-୧୩୪୫ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଉଦ୍ଘାଟନ, ୬୦୯ କୋଟି ମୂଲ୍ୟର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ
-ରାଉରକେଲା ହନୁମାଟ ବାଟିକା ଛକରୁ ପାୱାର ହାଉସ ଛକ ରାସ୍ତା ବୀର୍ସା ମୁଣ୍ଡାଙ୍କ ନାମରେ ନାମିତ
ଜନଜାତିଙ୍କ ବିକାଶ ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:୧୫/୧୧-ବିର୍ସା ମୁଣ୍ଡା ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଭାରତ ଇତିହାସରେ ସବୁଦିନ ପାଇଁ ଅମର ହୋଇ ରହିଛନ୍ତି। ଇଂରେଜ ଶାସନ ସମୟରେ ବିର୍ସା ଅନ୍ୟାୟ, ଅତ୍ୟାଚାରକୁ ବିରୋଧ କରି ବିହାର, ଝାଡଖଣ୍ଡ ଅଞ୍ଚଳର ସଂଗ୍ରାମୀମାନଙ୍କୁ ଏକାଠି କରି ଏକ ବଡ ଧରଣର ବିପ୍ଳବ ମାଧ୍ୟମରେ ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ସ୍ୱତନ୍ତ୍ର ଫର୍ଦ୍ଦ ଯୋଡିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଉରକେଲା ଠାରେ ଆୟୋଜିତ ଶହୀଦ ବିର୍ସା ମୁଣ୍ଡାଙ୍କ ରାଜ୍ୟସ୍ତରୀୟ ୧୫୧ତମ ଜୟନ୍ତୀ ‘ଜନଜାତୀୟ ଗୌରବ ଦିବସ’ ଅବସରରେ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି।
ସୂଚନାଯୋଗ୍ୟ ଯେ, ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଦେଶବ୍ୟାପୀ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟରୁ ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ରାଉରକେଲା ଠାରେ ସୁନ୍ଦରଗଡ ଜିଲ୍ଲା ପାଇଁ ୧୩୪୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିବା ସହିତ ୬୦୯ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଉରକେଲା ସହରର ହନୁମାନ ବାଟିକା ଛକରୁ ପାୱାର ହାଉସ ଛକ ପର୍ଯ୍ୟନ୍ତ ରାସ୍ତାକୁ ଭଗବାନ ବିର୍ସା ମୁଣ୍ଡା ରାସ୍ତା ଭାବେ ନାମିତ କରିଛନ୍ତି।
ଉପସ୍ଥିତ ରାଉରକେଲା ବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କିଶୋର ବୟସରୁ ବିର୍ସା ଉପନିବେଶବାଦୀ ଶୋଷଣ ବିରୋଧୀ ଜନପ୍ରତିରୋଧର ନେତୃତ୍ୱ ନେଇଥିଲେ। ବ୍ରିଟିଶ୍ ଶାସନ ଓ ସ୍ଥାନୀୟ ଜମିଦାରଙ୍କ ଶୋଷଣ ଓ ଅତ୍ୟାଚାରରେ ନିଷ୍ପେସିତ ଲୋକମାନଙ୍କ ସାମାଜିକ ଓ ଆର୍ଥିକ ଅଧିକାର ପାଇଁ ଲଢେଇ ଜାରି ରଖିଥିଲେ। ବିର୍ସା ମୁଣ୍ଡାଙ୍କ ବିଦ୍ରୋହ ଝାଡଖଣ୍ଡ, ଓଡିଶା, ବିହାର, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ବ୍ୟାପୀ ଏକ ବିରାଟ ଆଦିବାସୀ ଆନ୍ଦୋଳନର ରୂପ ନେଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ପ୍ରେରଣାଦାୟୀ ଉଦ୍ୟମରେ ଆଜି ମହାନ ଜନଜାତି ନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ସାରା ଦେଶରେ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଛି। ଏହି ଉତ୍ସବ ଭଗବାନ ବିର୍ସା ମୁଣ୍ଡାଙ୍କ ବୀରତ୍ୱ, ତ୍ୟାଗ ଓ ସାହସ ନିମନ୍ତେ ଉତ୍ସର୍ଗୀକୃତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନୀତି ହେଉଛି ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ। ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅନେକ ଯୁଗାନ୍ତକାରୀ ପଦକ୍ଷପ ଗ୍ରହଣ କରିଛନ୍ତି। ପିଏମ୍ ଜନ୍ମନ୍ ଯୋଜନା, ଧରତୀ ଆବା ଜନଭାଗିଦାରୀ ଅଭିଯାନ, ଆଦିକର୍ମ ଯୋଗୀ ଅଭିଯାନ ଭଳି ବିଭିନ୍ନ ଯୋଜନା ମାଧ୍ୟମରେ ଜନଜାତି ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଉଦ୍ୟମ ଜାରି ରହିଛି।
କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର ବି. ପରମେଶ୍ୱରନ୍ ସ୍ୱାଗତ ଭାଷଣ ଦେଇଥିଲେ। ଜିଲ୍ଲାପାଳ ସୁନ୍ଦରଗଡ ଡ. ଶୁଭଙ୍କର ମହାପାତ୍ର ଉପସ୍ଥିତ ଥିଲେ।