ସରକାର କହିଲେ ତହସିଲଦାର ହେଉଛନ୍ତି ତୃଣମୂଳସ୍ତରରେ ରାଜ୍ୟ ପ୍ରଶାସନର ମେରୁଦଣ୍ଡ
ଭୁବନେଶ୍ୱର:୪/୬-ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ ଅଫିସ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁନ ୪ ତାରିଖରେ ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଏହା କହିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ, ଆମ ସରକାର ଭୂମି ପ୍ରଶାସନକୁ ଆଧୁନିକ ଏବଂ ଲୋକଭିମୁଖୀ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଓଡିଶାରେ କେହି ବି ଭୂମିହୀନ ରହିବେ ନାହିଁ। ଯେଉଁମାନଙ୍କର ୪ ଡେସିମିଲରୁ କମ ଜମି ଅଛି, ସେମାନେ ବି ଭୂମିହୀନ ଭାବେ ଗଣାହେବେ ଏବଂ ସରକାର ସେମାନଙ୍କୁ ଜମି ଯୋଗାଇ ଦେବେ। ତେଣୁ, ଏହି ଯୋଜନାକୁ ପ୍ରଭାବୀ ଭାବେ ଲାଗୁ କରିବା ପାଇଁ ଆପଣମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ରାଜସ୍ୱ ଅଧିକାରୀମାନଙ୍କୁ କହିଛନ୍ତି ।
ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ସରକାରର ପ୍ରତିନିଧି ଭାବରେ ଗାଁ ଓ ଗ୍ରାମବାସୀଙ୍କୁ ସମୟରେ ଓ ନ୍ୟାୟସଙ୍ଗତ ସେବା ଦେବା ପାଇଁ ତତ୍ପର ହେବା ଆବଶ୍ୟକ ଅଛି। ସମାଜର ଶେଷ ଧାଡିରେ ଥିବା ଲୋକ ପର୍ଯ୍ୟନ୍ତ ସେବା ପହଞ୍ଚାନ୍ତୁ। ଯେଉଁମାନେ ଦୀର୍ଘଦିନ ଧରି ବଞ୍ଚିତ ଓ ଅବହେଳିତ–ସେମାନେ ହେଉଛନ୍ତି ସରକାରଙ୍କ ପ୍ରଥମ ପ୍ରାଥମିକତା। ବହୁତ ମୂଲ୍ୟବାନ ସରକାରୀ ଜମି ଜବରଦଖଲରେ ଅଛି। ସେହି ସରକାରୀ ଜମିକୁ ଆପଣ ଜବରଦଖଲମୁକ୍ତ କରି ତାହାର ସୁରକ୍ଷା କରନ୍ତୁ। ଆଗାମୀ ଦିନରେ ସରକାର ରାଜସ୍ୱ କ୍ଷେତ୍ରରେ ଅନେକ ସଂସ୍କାର ଆଣିବାକୁ ଯାଉଛନ୍ତି। ସମୟସୀମା ମଧ୍ୟରେ ଦାଖଲ ଖାରଜ ମାମଲା ଓ ଅନ୍ୟାନ୍ୟ ଜମିଜମା ମାମଲାର ତ୍ୱରିତ ଫଇସଲା କରନ୍ତୁ। ଜମିଜମା ସଂକ୍ରାନ୍ତୀୟ ମାମଲା ବିଚାର କଲାବେଳେ ସଂପୂର୍ଣ୍ଣ ସ୍ୱଚ୍ଛତା ସହିତ କରିବେ। କାରଣ, ଯେତେବେଳେ ଆପଣ ଏହି ଭୂମିକା ତୁଲାନ୍ତି, ସେତେବେଳେ ଆପଣ ନ୍ୟାୟଦଣ୍ଡରେ ବିରାଜମାନ କରିଥାନ୍ତି। ଏହି କଥାକୁ ସବୁବେଳେ ମନେ ରଖିବେ।
କର୍ତ୍ତବ୍ୟପରାୟଣ ଓ ସଚ୍ଚୋଟ ହୁଅନ୍ତୁ। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଏ ସରକାର ବରଦାସ୍ତ କରିବେ ନାହିଁ। ଭଲ କାମ କରୁଥିବା ଅଧିକାରୀଙ୍କୁ ନିଶ୍ଚୟ ପୁରସ୍କୃତ କରାଯିବ। ପ୍ରତିଷ୍ଠା ନୁହେଁ, ସମର୍ପଣ ହେଉ ଆପଣମାନଙ୍କ ମାନଦଣ୍ଡ। ଏକ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ରାଜସ୍ୱ ପ୍ରଶାସନ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି ଆମକୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ଚିରାଚରିତ କାର୍ଯ୍ୟପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ପଡିବ। ଆପଣମାନେ ନିଜର ମାନସିକତା ବଦଳାନ୍ତୁ। ଆମ ସରକାର ଶାସନକୁ ଆସିବା ପରେ, ରାଜସ୍ୱ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଛନ୍ତି। ରାଜସ୍ୱ ସେବା ଏବେ ଲୋକମାନଙ୍କର ନିକଟତର ହୋଇଛି।ବର୍ତ୍ତମାନ ଲୋକଙ୍କ ସରକାରରେ ଜନସାଧାରଣ ହେଉଛନ୍ତି ଶ୍ରେଷ୍ଠ ବିଚାରକ। ଆମକୁ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ପଡିବ। ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରନ୍ତୁ। ସମୟ ଅନୁଯାୟୀ ରାଜସ୍ୱସେବା ଯୋଗାଇ ଦେବା ପାଇଁ ଯତ୍ନବାନ ହୁଅନ୍ତୁ ବୋଲି ଶ୍ରୀ ପୂଜାରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ବି. ପରମେଶ୍ୱରନ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଦୁଇ ଦିନିଆ କର୍ମଶାଳାର ପ୍ରଥମ ଅଧିବେଶନରେ ସମସ୍ତ ଜିଲ୍ଲାର ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାର ମାନେ ଅଂଶଗ୍ରହଣ କରିଥିଲେ।