ଭୁବନେଶ୍ୱର:୧୨/୩-ଆର୍ଥିକ ଅନଗ୍ରସର ପରିବାରଗୁଡ଼ିକୁ ସାମାଜିକ ସହାୟତା ପ୍ରଦାନ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’କୁ ଅଧିକ ସୁଦୃଢ଼ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର କଟକ ଏବଂ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଟକରେ ଆୟୋଜିତ ଜିଲ୍ଲାସ୍ତରୀୟ ସାମୂହିକ ବିବାହ ଉତ୍ସବରେ ଯୋଗ ଦେଇଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଏହା କେବଳ ଏକ ଆର୍ଥିକ ସହାୟତା ପ୍ରଦାନ ଯୋଜନା ନୁହେଁ ବରଂ ବାଲ୍ୟ ବିବାହ ଏବଂ ଯୌତୁକ ପ୍ରଥା ବିରୋଧରେ ଏହା ଏକ ଦୃଢ଼ ସାମାଜିକ ପଦକ୍ଷେପ। ଏହି ଯୋଜନା ଜୀବନର ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରୁଥିବା ଯୁବତୀମାନଙ୍କ ପାଇଁ ମର୍ଯ୍ୟଦା, ସୁରକ୍ଷା ଏବଂ ସାମାଜିକ ସ୍ୱୀକୃତି ସୁନିଶ୍ଚିତ କରେ। ଏହି ଯୋଜନା ବିଧବା ବିବାହକୁ ମଧ୍ୟ ପ୍ରୋତ୍ସାହନ ଦିଏ।


କଟକରେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସମ୍ପ୍ରଦାୟର ୫୫ ଦମ୍ପତି, ସୁନ୍ଦରଗଡ଼ରେ ଏହି କାର୍ଯ୍ୟକ୍ରମରେ ୬୧ ଜଣ ଦମ୍ପତି ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି। ଏହି ଯୋଜନାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟା କନ୍ୟାମାନଙ୍କ ବିବାହ ନିମନ୍ତେ ୬୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏଥିମଧ୍ୟରୁ ୪୫,୦୦୦ ଟଙ୍କା ସିଧାସଳଖ କନ୍ୟାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଛି। ଅବଶିଷ୍ଟ ୧୫,୦୦୦ ଟଙ୍କା ବିବାହ ଉତ୍ସବର ଆୟୋଜନ ଏବଂ ପରିଚାଳନା ପାଇଁ ବ୍ୟୟ କରାଯାଉଛି ଯାହାକି ଏଥିପାଇଁ ଚୟନ ହୋଇଥିବା କାର୍ଯ୍ୟକାରୀ ସଂସ୍ଥାଙ୍କ ସହଯୋଗରେ ହେଉଛି।