ଭୁବନେଶ୍ୱର:୫/୩-ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ତଥା ଓଡ଼ିଆ ସ୍ୱାଭିମାନର ପ୍ରତୀକ ବିଜୁବାବୁ ଜଣେ କିମ୍ବଦନ୍ତୀ ପୁରୁଷ। ସ୍ୱତନ୍ତ୍ରତା ଓ ସଫଳତାପୂର୍ଣ୍ଣ ବୈପ୍ଳବିକ ଜୀବନଶୈଳୀ ଦ୍ୱାରା ଉତ୍କଳ ଜନନୀର ‘ବୀରପ୍ରସବିନୀ’ ନାମକୁ ସେ ଯଥାର୍ଥରେ ପ୍ରତିପାଦିତ କରିପାରିଛନ୍ତି। ଜାତିର ମୁକ୍ତିଦାତା ସାଜି ଧରାପୃଷ୍ଠରେ ଅବତରଣ କରିଥିବା ଏହି ଯଶସ୍ୱୀ ଯୋଗଜନ୍ମା। ତାଙ୍କ ଜୀବଦଶାରେ ସେବା, ତ୍ୟାଗ, ପରୋପକାର ଓ ନିଷ୍ଠା ପରି ମାନବୀୟ ଗୁଣଗୁଡ଼ିକ ସେ ଆପଣାର କରିପାରିଥିଲେ। ଅପର ପକ୍ଷରେ ତାଙ୍କ ଭିତରେ ଦୁଃସାହସିକତା ତଥା ନିର୍ଭୀକତା ପରି ତେଜୋଦୀପ୍ତ ଗୁଣାବଳୀର ସମାହାର ସହଜାତ ଥିଲା। ଏହି ସ୍ୱାଧୀନତା ସଂଗ୍ରାମୀ, ଦୁଃସାହସିକ ବୈମାନିକ, ଲୋକପ୍ରିୟ ରାଜନୀତିଜ୍ଞ ଓ ସମାଜସେବକ ଭାବରେ ନିଜ ଭୂମିକାର ସଫଳ ସଂପାଦନ କରିବା ସହିତ ସୁପ୍ତ ଓଡ଼ିଆ ମନରେ ଜାତିପ୍ରେମର ବହ୍ନି ପ୍ରଜ୍ୱଳନ କରିବାରେ ସକ୍ଷମ ହୋଇପାରିଥିଲେ। ନିଜ ସମୟର ଓଡ଼ିଶାକୁ ଅତୀତର କଳିଙ୍ଗ ଓ ନିଜକୁ ଖାରବେଳଙ୍କ ଦାୟାଦ ରୂପେ ପରିଚୟ ପ୍ରଦାନ କରି ଏକ ସମୃଦ୍ଧ ଓଡ଼ିଶା ଗଠନ ନିମନ୍ତେ ସେ ସର୍ବଦା ଚେଷ୍ଟାରତ ଥିଲେ। ବାସ୍ତବରେ ଓଡ଼ିଆ ଜାତିର ଦୁଃଖଦୁର୍ଦ୍ଦଶା ସେ ସହ୍ୟ କରିପାରୁ ନଥିଲେ। ମାଟିର ମୂର୍ତ୍ତିକାର ଓ ଝଡ଼ର ଇଗଲ ଏହି ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ତଥା ଆଦର୍ଶ ପୁରୁଷଙ୍କ ଜୀବନୀ ଏକ ଇତିହାସ ସଦୃଶ।


ବିଧାନସଭା ପରିସରରେ ପ୍ରବାଦପୁରୁଷ ମହାନ ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଯୋଗଦେଇ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ବାବୁ ସିଂ, ପ୍ରମିଳା ମଲ୍ଲିକ, ଭାସ୍କର ଚନ୍ଦ୍ର ମଢ଼େଇ, ସରୋଜ ପାଢ଼ୀ, ପ୍ରତାପ ଚନ୍ଦ୍ର ନାୟକ, ପୂର୍ବତନ ବିଧାୟକ ଅରବିନ୍ଦ ଢାଲି, ପ୍ରିୟଦର୍ଶୀ ମିଶ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକ, ଉତ୍କଳ ସମ୍ମିଳନୀର ବରିଷ୍ଠ କର୍ମକର୍ତ୍ତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଶଙ୍ଖ ଭବନରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ
ଭୁବନେଶ୍ୱର:୫/୩-ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ସକାଳ ୯ଟା ୪୫ରେ ଫରେଷ୍ଟ ପାର୍କ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।
ପରେ ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଦଳର ଉପ ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଜୁ ପଟ୍ଟନାୟକଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନବୀନ ପଟ୍ଟନାୟକ ଯୋଗଦେଇ କହିଥିଲେ, ଦଳ ସବୁବେଳେ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗକୁ ବଢୁଛି। ବିଜୁ ବାବୁଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଦଳ ସର୍ବଦା କାମ କରିବ। ବିଜୁ ବାବୁଙ୍କ ଅବଦାନ ଆଗାମୀ ପୀଢ଼ିକୁ ସର୍ବଦା ପ୍ରେରଣା ଯୋଗାଇବ।
ଏହି ସଭାରେ ଉପସ୍ଥିତ ବରିଷ୍ଠ ନେତା, ସାଂସଦ, ବିଧାୟକ ଓ ଦଳୀୟ ପଦାଧିକାରୀମାନେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ, ଆଦର୍ଶ ଓ ତାଙ୍କର ଅମୂଲ୍ୟ ଅବଦାନ ବିଷୟରେ ନିଜର ମତ ପ୍ରକାଶ କରିଥିଲେ। ତାଙ୍କ ଆଦର୍ଶକୁ ଅନୁସରଣ କରି ଓଡ଼ିଶାର ଲୋକଙ୍କ ଉନ୍ନତି ଓ କଲ୍ୟାଣ ପାଇଁ କାମ କରିବାକୁ ସଂକଳ୍ପ ନେଇଥିଲେ।