-ନିର୍ଭୟର ବାର୍ଷିକ ଉତ୍ସବ-
-ବିରେନ୍ଦ୍ରଙ୍କୁ ଓଡ଼ିଶା ଗୌରବ ସମ୍ମାନ
ସାମ୍ବାଦିକଙ୍କୁ ପେନସନ ଦାବି ରଖିଲେ ନିର୍ଭୟର ସମ୍ପାଦକ
ଭୁବନେଶ୍ୱର:୨୦/୯- କୌଣସି ଖବରକାଗଜ ଏକ ଜଡ଼ବସ୍ତୁ ନୁହେଁ। ବରଂ ଏହା ଭିତରେ ଜୀବନ୍ତସତ୍ତା ନିହିତ ଥାଏ। ସମାଜକୁ ଏହା ଦେଖାଇଥାଏ ପଥ। ସମ୍ବାଦପତ୍ର ଯେତେ ସକ୍ରିୟ ଓ ପ୍ରଭାବଶାଳୀ ହେବ ସମାଜ ଓ ଜନତାଙ୍କ ପାଇଁ ସେତିକି କଲ୍ୟାଣକାରୀ ହୋଇପାରିବ ବୋଲି ଦୈନିକ ନିର୍ଭୟର ୧୨ତମ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଗଣମାଧ୍ୟମ ଏକ ଚଳନ୍ତି ଇତିହାସ। ଗଣମାଧ୍ୟମରୁ ଆମେ ସବୁ ଖବର ଜାଣିପାରୁ। ଗଣତନ୍ତ୍ର ଆମକୁ ଶିକ୍ଷା ଦେବା ସହ ସତର୍କ ମଧ୍ୟ କରାଏ। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ସାରର ଅଭାବ ବିଷୟ ଉଦାହରଣ ଆକାରରେ ଦେଇଥିଲେ। ଖବରକାଗଜ ଗୁଡ଼ିକରେ ସାରର ଅଭାବ ଥିବା କଥା ପ୍ରକାଶ ପାଇଥିଲା। ଆମେ ଏହାକୁ ବିରୋଧୀ ଦଳଙ୍କ କଥା ବୋଲି କହି ଦୂରେଇ ଦେଇନଥିଲୁ।ମୁଖ୍ୟମନ୍ତ୍ରୀ ନିଜେ ଏହା ଉପରେ ସମୀକ୍ଷା କରିଥିଲେ। ପ୍ରତ୍ୟେକ ଜିଲ୍ଲାୱାରୀ ବୈଠକ ହୋଇଥିଲା ଏବଂ ଜିଲ୍ଲାପାଳମାନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଁ ନିର୍ଦ୍ଦେଶ ପ୍ରଦାନ କରିଥିଲି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। ତେବେ ସେ ଗଣମାଧ୍ୟମକୁ ସତର୍କ କରି କହିଥିଲେ ସମ୍ବାଦ ଯଦି ଉଦ୍ଦେଶ୍ୟ ପ୍ରଣୋଦିତ ହେଲା ତାହେଲେ ତାହା ବିଶ୍ୱାସଯୋଗ୍ୟ ହେବ ନାହିଁ। ମିଡିଆ ଯଦି ମିସଗାଇଡ଼ କରେ ତା ହେଲେ ସମାଜର କ୍ଷତି ହୁଏ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ।

ପ୍ରଧାନମବୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭରଶୀଳ ହେବା ପାଇଁ ଯେଉଁ ଆହ୍ୱାନ ଦେଇଛନ୍ତି ଏବଂ ଇଣ୍ଡିଆ ଫାଷ୍ଟର ଯେଉଁ ନାରା ଦେଇଛନ୍ତି ତା ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ। ଏକ ସମୟ ଥିଲା ଯେତେବେଳେ ଚୀନର ଖେଳଣା ଓ ମୋବାଇଲ ଆଣୁଥିଲୁ। ଏବେ ଭାରତ ମୋବାଇଲ ଉତ୍ପାଦନରେ ତୃତୀୟ ବଡ଼ ରାଷ୍ଟ୍ର ହୋଇସାରିଛି। ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ବିକାଶର କଥା ମୁଖ୍ୟମନ୍ତ୍ରୀ କହି କିପରି ସେମିକଣ୍ଡକ୍ଟର ସମ୍ମିଳନୀରେ ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ସାମିଲ ହେବା ଓଡ଼ିଶା ପାଇଁ ଏକ ବଡ଼ ଉପଲବ୍ଧି ବୋଲି କହିଥିଲେ। ଆୟୋଜକ ଭାବରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ ହେଲେ ଦେଶର ଅନ୍ୟମୁଖ୍ୟମନ୍ତ୍ରୀମାନଙ୍କ ଭିତରୁ ପ୍ରଧାନମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିଲେ। ସେହି ସମ୍ମିଳନୀରେ ୨୦ଟି କମ୍ପାନୀ ସହ କଥାବାର୍ତ୍ତା ହୋଇଥିଲା। ୧୫ଟି କମ୍ପାନୀ ଓଡ଼ିଶାରେ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜି ମଧ୍ୟ ହୋଇଯାଇଛନ୍ତି। ଦୁଇଟି କମ୍ପାନୀ ସହ ଓଡ଼ିଶା ସରକାରଙ୍କର ଚୁକ୍ତି ହୋଇସାରିଛି ବୋଲି ସେ କହିଥିଲେ।
ଆଗାମୀ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଆଗମନ ହେଉଛି। ତାଙ୍କର ତୃତୀୟ ପାଳିରେ ୭ମ ଥର ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଥିବା ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। ତାଙ୍କର ଅଭିଭାଷଣରେ ନାମ ନ ନେଇଥିଲେ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସେ କରିଥିଲେ ଟାର୍ଗେଟ। ଜଣେ ବିରେଧୀ ଦଳ ନେତା ଗୁଡ଼ାଏ ଅଭିଯୋଗ କରନ୍ତି ଆଉ ତା ପରେ ପଳାଇଯାଆନ୍ତି ବିଦେଶ। ସେଠାରୁ ଫେରି ପୁଣି କିଛି କୁହନ୍ତି ବୋଲି ସାଙ୍କେତିକ କଟାକ୍ଷ କରିଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ଭାଷଣରେ
ନିର୍ଭୟର ସଂଘର୍ଷପୂର୍ଣ୍ଣ ଯାତ୍ରା ବିଶେଷ କରି ସମ୍ପାଦକ ନବୀନ ଦାସଙ୍କ ଗୁମର କଥାର ଉଚ୍ଚପ୍ରଶଂସା କରିଥିଲେ। ଘାତପ୍ରତିଘାତ ମଧ୍ୟରେ ସମ୍ପାଦକ ନବୀନ ବାବୁଙ୍କ ଜ୍ଞାନ ଓ ସଂଗ୍ରାମ ତଥା ଦୂରଦୃଷ୍ଟି ନିର୍ଭୟକୁ ଗତିଶୀଳ କରାଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
ଶନିବାର ହୋଟେଲ ମେ’ ଫେୟାର ଲାଗୁନର ଅର୍କିଡ଼ ହଲଠାରେ ନିର୍ଭୟର ୧୨ତମ ବାର୍ଷିକ ଉତ୍ସବ ସମ୍ପାଦକ ନବୀନ ଦାସଙ୍କ ସଭାପତିତ୍ୱରେ ଆଡ଼ମ୍ବର ସହ ପାଳିତ ହୋଇଥିଲା। ସହଯୋଗୀ ସମ୍ପାଦକ ସଂବିତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ଦେଶର ଜଣେ ସଫଳ ସା ମ୍ବାଦିକ ତଥା ମିଡିଆ ବ୍ୟକ୍ତିତ୍ୱ ପ୍ରଫେସର ସଞ୍ଜୟ ଦ୍ୱିବେଦୀ। ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ ଦ’ ହିନ୍ଦୁର ଓଡ଼ିଶା ପ୍ରତିନିଧି ସତ୍ୟସୁନ୍ଦର ବାରିକ। ନିଜ ଭାଷଣରେ ନିର୍ଭୟ ସତୀର୍ଥ ସମ୍ମାନ ବିଜେତା ସତ୍ୟସୁନ୍ଦର କହିଥିଲେ ଯେ ମିଡିଆ ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ ହେଉଛି ସତ୍ୟତାର ଯାଞ୍ଚ। ପ୍ରଯୁକ୍ତିବିଦ୍ୟାର ବ୍ୟାପକ ଉନ୍ନତି ଫଳରେ ଆମ ପାଖକୁ ଏବେ ବହୁ ସୂତ୍ରରୁ ଖବରକୁ ଆସୁଛି। ହେଲେ ତା ଭିତରୁ ମିଛକୁ ହଟାଇବା ଆମର ଏବେ ପ୍ରଥମ କାମ ହୋଇଛି। ସାମ୍ବାଦିକର ସବୁ ଅନୁଭୂତି ସ୍ୱାଧୀନ। ବର୍ତ୍ତମାନ ସମୟରେ ଶିଳ୍ପ
ସଂସ୍ଥାଗୁଡିକ ମିଡିଆକୁ ପ୍ରଭାବିତ କରୁଥିଲାବେଳେ ନିରପେକ୍ଷ ମିଡିଆର ସଂଖ୍ୟା ଖୁବ କମ ହୋଇଯାଉଛି। ସେ ତାଙ୍କ ପେଷାଗତ ଜୀବନରେ କିପରି ମୁଖ୍ୟ ସ୍ରୋତଠାରୁ ଦୂରେଇ ଯାଉଥିବା ଖବରଗୁଡିକ ପ୍ରକାଶ କରି ସେହି ନିରପେକ୍ଷ ଧାରା ବଜାୟ ରଖିଥିବା ପ୍ରକାଶ କରିଥିଲେ।
ନବରଙ୍ଗପୁର ଜିଲ୍ଲା ଏକଦା ପଛୁଆ ଜିଲ୍ଲା ଥିଲା । ହେଲେ କିପରି ଏହା ଭିତରେ ଅନେକ ପରିବର୍ତ୍ତନ ଆସି ସେଠାରେ ସମୃଦ୍ଧିର ପବନ ବହୁଛି ତାହାର ଉଦାହରଣ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ପ୍ରଫେସର ସଂଜୟ ଦ୍ୱିବେଦୀ ଭାରତୀୟ ଭାଷାଗୁଡିକର ବିକାଶ ଉପରେ ଦେଇଥିଲେ ଗୁରୁତ୍ୱ। ଆନ୍ତଃସ୍କୁଲ ପ୍ରତିଯୋଗିତା ‘ନିର୍ଭୟ’ କରାଇଥିବାରୁ ତାହାର ପ୍ରଶଂସା କରି ସେ କହିଥିଲେ ଆମ ପିଲାମାନଙ୍କୁ ଆମ ଭାଷାର ମହତ୍ୱ ଶିଖାଇବାକୁ ପଡ଼ିବ। ଫିଲ୍ମ ହେଉ, ସାହିତ୍ୟ ହେଉ, ସଂସ୍କୃତି ହେଉ ଏହାକୁ ବଞ୍ଚାଇ ରଖିବାକୁ ହେଲେ ନିଜ ନିଜ ଭାଷାକୁ ବଞ୍ଚାଇ ରଖିବା ପାଇଁ ପଡ଼ିବ। ଭାରତ ଏକ ବହୁଭାଷୀ ଦେଶ। ଭାରତୀୟମାନେ ନିଜକୁ ଗୋଟିଏ ଭାଷାରେ ସୀମିତ ରଖନ୍ତି ନାହିଁ। ଜଣେ ଭାରତୀୟ ଅତି କମରେ ତିନୋଟି ଭାଷା ଉପରେ ରଖିଥାନ୍ତି ଜ୍ଞାନ। ଆମେ ବ୍ୟାପ୍ତ ଆଉ ଭାଷା ମଧ୍ୟ ବ୍ୟାପ୍ତ। ଯୌଥ ପରିବାର କମିବା ଏକାର୍ଣ୍ଣବର୍ତ୍ତି ପରିବାର ସୃଷ୍ଟି ହେବାର କୁପରିମାଣ ଉପରେ ସେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏବେ ପରିବାରର କେବଳ ଗୋଟିଏ ପୁଅ ନହେଲେ ଗୋଟିଏ ଝିଅ। ତେଣୁ ଭାବର ବିକାଶ ହୋଇପାରୁନାହିଁ।
ଏବେ ଦାଦା, ମାଉସୀ, ପିଉସୀ, ଖୁଡ଼ି, କେହି ଆଉ ତିଆରି ହୋଇପାରୁନାହାନ୍ତି। ସେ କହିଥିଲେ ସଂସ୍କୃତି ବଂଚିବ ପରିବାର ଦ୍ୱାରା। ଆଉ ପରିବାର
ବଂଚିଲେ ହିଁ ସଂସ୍କୃତି ବଂଚିବ।
ସେ କହିଥିଲେ ମା’ ବାପାମାନେ ନିଜ ପିଲାଙ୍କୁ ଏବେ ଇଂରାଜୀ ଭାଷା ପଢ଼ାଉଛନ୍ତି। ହେଲେ ଇଂରାଜୀ ସହ ନିଜ ଭାଷାକୁ ମଧ୍ୟ ଶିଖାଇବା ପାଇଁ ପଡ଼ିବ। ସେ ତାଙ୍କ ଅଭିଭାଷଣରେ ମିଡିଆକୁ ସଚେତନ କରିଥିଲେ ଯେ, ନେଗେଟିଭ ଖବର ବିକ୍ରି ହୁଏ ବୋଲି ଧାରଣା ହୋଇଛି। ସେଇଥିପାଇଁ ମିଡିଆରେ ଏବେ କର୍କଶ ସ୍ୱର। ହେଲେ ସମ୍ବାଦ କେବେ ବି ନେଗେଟିଭ ନଥିଲା। ଏହା ଥିଲା ସମାଧାନର ସୂତ୍ର। ସାମ୍ବାଦିକ ସମସ୍ତଙ୍କ ପାଖେ ଆଦରଣୀୟ ହେଉଥିଲେ। ପ୍ରଥମ ସାମ୍ବାଦିକ କୁହାଯାଉଥିବା ନାରଦ ତେଣୁ ଦେବତା, ଗନ୍ଧର୍ବ, ରାକ୍ଷସ ଓ ସାଧାରଣ ମଣିଷଙ୍କ ପାଖରେ ପାଉଥିଲେ ସମାନ ସମ୍ମାନ।
ସ୍ୱାଗତ ଭାଷଣ ଦେବା ଅବସରରେ ନିର୍ଭୟ ସମ୍ପାଦକ ନବୀନ ଦାସ କିପରି କଷ୍ଟପୂର୍ଣ୍ଣ ପରିବେଶରେ ନିର୍ଭୟର ଆରମ୍ଭ ହୋଇଥିଲା ସେ ବାବଦରେ ସମସ୍ତଙ୍କୁ ଅବଗତ କରାଇଥିଲେ। ୨୦୧୩ ମସିହାରୁ ନେଇ ପରବର୍ତ୍ତୀ ଏକଦଶନ୍ଧି ଧରି ବିରୋଧୀଙ୍କ ଅପେକ୍ଷା ସେତେବେଳର ଶାସକ ଦଳର ନେତାମାନେ ନିର୍ଭୟକୁ ସହଯୋଗ କରିଥିଲେ ବଂଚି ରହିବା ପାଇଁ। ସେମାନେ ଚାହୁଁଥିଲେ ସତ୍ୟର ସ୍ୱର ବଜାୟ ରହୁ। ସଭାରେ ଉପସ୍ଥିତ ଥିବା ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଘଡ଼ାଇ ଏବଂ ଜୟନାରାୟଣ ମିଶ୍ର ଏବଂ ଅମର ଶତପଥୀଙ୍କ ପାଖରୁ କିପରି ନିର୍ଭୟ ସହଯୋଗ ପାଇଥିଲା ତାହାର ଅବତାରଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖରେ ଦୁଇଟି ଦାବି ରଖିଥିଲେ ନିର୍ଭୟ ସମ୍ପାଦକ। ସାମ୍ବାଦିମାନଙ୍କ ପାଇଁ ଯେଉଁ ଜୀବନବୀମା ଯୋଜନା ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି ସେଥିରେ ସାମ୍ବାଦିକଙ୍କ ପିତାମାତାଙ୍କୁ ସଂଯୋଗ କରିବା ପାଇଁ ଦାବି ରଖିଥିଲେ। ଏଥିସହ ରାଜ୍ୟର ସାମ୍ବାଦିକମାନଙ୍କ ସକାଶେ ପେନସନ ଯୋଜନା ଖୁବଶୀଘ୍ର ଆରମ୍ଭ କରିବାକୁ ମଧ୍ୟ ସେ ଦାବି କରିଥିଲେ।

ନିର୍ଭୟର ୧୨ତମ ବାର୍ଷିକ ଉତ୍ସବରେ ଏକାଧିକ ବିଶେଷ ପୁରସ୍କାର ପ୍ରଦାନ କରାଯାଇଥିଲା। ନିର୍ଭୟର ନିମାପଡ଼ା ଖବରଦାତା ଶରତ ସେନାପତି ଏବଂ ବାଲେଶ୍ୱର ଅଧୀପ କୁମାର ଜେନାଙ୍କୁ ଶ୍ରେଷ୍ଠ ଖବରଦାତା ସମ୍ମା ନ ଦିଆଯାଇଥିଲା। ୩ ଦଶନ୍ଧିଧରି କାର୍ଟୁନିଷ୍ଟ ଭାବେ ଓଡ଼ିଶା ମିଡିଆରେ ସକ୍ରିୟଥିବା କମଳାକାନ୍ତ ରଥଙ୍କୁ ‘ନିର୍ଭୟ ସତୀର୍ଥ’ ସମ୍ମାନ ପ୍ରଦାନ କରାଯାଇଥିଲା। ଗ୍ରାମାଞ୍ଚଳରେ ପାଠକୀୟ ଆନ୍ଦୋଳନ ଏବଂ ସଂଗ୍ରହାଳୟ ପ୍ରତିଷ୍ଠା କରି ସାହିତ୍ୟ ସାଧନାରେ ମଗ୍ନଥିବା ବିରେନ୍ଦ୍ର କୁମାର ସାମନ୍ତରାୟଙ୍କୁ ‘ନିର୍ଭୟ ଓଡ଼ିଶା ଗୌରବ’ ସମ୍ମାନ ପ୍ରଦାନ କରାଯାଇଥିଲା। ନିର୍ଭୟ ପକ୍ଷରୁ ଆୟୋଜିତ ହୋଇଥିବା ଆନ୍ତଃସ୍କୁଲ ତର୍କ ପ୍ରତିଯୋଗିତାର ବିଜେତା ସୃଜନିକା ମହାପାତ୍ର, ନଭ୍ୟାନମସ୍ୟା କର, ଅଙ୍କିତା ଶୁକ୍ଳା, ନମ୍ରା
ଅହମ୍ମଦ, ଶ୍ରୀଲକ୍ଷ୍ମୀ ବଳିୟାରସିଂହ, ସ୍ୱୟମ ଦାଶ, ସହସ୍ରା ସୁଶାନ୍ତ ପଢିହାରୀ ଏବଂ ରୁହାନ ସାମନ୍ତରାୟଙ୍କୁ ଅତିଥିମାନେ ଟ୍ରଫି ଓ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ପ୍ରତିଷ୍ଠିତ ରାଜନେତା, ସାମ୍ବାଦିକ, ମିଡିଆ ବ୍ୟକ୍ତିତ୍ୱ ଏବଂ ନିର୍ଭୟର ଶୁଭେଛୁମାନେ ଯୋଗ ଦେଇଥିଲେ।