର୍ବାଚନ ଅଧିକାରୀଙ୍କୁ ଯୋଗ୍ୟ ଭୋଟରଙ୍କୁ ଅନାବଶ୍ୟକ ହଇରାଣ ନ କରିବା ଆଦି ବିଜେଡି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛିି।
ସେହିପରି ଏସଆଇଆର ପ୍ରକ୍ରିୟା ଅନ୍ତର୍ଗତ ଡ୍ରାଫ୍ଟ ନିର୍ବାଚନ ରୋଲ ପ୍ରକାଶ ୧୦ଦିନ ବିତିଯାଇଥିବା ସତ୍ତ୍ୱେ ବିଏଲଓ, ବିଏଲଏ ଓ ସାଧାରଣ ଭୋଟରଙ୍କ ମଧ୍ୟରେ ଯଥେଷ୍ଟ ସଚେତନତା ସୃଷ୍ଟି ହୋଇନାହିଁ। ଅନେକ ବୁଥରେ ଫର୍ମ-୬, ଫର୍ମ-୮ ଆଦି ଆବଶ୍ୟକୀୟ ଫର୍ମ ଉପଲବ୍ଧ ନଥିବାରୁ ଭୋଟରମାନେ ଆବେଦନ କରିପାରୁ ନାହାନ୍ତି। ଏହାସହିତ ବିଏଲଓ ଆପ ବାରମ୍ୱାର କ୍ରାସ୍ ହେଉଥିବା, ଧୀରେ ଲୋଡ୍ ହେଉଥିବା ଓ ଡାଟା ଅପଲୋଡ୍ ସମସ୍ୟା ହେଉଥିବା ନେଇ ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ଉକ୍ତ ପ୍ରତିନିଧି ମଣ୍ଡଳୀରେ ଦଳର ଉପ ସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ, ସାଧାରଣ ସମ୍ପାଦକ ବିଜୟ ନାୟକ, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅମଞ୍ଜିତ ସେନାପତି, ଉପ ସଭାପତି ନୀଳାଦ୍ରି ମହାନ୍ତି ଓ ଉପସଭାପତି ମନୋଜ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।