ଭୁବନେଶ୍ୱର:୧୨/୩– ଓଡ଼ିଶା ପୋଲିସ ଦ୍ୱାରା ଆୟୋଜିତ ସପ୍ତାହବ୍ୟାପୀ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ ହୋଇଛି। ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀରେ ଏକ ଲକ୍ଷରୁ ଅଧିକ ଲୋକ ଯୋଡ଼ି ହୋଇଥିଲେ। ଏହି ସମ୍ମିଳନୀ ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ସଚେତନତା ଓ କମ୍ୟୁନିଟି ପୋଲିସିଂରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଶେଷ ଦିନରେ ବାଚସ୍ପତି ସୁରମା ପାଢ଼ୀ, ବିଧାୟକ ଆଶ୍ରିତ ପଟ୍ଟନାୟକ, ଡାକ୍ତର ମନୋଜ କୁମାର ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଶ୍ରମ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଚିତ୍ରା ଅରୁମୁଗମ ଏବଂ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ଏହିଦିନ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆରପିଏଫ, ସିଆଇଏସଏଫ ଓ ସିଆରପିଏଫ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟମାନେ ଯୋଗଦେଇ ଭାରତର ନୂତନ ନ୍ୟାୟ ବ୍ୟବସ୍ଥା ବିଷୟରେ ଅବଗତ ହୋଇଥିଲେ।

ଏହି ପ୍ରଦର୍ଶନୀ ନୂତନ ଆଇନ ଭାରତୀୟ ନ୍ୟାୟ ସଂହିତାକୁ ସାଧାରଣ ଲୋକଙ୍କ ମଧ୍ୟରେ ସରଳ ଭାବରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଏହି ଆଇନ ୧ ଜୁଲାଇ ୨୦୨୪ ଠାରୁ ଔପନୈଶିକ ଯୁଗର ପୁରୁଣା ଆଇନକୁ ପରିବର୍ତ୍ତନ କରି ଏକ ଅଧିକ ପାରଦର୍ଶୀ, କାର୍ଯ୍ୟକୁଶଳ ଓ ନାଗରିକମୁଖୀ ନ୍ୟାୟ ବ୍ୟବସ୍ଥା ଗଢ଼ି ତୋଳିଛି। ପରମ୍ପରାଗତ ବ୍ୟାଖ୍ୟା ପରିବର୍ତ୍ତେ ଏଠାରେ ଏକ ଅନୁଭୂତିମୂଳକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଦର୍ଶକମାନେ ଏକ ଜିଲ୍ଲା କୋର୍ଟ ଓ ଉଚ୍ଚ ନ୍ୟାୟାଳୟ ପରିବେଶରେ ମାମଲା ଶୁଣାଣି ଓ ଅପିଲ୍ ପ୍ରକ୍ରିୟାକୁ ନିକଟରୁ ଦେଖିଥିଲେ। ଶେଷରେ କଏଦୀମାନଙ୍କ ପାଇଁ ବୃତ୍ତିମୂଳକ ପ୍ରଶିକ୍ଷଣ ଓ ସମାଜରେ ପୁନର୍ବାସ ଉପସ୍ଥାପିତ ହୋଇଥିଲା।
ନ୍ୟାୟ ପ୍ରକ୍ରିୟା ବ୍ୟତୀତ ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ବିଭିନ୍ନ କ୍ଷମତାକୁ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଏଥିରେ ସମାଜର ପ୍ରାୟ ସମସ୍ତ ବର୍ଗର ବ୍ୟକ୍ତି ବିଶେଷ ଯୋଗଦେଇଥିଲେ।
ଜଟିଳ ଆଇନ ଭାଷାକୁ ସାଧାରଣ ଲୋକଙ୍କ ପାଇଁ ସହଜ କରିବା ପାଇଁ ପ୍ରତିଦିନ ଓଡ଼ିଆ ନାଟକୀୟ ଅଭିନୟ ମାଧ୍ୟମରେ ନ୍ୟାୟ ସଂହିତାର ବିଭିନ୍ନ ପ୍ରାବଧାନକୁ ଉପସ୍ଥାପନ କରାଯାଇଥିଲା। ସମ୍ପୂର୍ଣ୍ଣ ପ୍ରଦର୍ଶନୀଟି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ପରିଚାଳନାରେ ସୁଚାରୁ ଭାବେ ଆୟୋଜିତ ହୋଇଥିଲା।