ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତର ରଖିଲେ ଆଇନମନ୍ତ୍ରୀ

ଭୁବନେଶ୍ୱର:୨୩ା୭-ଦେଶର ଅଦାଲତଗୁଡ଼ିରେ ଏବେ ୫କୋଟି ୬୪ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି। ଏଥିରେ ରହିଛି ସୁପ୍ରିମକୋର୍ଟରେ ୯୬,୦୨୪ ଓ ବିଭିନ୍ନ ହାଇକୋର୍ଟରେ ୬୪ଲକ୍ଷ ୭୨ ହଜାରରୁ ଅଧିକ ମାମଲା। ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ଓ ନ୍ୟାୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାଓ ମେଘୱାଲ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ ଓଡ଼ିଶା ହାଇକୋର୍ଟରେ ୧୬ ଜୁଲାଇ୨୦୨୬ ସୁଦ୍ଧା ୧,୬୯,୩୨୦ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିମଧ୍ୟରୁ ୩୭୬ଟି ୩୦ ବର୍ଷରୁ, ୭୦୩୫ଟି ୨୦ ବର୍ଷରୁ ଓ ୩୮,୮୬୬ଟି ୧୦ବର୍ଷରୁ ଅଧିକ ପୁରୁଣା ମାମଲା ଅଛି। ସେହିପରି ୬୯,୬୮୪ଟି ୫ ବର୍ଷରୁ ଅଧିକ ପୁରୁଣା ମାମଲା ଥିବା ଜଣାଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ଅଧସ୍ତନ ନ୍ୟାୟାଳୟଗୁଡ଼ିକରେ ଏହି ସମୟ ସୁଦ୍ଧା ମୋଟ ୧୮,୬୮,୩୨୩ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିମଧ୍ୟରୁ ୪,୪୪୧ଟି ୩୦ ବର୍ଷରୁ ଅଧିକ ପୁରୁଣା।
ଏହାଛଡ଼ା ଓଡ଼ିଶାର ୪୫,୩୩୩ଟି ୨୦ବର୍ଷ ତଳର, ୩,୦୭,୨୧୬ଟି ୧୦ବର୍ଷ ତଳର ଓ ୭,୬୬,୧୭୭ଟି ମାମଲା ୫ବର୍ଷରୁ ଅଧିକ ଦିନ ଧରି ବିଚାର ପ୍ରତୀକ୍ଷାରେ ରହିଛି। ସୁପ୍ରିମକୋର୍ଟରେ ବିଚାର ପ୍ରତୀକ୍ଷାରେ ଥିବା ୯୬,୦୨୪ଟି ମାମଲା ମଧ୍ୟରୁ ୨୪,୬୧୧ଟି ୫ ବର୍ଷରୁ ଅଧିକ ପୁରୁଣା ହୋଇଥିବାବେଳେ ୧୦,୦୯୪ଟି ୧୦ବର୍ଷରୁ ଅଧିକ, ୫୫୮ଟି ୨୦ ବର୍ଷରୁ ଅଧିକ ଓ ୨୬ଟି ୩୦ବର୍ଷରୁ ଅଧିକ ପୁରୁଣା।
ଦେଶର ୨୫ଟି ହାଇକୋର୍ଟ ମଧ୍ୟରୁ ସର୍ବାଧିକ ୧୨,୨୮,୩୫୩ଟି ମାମଲା ଆହ୍ଲାବାଦ ହାଇକୋର୍ଟରେ ବିଚାର ପାଇଁ ଥିବାବେଳେ ୬,୫୭,୮୧୩ଟି ବମ୍ବେ ହାଇକୋର୍ଟ, ୬,୯୬,୩୪୮ଟି ରାଜସ୍ଥ୍ାନ ହାଇକୋର୍ଟ, ୫,୬୭,୮୧୪ଟି ମାଡ୍ରାସ ହାଇକୋର୍ଟ ଓ ୪,୯୦,୩୬୩ଟି ମଧ୍ୟପ୍ରଦେଶ ହାଇକୋର୍ଟରେ ବିଚାର ପ୍ରତୀକ୍ଷାରେ ରହିଛି। ହାଇକୋର୍ଟଗୁଡ଼ିକରେ ୮୦,୬୬୦ଟି ମାମଲା ୩୦ବର୍ଷରୁ ଊର୍ଦ୍ଧ୍ୱ ଧରି ବିଚାର ପ୍ରତୀକ୍ଷାରେ ଥିବାବେଳେ ୪,୫୨,୧୫୨ଟି ୨୦ ବର୍ଷର, ୧୬,୧୪,୬୫୭ଟି ୧୦ ବର୍ଷର ଓ ୨୯,୭୫,୧୬୧ଟି ୫ବର୍ଷରୁ ଅଧିକ ପୁରୁଣା ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।
ବିଭିନ୍ନ କାରଣରୁ ଅଦାଲତଗୁଡ଼ିକରେ ମାମଲା ପଡ଼ିରହିଥିବାବେଳେ ଏଗୁଡ଼ିକର ଫଇସଲା ବିଚାର ବ୍ୟବସ୍ଥା ଉପରେ ନିର୍ଭର କରେ। ତେବେ କେନ୍ଦ୍ର ସରକାର ମାମଲାଗୁଡ଼ିକର ତ୍ୱରିତ ଫଇସଲା ସହିତ ବକେୟା ମାମଲାର ସଂଖ୍ୟା ହ୍ରାସ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଇ-କୋର୍ଟ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟରେ ଏଥିଲାଗି ୭,୨୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବିଭିନ୍ନ ସମ୍ବେଦନଶୀଳ ମାମଲାର ବିଚାର ପାଇଁ ଫାଷ୍ଟଟ୍ରାକ ସ୍ୱତନ୍ତ୍ର କୋର୍ଟମାନ ସ୍ଥାପନ କରାଯାଉଛି। ଏହାଛଡ଼ା ପୁରୁଣା ମାମଲାର ଫଇସଲା ଲାଗି ହାଇକୋର୍ଟ ଓ ଜିଲ୍ଲାକୋର୍ଟ ସ୍ତରରେ ତଦାରଖ କମିଟିମାନ ଗଠନ କରାଯାଇଛି। ମାମଲାଗୁଡ଼ିକର ବିକଳ୍ପ ସମାଧାନ ପାଇଁ ମଧ୍ୟ ବ୍ୟବସ୍ଥା ନିଆଯାଉଛି। ଲୋକ ଅଦାଲତ ମାଧ୍ୟମରେ ବି ତ୍ୱରିତ ଫଇସଲା ଲାଗି ପଦକ୍ଷେପ ନିଆଯାଉଥିବା କଥା ମନ୍ତ୍ରୀ ଶ୍ରୀ ମେଘୱାଲ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।