ସବୁ ପୁରୁଣା ଆମ୍ବୁଲାନ୍ସ ବଦଳାଯିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:୨୩/୧୨- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୪୨୮ଟି ନୂଆ ୧୦୮ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ଏଥିରେ ୪୧୯ ଟି ପୁରୁଣା ଆମ୍ବୁଲାନ୍ସ, ୨ ଟି ଦୁର୍ଘଟଣାରେ ସମ୍ପୂର୍ଣ୍ଣର୍ ନଷ୍ଟ ହୋଇଯାଇଥିବା ଆମ୍ବୁଲାନ୍ସକୁ ପରିବର୍ତ୍ତନ କରାଯାଇ ନୂଆ ଆମ୍ବୁଲାନ୍ସ ବ୍ୟବହାର କରାଯିବ। ଏହା ବ୍ୟତୀତ ବାଣିଜ୍ୟ ଏବଂ ପରିବହନ ବିଭାଗରେ ବିମାନବନ୍ଦର,ଏୟାରସ୍ଟ୍ରିପରେ ବ୍ୟବହାର ପାଇଁ ୫ ଟି ଆମ୍ବୁଲାନ୍ସ ଏବଂ ଝାରସୁଗୁଡ଼ା କାର୍ଡିଆକ କେୟାର ହସ୍ପିଟାଲ୍ ପାଇଁ ୨ ଟି ଆମ୍ବୁଲାନ୍ସ ବ୍ୟବହାର କରାଯିବ। ସୂଚନାଯୋଗ୍ୟ ଯେ ରାଜ୍ୟରେ ଦୈନିକ ୫ ହଜାର ରୋଗୀଙ୍କୁ ୧୦୮-ଆମ୍ବୁଲାନ୍ସ ଜରିଆରେ ବିଭିନ୍ନ ହସ୍ପିଟାଲକୁ ନିଆଯାଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଅଧିକ ଉନ୍ନତି ଆଣିବା ପାଇଁ ପର୍ଯ୍ୟାୟକ୍ରମେ ପୁରୁଣା ଆମ୍ବୁଲାନ୍ସ ଗୁଡିକୁ ବଦଳାଯାଇ ନୂଆ ଆମ୍ବୁଲାନ୍ସ ଅଣାଯାଉଛି। ସ୍ୱାସ୍ଥ୍ୟ ସେବାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆହୁରି ୧୦୮-ଆମ୍ବୁଲାନ୍ସ କ୍ରୟ କରାଯାଇଛି। ୪୨୮ଟି ଆମ୍ବୁଲାନ୍ସ ପାଇଁ ରାଜ୍ୟ ସରକାର ୧୧୧ କୋଟି ଖର୍ଚ୍ଚ କରିଛନ୍ତି।