ଭୁବନେଶ୍ୱର:୩୧/୫-ଭାରତୀୟ ମୂଲ୍ୟବୋଧକୁ ଭିତ୍ତିକରି ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଦେଇଛନ୍ତି। ରବିବାର ଲୋକଭବନରେ ଆୟୋଜିତ ଦୁଇ ଦିନିଆ କୁଳପତି ସମ୍ମିଳନୀର ଉଦଘାଟନୀ ସମାରୋହରେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇବା ସହିତ ବିଶ୍ୱବିଦ୍ୟାଳୟଗୁଡିକୁ ସାମାଜିକ ଦାୟିତ୍ୱବାନ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ପ୍ରତିଷ୍ଠାନରେ ପରିଣତ କରିବାକୁ ଗୁରୁତ୍ୱାରୋପ କରିଛନ୍ତି। ଏଥି ସହିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଏକ ଆତ୍ମନିର୍ଭର ଭାରତ ଗଠନ ଏବଂ ଭବିଷ୍ୟତର ଆହ୍ୱାନ ପାଇଁ ରାଜ୍ୟକୁ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ ବୋଲି ମଧ୍ୟ ରାଜ୍ୟପାଳ କହିଛନ୍ତି।

ନ୍ୟୁ ଅଭିଷେକ ହଲରେ ଆୟୋଜିତ ଏହି ଦୁଇଦିନିଆ କୁଳପତି ସମ୍ମିଳନୀରେ ରାଜ୍ୟର ସରକାରୀ ଏବଂ ଘରୋଇ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗ ଦେଇଛନ୍ତି ଓ ଏହି ସମାବେଶକୁ ଓଡ଼ିଶାରେ ଉଚ୍ଚଶିକ୍ଷାର ଭବିଷ୍ୟତ ଗଠନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାମୂହିକ ପ୍ରୟାସ ବୋଲି ରାଜ୍ୟପାଳ ବର୍ଣ୍ଣନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶିଳ୍ପ ତଥା ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉଚ୍ଚଶିକ୍ଷା ବିଭାଗମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଶିକ୍ଷାବିତ ଯୋଗ ଦେଇଥିଲେ।
ଏହି ଅବସରରେ କୁଳପତିମାନଙ୍କୁ ସ୍ୱାଗତ ଜଣାଇ ରାଜ୍ୟପାଳ କହିଥିଲେ ଯେ ବିଶ୍ୱବିଦ୍ୟାଳୟଗୁଡ଼ିକ ଜ୍ଞାନ, ନବସୃଜନ ଏବଂ ନେତୃତ୍ୱର କେନ୍ଦ୍ର ଏବଂ ରାଷ୍ଟ୍ର ନିର୍ମାଣରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ଦ୍ରୁତ ବୈଷୟିକ ପ୍ରଗତି ଏବଂ ବିଭିନ୍ନ ଆହ୍ୱାନ ମଧ୍ୟରେ ବିଶ୍ୱ ଅଭୂତପୂର୍ବ ପରିବର୍ତ୍ତନ ଦେଇ ଗତି କରୁଥିବା ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକୀୟ ଜ୍ଞାନ, ଦକ୍ଷତା ଏବଂ ମୂଲ୍ୟବୋଧ ସହିତ ଏକ ଜଟିଳ ଭବିଷ୍ୟତକୁ ସମ୍ମୁଖୀନ କରିବା ପାଇଁ ଗଢ଼ି ତୋଳିବା ଉଚିତ। ଏତତବ୍ୟତୀତ ରାଜ୍ୟପାଳ କହିଥିଲେ ଯେ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ଅର୍ଥନୈତିକ ସ୍ୱାବଲମ୍ବନଠାରୁ ଅଧିକ ଏବଂ ନବସୃଜନ, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ, ସ୍ୱାସ୍ଥ୍ୟସେବା, ଶକ୍ତି ଏବଂ ଶିକ୍ଷା ସହିତ ଅନ୍ତର୍ଭୁକ୍ତ । ଏ ଦିଗରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଉଦ୍ୟମିତା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା, ସମାଜରେ ଅଭିବୃଦ୍ଧି ଏବଂ ବିକାଶ ପାଇଁ ଯୁବପିଢ଼ିଙ୍କୁ ସଶକ୍ତ କରିବା ଉଚିତ ବୋଲି ରାଜ୍ୟପାଳ କହିଥିଲେ।
ଜାତୀୟ ଶିକ୍ଷା ନୀତି୨୦୨୦ ର ପରିବର୍ତ୍ତନକାରୀ ସମ୍ଭାବନା ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ ଏହି ନୀତି ବହୁମୁଖୀ ଶିକ୍ଷା, ଶୈକ୍ଷିକ ନମନୀୟତା, ଦକ୍ଷତା ସମନ୍ୱୟ, ଡିଜିଟାଲ୍ ଶିକ୍ଷା, ଗବେଷଣା ଉତ୍କର୍ଷତା ଏବଂ ଦୃଢ଼ ଶିଳ୍ପ ସହଭାଗୀତାକୁ ପ୍ରୋତ୍ସାହିତ କରୁଛି। ଏହି ନୀତିର କାର୍ଯ୍ୟାନ୍ୱୟନକୁ ଆଗକୁ ବଢ଼ାଇବାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।