ଭୁବନେଶ୍ୱର:୨୧/୭-ରାଜ୍ୟ କାରାଗାର ବିକାଶ ବୋର୍ଡର ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୋର୍ଡ ୨୦୨୨ ମସିହାରେ ଗଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଭାଗର ୯ ଜଣ ସଚିବ ଏବଂ କାରାଗାର ମହାନିର୍ଦ୍ଦେଶକ ତଥା ସଂଶୋଧନାତ୍ମକ ସେବା ନିର୍ଦ୍ଦେଶକଙ୍କୁ ସଦସ୍ୟ ଭାବେ ରହିଛନ୍ତି । ବୈଠକରେ କାରାଗାର ବିକାଶ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ମୁଖ୍ୟ ଶାସନ ସଚିବ ଆଧୁନିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ କାଗାଗାର ସଂସ୍କାର, ବନ୍ଦୀମାନଙ୍କ କଲ୍ୟାଣ ପାଇଁ ଶିକ୍ଷା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, କାଗାଗାରରୁ ମୁକ୍ତି ପରେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ କାରାଗାର କର୍ତ୍ତୃପକ୍ଷଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗଗୁଡ଼ିର ସହଯୋଗ କାମନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।
କାରାଗାର ମହା ନିର୍ଦ୍ଦେଶକ ତଥା ସଂଶୋଧନାତ୍ମକ ସେବା ନିର୍ଦ୍ଦେଶକ ସୁଶାନ୍ତ କୁମାର ନାଥ, କାରାଗାରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗତ ଏକବର୍ଷ ମଧ୍ୟରେ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ନୂତନ ପଦକ୍ଷେପ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରମୁଖ ପଦକ୍ଷେପ ମଧ୍ୟରେ ଭିଡିଓ ଆନାଲିଟିକ୍ସ ସୁବିଧା ସହିତ କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ) ଆଧାରିତ ସିସିଟିଭି ବ୍ୟବସ୍ଥା ୨୦ଟି କାରାଗାରରେ ସ୍ଥାପନ କରାଯାଇଛି।

କାରାଗାର ପରିସୀମାରେ ଥିବା ପାଚେରୀର ଉଚ୍ଚତା ବୃଦ୍ଧି, କଣ୍ଟାଯୁକ୍ତ ସର୍ପିଳ ତାର ଜାଲି ଲଗାଇବା ସହିତ ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧୀୟ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଡ୍ରୋନ୍, ବଡି-ୱର୍ନ କ୍ୟାମେରା, କାରାଗାରକୁ ପ୍ରବେଶ କରୁଥିବା ବ୍ୟକ୍ତି କିମ୍ବା ବନ୍ଦୀଙ୍କ ଶରୀରରେ ଲୁଚାଇ ରଖାଯାଇଥିବା ଧାତୁ ଜିନିଷ (ଛୁରୀ, ମୋବାଇଲ, ଅସ୍ତ୍ର ଇତ୍ୟାଦି) ଚିହ୍ନଟ କରିବା ପାଇଁ ହ୍ୟାଣ୍ଡ ହେଲ୍ଡ ମେଟାଲ ଡିଟେକ୍ଟର, ପ୍ରବେଶ ଦ୍ୱାରରେ ଫ୍ରେମ୍ ଆକୃତିର ଧାତୁ ଚିହ୍ନଟକାରୀ ଯନ୍ତ୍ର ( ଡିଏଫ୍ଏମଡି) ଦ୍ୱାରା ସତର୍କ ସୂଚନା ବ୍ୟବସ୍ଥା, ଡିପ୍ ସର୍ଚ୍ଚ ମେଟାଲ ଡିଟେକ୍ଟର, ନନ-ଲିନିୟର ଜଙ୍କସନ ଡିଟେକ୍ଟର (ମୋବାଇଲ ଫୋନ ଚିହ୍ନଟ ପାଇଁ) ଇତ୍ୟାଦି ଆଧୁନିକ ସୁରକ୍ଷା ଉପକରଣର ବ୍ୟବହାର ନିମନ୍ତେ ପଦକ୍ଷେପ ନିଆଯାଇଛି।
କାରାଗାରଗୁଡ଼ିକରେ କାରାଗାର ଗୁଇନ୍ଦା ୟୁନିଟ ସ୍ଥାପନ ଏବଂ କାରାଗାର କର୍ତ୍ତୃପକ୍ଷଙ୍କ ତତ୍ୱାବଧାନରେ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱରେ ଅଧିକ ସଂଖ୍ୟକ ଦୋଷୀ ସାବ୍ୟସ୍ତ ଅଥଚ ବିଶ୍ୱସନୀୟ ବନ୍ଦୀମାନଙ୍କୁ କାରାଗାର ଭିତରେ ଶୃଙ୍ଖଳା ରକ୍ଷା, ବନ୍ଦୀଙ୍କ ଗତିବିଧି ଉପରେ ନଜର ରଖିବା, ପରିଷ୍କାର-ପରିଚ୍ଛନ୍ନତା, ଇତ୍ୟାଦି ଆଭ୍ୟନ୍ତରୀଣ ସହାୟକ କାର୍ଯ୍ୟରେ ନିୟୋଜିତ କରାଯାଉଛି।
କାରାଗାର ମାନୁଆଲ ଅନୁଯାୟୀ ବନ୍ଦୀମାନଙ୍କ ପାଇଁ ଟେଲିଫୋନ କଲ ସୁବିଧା କାର୍ଯ୍ୟକାରୀ କରାଯାଇଛି।ଏହି ସୁବିଧା ଅନୁସାରେ ପ୍ରତ୍ୟେକ ବନ୍ଦୀ ସପ୍ତାହକୁ ସର୍ବାଧିକ ୨ଟି କଲ କରିପାରିବେ ଏବଂ ପ୍ରତ୍ୟେକ କଲର ଅବଧି ୪ ମିନିଟରେ ସୀମିତ ରହିବ। ବରିଷ୍ଠ କାରାଗାର ଅଧିକାରୀ, ଜିଲ୍ଲା ପୁଲିସ ଓ ଗୁଇନ୍ଦା ଦଳ ପକ୍ଷରୁ ନିୟମିତ ସୁରକ୍ଷା ଅଡିଟ ଏବଂ ଯାଞ୍ଚ କରାଯାଉଛି। ଏଥିସହିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜିଲ୍ଲା ଜଜ ଏବଂ ଉଚ୍ଚ ନ୍ୟାୟାଳୟ ବିଚାରପତିମାନଙ୍କ ପକ୍ଷରୁ ମଧ୍ୟ ନିୟମିତ ପରିଦର୍ଶନ କରାଯାଉଛି।
ଗତ ଏକବର୍ଷ ମଧ୍ୟରେ ବନ୍ଦୀମାନଙ୍କର ଉନ୍ନତ ଜୀବନଯାପନ ବ୍ୟବସ୍ଥା ସୁନିଶ୍ଚିତ କରିବା ସହିତ କାରାଗାରରୁ ମୁକ୍ତ ହେବା ପରେ ସେମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ କରାଯାଇଥିବା ଅନ୍ୟାନ୍ୟ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ୭୪ଟି କାରାଗାର ପାଇଁ ୧୧୮ ଜଣ ସମର୍ପିତ ଯୋଗ ପ୍ରଶିକ୍ଷକ ନିଯୁକ୍ତି ହୋଇଛନ୍ତି। ୩୬ଟି କାରାଗାରରେ ୬୧ ଜଣ ସମର୍ପିତ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି। ବନ୍ଦୀମାନଙ୍କୁ ବିଭିନ୍ନ ଉତ୍ପାଦନମୂଳକ କାର୍ଯ୍ୟରେ ନିୟୋଜିତ ରଖିବା ପାଇଁ ୯୬ଟି ମାଇକ୍ରୋ ଇଣ୍ଡଷ୍ଟ୍ରି ସ୍ଥାପନ କରାଯାଇଛି। ସେମାନଙ୍କର ଦକ୍ଷତା ବିକାଶ ଓ ବୃତ୍ତିମୂଳକ ପ୍ରଶିକ୍ଷଣ ପାଇଁ ସ୍ୱତନ୍ତ୍ର ଅଭିଯାନ ସ୍ୱରୂପ ୨୦୨୫ ମସିହାରେ ୧,୬୩୬ ଜଣ ବନ୍ଦୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। କାରାଗାରରେ ଉତ୍ପାଦିତ ସାମଗ୍ରୀଗୁଡ଼ିକର ମାନକ ନିର୍ଦ୍ଧାରଣ ଏବଂ ବ୍ରାଣ୍ଡିଂ, ଜାମୁଝରୀ ମୁକ୍ତାକାଶ କାରାଗାରରେ ସ୍ୱତନ୍ତ୍ର ଔଷଧୀୟ ବୃକ୍ଷରୋପଣ ପ୍ରକଳ୍ପ, ବନ୍ଦୀମାନଙ୍କ ପାଇଁ ହାଇକୋର୍ଟରେ ଅପିଲ ପିଟିସନ ଏବଂ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଆବେଦନ ଦାଖଲ ସୁନିଶ୍ଚିତ କରିବା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ସ୍ୱରୂପ ୨,୪୧୮ଟି ଅପିଲ ଏବଂ ୨୫୬ଟି ଏସଏଲପି ଦାଖଲ କରାଯାଇଛି।
୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ବିଶେଷ କାରଣରେ ବନ୍ଦୀଙ୍କୁ ନିର୍ଦ୍ଦିଷ୍ଟ ସର୍ତ୍ତରେ କିଛି ଦିନ ପାଇଁ କାରାଗାରରୁ ବାହାରକୁ ଯିବାର ଅନୁମତି ଦିଆଯାଇଥିବା (ପାରୋଲରେ ଯାଇଥିବା) ଏବଂ ଭଲ ଆଚରଣ ପାଇଁ ବନ୍ଦୀଙ୍କୁ ନିୟମିତ ବ୍ୟବଧାନରେ କିଛି ଦିନ ପାଇଁ ଛୁଟି ଦିଆଯାଇଥିବା କ୍ଷେତ୍ରରେ (ଫର୍ଲୋ) ଫେରାର ସନ୍ଦେହଭୁକ୍ତ ବନ୍ଦୀମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ନିଆଯାଇଛି। ୨୦୨୫-୨୬ ମସିହାରେ ଏକ ସ୍ୱତନ୍ତ୍ର ଶିକ୍ଷା ଅଭିଯାନରେ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ସଂସ୍ଥାନ (ଏନଆଇଓଏସ), ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ), ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସଓୟୁ) ଅଧୀନରେ ମାଟ୍ରିକରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟକ୍ରମରେ ୨୧୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ବୈଠକରେ କାରାଗାର ଭିତ୍ତିଭୂମିରେ ଉନ୍ନତି ପାଇଁ ଭୁବନେଶ୍ୱର, ଯାଜପୁର ଏବଂ ଭଦ୍ରକ ସମେତ ବିଭିନ୍ନ ସ୍ଥାନରେ ନୂତନ ମଡେଲ କାରାଗାର ନିର୍ମାଣ, ବନ୍ଦୀ କଲ୍ୟାଣ ଏବଂ ଉନ୍ନତ ଜୀବନଯାପନ ବ୍ୟବସ୍ଥା ସ୍ୱରୂପ ବନ୍ଦୀମାନଙ୍କ ଖାଦ୍ୟ ଖର୍ଚ୍ଚ, ରାତ୍ରି ଭୋଜନ, ବିଶୁଦ୍ଧ ଓ ନିରାପଦ ପାନୀୟ ଜଳର ବ୍ୟବସ୍ଥା, ବନ୍ଦୀମାନଙ୍କ ମଜୁରୀ, କାରାଗାର ଭିତରେ ନିଶାମୁକ୍ତି କେନ୍ଦ୍ର ସ୍ଥାପନ, କଟକ ଚୌଦ୍ୱାର କାରାଗାରରେ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସ୍ଥାପନ ଇତ୍ୟାଦି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ପବିତ୍ର ମୋହନ ସାମଲଙ୍କ ସମେତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଉଚ୍ଚ ଶିକ୍ଷା ସଚିବ, ନିର୍ଦ୍ଦେଶକ, ସମାଜ କଲ୍ୟାଣ ବୋର୍ଡ ନିର୍ଦ୍ଦେଶିକା ପ୍ରମୁଖ ଉପସ୍ଥିତ ଥିଲେ।